ମୁମ୍ବାଇ: ସଲମାନ ଖାନଙ୍କ ସୁରକ୍ଷାରେ ଏକ ବଡ଼ ତ୍ରୁଟି ଦେଖାଯାଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ, ଦୁଇ ଜଣ ଅଭିନେତାଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ପ୍ରଥମେ ଜଣେ ପୁରୁଷ ଏବଂ ପରେ ଜଣେ ମହିଳା ସଲମାନଙ୍କ ଘରେ ପଶିବାକୁ ଚେଷ୍ଟା କରିଥିଲେ । ଉଭୟଙ୍କୁ ପୋଲିସ ଗିରଫ କରିଛି । ଜଣେ ବ୍ୟକ୍ତି ଫିଲ୍ମ ଅଭିନେତା ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଏହି ଘଟଣା ମେ’ ୨୦ ସନ୍ଧ୍ୟାରେ ଘଟିଥିଲା । ଅଭିଯୁକ୍ତ ଜିତେନ୍ଦ୍ର କୁମାର ଏକ ଗାଡ଼ି ପଛରେ ଲୁଚି ସୋସାଇଟିରେ ପ୍ରବେଶ କରୁଥିବାର ଜଣାପଡ଼ିଥିଲା । ବାନ୍ଦ୍ରା ପୋଲିସ ଜିତେନ୍ଦ୍ର କୁମାର ସିଂହଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ଏବଂ ଘଟଣାର ତଦନ୍ତ କରୁଛି।
ଜିତେନ୍ଦ୍ର କୁମାର ଛତିଶଗଡ଼ର ବାସିନ୍ଦା । ପୋଲିସ ଭାରତୀୟ ନ୍ୟାୟ ସଂହିତା ଧାରା ୩୨୯(୧) ଅନୁଯାୟୀ ଏକ ମାମଲା ରୁଜୁ କରିଛି । ଜିତେନ୍ଦ୍ର କୁମାରଙ୍କ ପରେ ଜଣେ ମହିଳା ମଧ୍ୟ ସଲମାନ ଖାନଙ୍କ ବିଲ୍ଡିଂରେ ପଶିବାକୁ ଚେଷ୍ଟା କରିଥିଲେ । ତାଙ୍କୁ ମଧ୍ୟ ବାନ୍ଦ୍ରା ପୋଲିସ ଗିରଫ କରିଛି । ମେ’ ୨୨(ଗୁରୁବାର) ଭୋର ପ୍ରାୟ ୩:୩୦ ସମୟରେ ଇଶା ଛାବ୍ରା ନାମକ ଜଣେ ୩୨ ବର୍ଷୀୟା ମହିଳା ସଲମାନ ଖାନଙ୍କ ଘରେ ଥିବା ଲିଫ୍ଟ ଏରିଆରେ ପହଞ୍ଚି ଯାଇଥିଲେ । ଗାଲାକ୍ସି ଆପାର୍ଟମେଣ୍ଟର ସୁରକ୍ଷା କର୍ମୀମାନେ ମହିଳାଙ୍କୁ ଧରି ନେଇଥିଲେ ଏବଂ ପୋଲିସରେ ଜିମା ଦେଇଥିଲେ । ସୁରକ୍ଷା କର୍ମୀଙ୍କ ଅଭିଯୋଗ ଆଧାରରେ, ବାନ୍ଦ୍ରା ପୋଲିସ ମହିଳାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ଏବଂ ଅଧିକ ତଦନ୍ତ କରୁଛି ।
ସୂଚନା ଅନୁଯାୟୀ, ୨୩ ବର୍ଷୀୟ ଜିତେନ୍ଦ୍ର କୁମାର ସଲମାନ ଖାନଙ୍କୁ ଭେଟିବା ପାଇଁ ଗାଲାକ୍ସି ଆପାର୍ଟମେଣ୍ଟରେ ପହଞ୍ଚିଥିଲେ । ସେ ଏକ କାର ପଛରେ ଲୁଚି ବିଲ୍ଡିଂରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସେଠାରେ ମୁତୟନ ସୁରକ୍ଷା କର୍ମୀମାନେ ତାଙ୍କୁ ଧରି ନେଇଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ । ସୁରକ୍ଷା କାରଣରୁ ଅଭିନେତାଙ୍କୁ ପୋଲିସ ସୁରକ୍ଷା ପ୍ରଦାନ କରାଯାଇଛି । ଏହା ଜାଣିବା ସତ୍ତ୍ୱେ ବ୍ୟକ୍ତି ଜଣକ ଅଭିନେତାଙ୍କ ଘରେ ପଶିବାକୁ ଚେଷ୍ଟା କରିଥିଲେ ।
ପଚରାଉଚରା ସମୟରେ ବ୍ୟକ୍ତି ଜଣକ କହିଛନ୍ତି ଯେ, ସେ ସଲମାନ ଖାନଙ୍କୁ ଭେଟିବାକୁ ଚାହାଁନ୍ତି। କିନ୍ତୁ ପୋଲିସ ତାଙ୍କୁ ଅଭିନେତାଙ୍କ ସହ ସାକ୍ଷାତ କରାଇ ଦେଉନାହିଁ । ତେଣୁ ସେ ଲୁଚିଛପି ସଲାମାନଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଉଲ୍ଲେଖନୀୟ ଯେ, ଅଭିନେତା ସଲମାନ ଖାନଙ୍କୁ ପୂର୍ବରୁ ଅନେକ ଥର ହତ୍ୟା ଧମକ ମିଳିଛି । ନିକଟରେ ତାଙ୍କ ଘର ବାହାରେ ଗୁଳିମାଡ଼ ମଧ୍ୟ ହୋଇଥିଲା।