ଭୁବନେଶ୍ୱର,୨୩/୦୫: କିଏ ଦିଲ୍ଲୀରେ ଯାଇ ସାଂଗଠନିକ ନେତାଙ୍କୁ ଭେଟୁଛନ୍ତି । ଆଉ କିଏ ଭୁବନେଶ୍ୱରରେ ପ୍ରଭାବଶାଳୀ ଗୋଷ୍ଠୀଙ୍କ ପାଖରେ ଚକ୍କର କାଟୁଛନ୍ତି । ଲକ୍ଷ୍ୟ ଗୋଟିଏ-ମନ୍ତ୍ରୀ ପଦ । ଆଉ ଦିନ କେଇଟା ପରେ ସରକାରଙ୍କ ବର୍ଷ ପୂର୍ତ୍ତି । ସବୁ ବିଭାଗ ଲାଗି ପଡ଼ିଛନ୍ତି ସରକାରଙ୍କ ସଫଳତାରେ ନିଜ ଉପଲବ୍ଧି ଫର୍ଦ୍ଦ ଯୋଡ଼ିବାରେ । ଏପଟେ ଚର୍ଚ୍ଚା ତେଜିଲାଣି, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ । ଆଶାୟୀଙ୍କ ଆଖିକୁ ଏବେ ନିଦ ନାହିଁ । କଳେ ବଳେ କୌଶଳେ ମନ୍ତ୍ରୀ ପଗଡ଼ି ପିନ୍ଧିବାକୁ ଜୋରଦାର ଆରମ୍ଭ କରିଛନ୍ତି ଲବି । ଖାଲି ଥିବା ୬ ମନ୍ତ୍ରୀ ଆସନ ଉପରେ ଘୂରି ବୁଲୁଛି ଡଜନେରୁ ଅଧିକ ଆଖି । ଆଶାୟୀଙ୍କ ମନ ଭିତରେ ଉତ୍କଣ୍ଠା ବର୍ଷ ପୂର୍ତ୍ତି ବେଳକୁ ଅପେକ୍ଷାର ଅନ୍ତ ଘଟିବ କି? ଅନ୍ୟପଟେ କିଛି ମନ୍ତ୍ରୀଙ୍କ ଛାତି ଧଡ଼ଧଡ଼, ମନ୍ତ୍ରିମଣ୍ଡଳ ପୁନର୍ବିନ୍ୟାସରେ ଚୌକି ଚାଲି ଯିବନି ତ?
ଗତ ବର୍ଷ ଜୁନ୍ ୧୨ରେ ଶପଥ ନେଇଥିଲେ ମୋହନ ସରକାର । ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୬ଜଣ ମନ୍ତ୍ରୀ ପଦ ଶପଥ ନେଇଥିଲେ । ମୋଟ ୨୨ଜଣ ମନ୍ତ୍ରୀ ରହିପାରିବେ । ହେଲେ ଆରମ୍ଭରୁ ହିଁ ମନ୍ତ୍ରିମଣ୍ଡଳରେ ୬ଟି ଆସନ ଖାଲି ପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀ ସମ୍ଭାଳିଛନ୍ତି ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ଖୋଦ୍ ମୁଖ୍ୟମନ୍ତ୍ରୀ ବହୁ ଓଜନିଆ ବିଭାଗ ଦାୟିତ୍ୱ ଧରିଛନ୍ତି । ଅନ୍ୟ କିଛି ମନ୍ତ୍ରୀ ବି ଏକାଧିକ ବିଭାଗର ଭାର ମୁଣ୍ଡାଇଛନ୍ତି । ଏହାଦ୍ୱାରା ବିଭାଗଗୁଡ଼ିକ ଯେତିକି ଦକ୍ଷତାର ସହ ପ୍ରଦର୍ଶନ କରିବା କଥା, ସେଥିରେ ବାଧା ଉପୁଜୁଥିବା ଚର୍ଚ୍ଚା ହେଉଛି ।
ରାଜନୈତିକ ବିଶେଷଜ୍ଞଙ୍କ କହିବାନୁସାରେ ୬ଟି ମନ୍ତ୍ରୀ ପଦ ଦୀର୍ଘଦିନ ଖାଲି ରହିବା ଭଲ ନୁହେଁ । ଦୀର୍ଘ ୨୪ ବର୍ଷର ସରକାରକୁ ହଟାଇ ଶାସନକୁ ଆସିଥିବା ଦଳକୁ ଦକ୍ଷତାର ଅନେକ ପ୍ରମାଣ ଦେବାକୁ ହେବ । ବିରୋଧୀ ଦଳ ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ଆଣୁଛି, ବଜେଟ ପାଣ୍ଠି ଖର୍ଚ୍ଚ ହୋଇପାରୁନି । ଏକାଧିକ ବିଭାଗ ଚାପରେ କିଛି ମନ୍ତ୍ରୀ ଏଯାଏଁ ନିଜ ଦକ୍ଷତା ପ୍ରମାଣିତ କରିପାରୁ ନାହାନ୍ତି ବୋଲି ପାୱାର କରିଡରରେ ଚର୍ଚ୍ଚା । ତେଣୁ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପାଇଁ ତାଲିକା ପ୍ରସ୍ତୁତ କରୁଥିବା ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି ।
ଆଶାୟୀଙ୍କ ବ୍ୟାକୁଳତା ବଢ଼ୁଛି । ବିଜେପି ବିଧାୟକ ଜିତିଥିବା ଜିଲ୍ଲା ଭିତରୁ ଏବେ ବି ୧୪ ଜିଲ୍ଲା ମନ୍ତ୍ରୀ ଶୂନ୍ୟ । ବରଗଡ଼, ସୁନ୍ଦରଗଡ଼, ବାଲେଶ୍ୱର, ଅନୁଗୁଳ, ସୋନପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, କଟକ, କେନ୍ଦ୍ରାପଡ଼ା, ନୟାଗଡ଼, କୋରାପୁଟ, ମାଲକାନଗିରି ଜିଲ୍ଲାରୁ କେହି ମନ୍ତ୍ରୀ ନାହାନ୍ତି । ଏ ଜିଲ୍ଲାରୁ ବହୁ ଟାଣୁଆ ନେତା ବିଧାନସଭାକୁ ଆସିଛନ୍ତି ।
ମନ୍ତ୍ରୀ ପଦ ପାଇବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏପରିକି ଏଥିରୁ କିଛି ନେତାଙ୍କୁ ମନ୍ତ୍ରୀ ପଦ ମିଳିବ ବୋଲି ପୂର୍ବରୁ ପ୍ରତିଶ୍ରୁୂତି ବି ମିଳିଛି । ହାଇକମାଣ୍ଡ କିଭଳି ପ୍ରତିଶ୍ରୁତି ପୂରଣ କରିବେ, ସେଥିପାଇଁ ନିଜ ଲବିକୁ ତେଜିଛନ୍ତି ଆଶାୟୀ । ମନ୍ତ୍ରୀ ପଦ ନ ମିଳିଥିବାରୁ ଦଳର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ଖପ୍ପା ଥିବା ତାଙ୍କ ହାବଭାବ କହୁଛି । ଯଦି ଦଳ ଏବେ ତାଙ୍କୁ ମନ୍ତ୍ରୀ ପଦ ଅଫର ଦିଏ, ସେ ସାମିଲ ହେବେ କି ନାହିଁ, ତାହା ମଧ୍ୟ ବଡ଼ ପ୍ରଶ୍ନ । ଅନ୍ୟ ଆଶାୟୀଙ୍କ ଭିତରେ ଭୁବନେଶ୍ୱରର ଏକମାତ୍ର ବିଧାୟକ ବାବୁ ସିଂଙ୍କୁ ନେଇ ଚର୍ଚ୍ଚା ବେଶି । ବିଧାନସଭାରେ ତାଙ୍କ ପ୍ରଦର୍ଶନ ବି ଦଳୀୟ ନେତୃତ୍ୱଙ୍କ ନଜର ଟାଣିଛି ।
ମୟୂରଭଞ୍ଜ ଜିଲ୍ଲାରୁ ଭାସ୍କର ମଢ଼େଇ, ସନାତନ ବିଜୁଳି ମନ୍ତ୍ରୀ ପଦ ଆଶାୟୀ ଅଛନ୍ତି । ଉଭୟଙ୍କ ପାଇଁ ସମସ୍ୟା ହେଲା, ଏ ଜିଲ୍ଲାରୁ ଦୁଇଜଣ ମୋହନଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ଗଞ୍ଜାମରୁ ଆସିକା ବିଧାୟକ ସରୋଜ ପାଢ଼ୀ ଓ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ନାଁ ବି ଏହି ରେସ୍ରେ ଅଛି । ମାତ୍ର ଗଞ୍ଜାମରୁ ବି ପୂର୍ବରୁ ଦୁଇଜଣ ମନ୍ତ୍ରୀ ଅଛନ୍ତି । ଯାଜପୁର ଜିଲ୍ଲାରୁ ଜଣେ ମନ୍ତ୍ରୀ ପଦ ଥିବାବେଳେ କୋରେଇ ବିଧାୟକ ଆକାଶ ଦାସନାୟକ ଅନ୍ୟତମ ଟାଣୁଆ ଦାବିଦାର ଅଛନ୍ତି ।
ବରଗଡ଼ ଜିଲ୍ଲାରୁ ୫ରୁ ୪ ବିଧାୟକ ବିଜେପିର । ମାତ୍ର ଜଣେ ବି ମନ୍ତ୍ରୀ ନାହାନ୍ତି । ଯୁବ ଚେହେରା ଭାବେ ଇରାଶିଷ ଆଚାର୍ଯ୍ୟଙ୍କ ନାମ ଚର୍ଚ୍ଚାରେ ଆଗରେ ଅଛି । ବାଲେଶ୍ୱର ଜିଲ୍ଲା ଆଶାୟୀଙ୍କ ଭିତରେ ଭେଟେରାନ ପଦ୍ମଲୋଚନ ପଣ୍ଡା ନିଜ ଦାବିଦାରୀକୁ ସବୁବେଳେ ରଖିଛନ୍ତି । ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବିଧାୟକ ବି ନଜର ରଖିଛନ୍ତି ମନ୍ତ୍ରୀ ପଦ ଉପରେ । ମାଲକାନଗିରି, ସୋନପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରୁ ବିଜେପିର ଜଣେ ଲେଖାଏଁ ବିଧାୟକ, ସେମାନଙ୍କ ନଜର ବି ମନ୍ତ୍ରୀ ଆସନ ଉପରେ । କୋରାପୁଟ ଜିଲ୍ଲାରେ ଏଥର ଡବଲ୍ ପଦ୍ମ ଫୁଟିଥିବାବେଳେ ଉଭୟ ବିଧାୟକ ମନ୍ତ୍ରୀ ପଦ ପାଇଁ ଆଶାୟୀ ।
ଆଉ ଏକ ଚର୍ଚ୍ଚା ମଧ୍ୟ ହେଉଛି, ଦକ୍ଷତା ମାପକାଠିରେ କିଛି ମନ୍ତ୍ରୀ ପଦ ହରାଇପାରନ୍ତି । ଏମିତି ହେଲେ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ ହୋଇପାରେ । ତେବେ, କେହି କିଛି ଠଉରାଇ ପାରୁନାହାନ୍ତି । ସଭିଙ୍କ ମନରେ ସେଇ ପ୍ରଶ୍ନ-ମନ୍ତ୍ରୀ ପଦ ପାଇଁ କାହା ନମ୍ବର ଲାଗିବ? ମନ୍ତ୍ରୀ ଚୟନର ମାପକାଠି କ’ଣ ରହିବ? ଏହାକୁ ନେଇ ହିସାବ ନିକାସ ଚାଲିଛି ବିଜେପି ଶିବିରରେ ।
ସରକାର ଓ ସଂଗଠନ ଯେଭଳି ସମାନ୍ତରାଳ ଭାବେ କାର୍ଯ୍ୟ କରିବେ, ଆରମ୍ଭରୁ ବିଜେପି ହାଇକମାଣ୍ଡ ଗୁରୁତ୍ୱ ଦେଇ ଆସିଛନ୍ତି । ତେଣୁ ସାଂଗଠନିକ ପରିବର୍ତ୍ତନ ସହ ସମନ୍ୱୟ ରକ୍ଷା କରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ବୋଲି ଶୁଣିବାକୁ ମିଳିଛି । ତେଣୁ ସାଂଗଠନିକ ରୂପରେଖକୁ ଧ୍ୟାନରେ ରଖି ମନ୍ତ୍ରିମଣ୍ଡଳରେ ସମ୍ପ୍ରସାରଣ ହୋଇପାରେ ।