ଭୁବନେଶ୍ୱର,୨୩/୦୫ : ସାତ ଜନ୍ମର ସାଥୀ ହେଲେ ଦୁଇ ପ୍ରେମପକ୍ଷୀ । ନା ପରିବାର, ନା ଥିଲା ଠିକଣା । ପିଲାଟି ଦିନରୁ ଅଭିଭାବକ ସାଜିଥିଲା ଶିଶୁ ସୁରକ୍ଷା ଯତ୍ନ ଗୃହ । ଆଉ ବଡ଼ ହେଲା ପରେ ସେଇଠି ମିଳିଗଲା ଜୀବନ ସାଥୀ । ଏ ହେଉଛି ବନ୍ଧୁରୁ ବଧୂ ସାଜିଥିବା ନେହା କୁମାରୀ ଆଉ ପ୍ରେମିକାକୁ ପତ୍ନୀ କରିଥିବା ଶ୍ୟାମସୁନ୍ଦରଙ୍କ କାହାଣୀ । ପିଲାଟି ଦିନରୁ ବାପା, ମା’, ବନ୍ଧୁ, ପରିଜନ କେହି ନ ଥିବା ୨ଟି ମଣିଷଙ୍କୁ ମିଳିଛି ନିଜର ନୂଆ ପରିବାର ଓ ଠିକଣା । ବୁଧବାର ନେହା ଓ ଶ୍ୟାମ ସୁନ୍ଦର ବିବାହ ବନ୍ଧନରେ ଯୋଡ଼ି ହୋଇଯାଇଛନ୍ତି ।
ଖଣ୍ଡଗିରିସ୍ଥିତ ଜୀବନଜ୍ୟୋତି ଆଶ୍ରମରେ ପିଲାଟି ଦିନରୁ ନେହା ଓ ଶ୍ୟାମସୁନ୍ଦର ରହି ଆସୁଥିଲେ । ୧୮ ବର୍ଷ ହେବା ପରେ ଆଫ୍ଟର କେୟାରରେ ରହି ସେମାନେ ଚାକିରି କରୁଥିଲେ । ହାଇଦ୍ରାବାଦରେ ରହି ବେବି କେୟାର ଭାବରେ କାମ କରୁଥିଲେ ନେହା । ଏପଟେ ଭୁବନେଶ୍ୱରରେ ଶ୍ୟାମସୁନ୍ଦର ଚାକିରି କରିଥିଲେ । ଗତ ୫ ବର୍ଷ ହେଲା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଫୋନ ଯୋଗେ ଉଭୟେ ଯୋଗାଯୋଗ ଆଉ ସମ୍ପର୍କ ସାଇତି ରଖିଥିଲେ । କିଛି ଦିନ ତଳେ ଦୁହେଁ ଆଶ୍ରମ ଆସି ପ୍ରେମ କଥା ସମସ୍ତଙ୍କୁ ଜଣାଇଥିଲେ । ନେହା ଓ ଶ୍ୟାମସୁନ୍ଦରଙ୍କ ପ୍ରେମ କାହାଣୀ ଶୁଣିବା ପରେ ଆଶ୍ରମ ପକ୍ଷରୁ ଦୁହିଁଙ୍କ ବାହାଘର ଲାଗି ସଜବାଜ ଆରମ୍ଭ ହେଲା ।
ଆଶ୍ରମ ପ୍ରତିଷ୍ଠାତା ପ୍ରଫୁଲ୍ଲ ସେନାପତିଙ୍କ ତତ୍ତ୍ୱାବଧାନରେ ସମସ୍ତ ସଦସ୍ୟ ବାହାଘର ଲାଗି ବିଧି ଅନୁସାରେ ବ୍ୟବସ୍ଥା ଆରମ୍ଭ କଲେ । ପାଞ୍ଜି ଦେଖି ତିଥି ସ୍ଥିର ହେଲା । ଜାଇ ଅନୁକୂଳ, ମଙ୍ଗଳକୃତ୍ୟ, ବାଡୁଅ ଗାଧୁଆ ସହ ସମସ୍ତ ବିଧିବିଧାନ ସମ୍ପନ୍ନ ହେଲା । ଶେଷରେ ବୁଧବାର ସ୍ଥାନୀୟ ସ୍ଥାନୀୟ ଦୁର୍ଗାମାଧବ ମଠରେ ସନ୍ଧ୍ୟା ୭ଟାରେ ହାତଗଣ୍ଠି ପଡ଼ିଲା । ନେହାଙ୍କ ମଥାରେ ସିନ୍ଦୂର ଦେଲେ ଶ୍ୟାମସୁନ୍ଦର । ଆଶ୍ରମ ଶୁଭଚିନ୍ତକ ମିତା ମହାନ୍ତି ବିବାହ ସାମଗ୍ରୀ ଏବଂ ପ୍ରଶାନ୍ତ ପଣ୍ଡା ଭୋଜି ଦାୟିତ୍ୱ ନେଇଥିଲେ । କୃଷ୍ଣଚନ୍ଦ୍ର ମିଶ୍ର ଓ ମାତା ରଞ୍ଜିତା ମିଶ୍ର କନ୍ୟା ପିତା ମାତା ଏବଂ ଶ୍ରୀଧର ଶତପଥି ବର ପିତା ହୋଇ ସମସ୍ତ ଦାୟିତ୍ୱ ତୁଲାଇଲେ । ବାସନକୁସନ, ତେଜରାତି ସାମଗ୍ରୀ, ଘରର ଆସବାବପତ୍ର ସାଙ୍ଗକୁ ଲୁଗାପଟା ଅଳଙ୍କାର ଦେଇ ସମ୍ମାନର ସହ ଦୁହିଁଙ୍କ ବାହାଘର ହେଲା । ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ୬ ଶହରୁ ଊଦ୍ଧ୍ୱର୍ ଅତିଥି ଭୋଜି ଖାଇ ନବ ବରବଧୂଙ୍କୁ ଆଶୀର୍ବାଦ କଲେ । ଆଶ୍ରମ ସଭାପତି ସୁଧାକର ପଣ୍ଡା, ଉପସଭାନେତ୍ରୀ ମନସ୍ୱିନୀ ମହାନ୍ତି, ସମ୍ପାଦିକା ଭାରତୀ ମହାରଣା, ସମାଜସେବୀ ଉର୍ମିଳାବାଳା ସ୍ୱାଇଁଙ୍କ ସମ୍ପୂର୍ଣ୍ଣ ସହଯୋଗରେ ନେହାଶ୍ୟାମସୁନ୍ଦରଙ୍କ ଶୁଭ ବିବାହ ସମ୍ପନ୍ନ ହେଲା ।