ନୂଆଦିଲ୍ଲୀ: କନ୍ନଡ ଅଭିନେତ୍ରୀ ରଣ୍ୟା ରାଓ ଏବଂ ତାଙ୍କ ସହ ଅଭିଯୁକ୍ତ ତରୁଣ କୋଣ୍ଡାରୁ ରାଜୁଙ୍କୁ ମିଳିଲା ଆଶ୍ୱସ୍ତି। କେରଳର ବହୁଚର୍ଚ୍ଚିତ ସୁନା ଚୋରା ଚାଲାଣ ମାମଲାରେ ଉଭୟଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ସ୍ୱତନ୍ତ୍ର ଅଦାଲତ। ଜଷ୍ଟିସ୍ ବିଶ୍ୱନାଥ ସି. ଗୌଡର ଅଭିନେତ୍ରୀଙ୍କୁ ଜାମିନ ଦେବା ସମୟରେ ଦୁଇଟି ସର୍ତ୍ତ ରଖିଛନ୍ତି। ଯଦି ସେ ଏହି ସର୍ତ୍ତ ଗୁଡ଼ିକ ପାଳନ ନ କରନ୍ତି, ତେବେ ତାଙ୍କର ଜାମିନ ବାତିଲ କରିଦିଆଯିବ।
ଏହି ସର୍ତ୍ତ ଅନୁଯାୟୀ, ରଣ୍ୟା ରାଓ ଏବଂ ତରୁଣ କୋଣ୍ଡାରୁ ଦେଶ ଛାଡି ବାହାରକୁ ଯାଇ ପାରିବେ ନାହିଁ ଏବଂ ପୁଣି କୌଣସି ଅପରାଧରେ ସାମିଲ୍ ହେବେ ନାହିଁ। ଯଦି ଉଭୟ ଏହି ସର୍ତ୍ତାବଳୀକୁ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ଜାମିନ ବାତିଲ କରାଯିବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ, ରାଣ୍ୟାଙ୍କୁ ଜାମିନ ମିଳିଛି କିନ୍ତୁ ତାଙ୍କୁ ମୁକ୍ତ କରାଯାଇ ନାହିଁ। କାରଣ ତାଙ୍କ ବିରୁଦ୍ଧରେ ବିଦେଶୀ ମୁଦ୍ରା ସଂରକ୍ଷଣ ଏବଂ ଚୋରା ଚାଲାଣ କାର୍ଯ୍ୟକଳାପ ନିବାରଣ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।
ସୂଚନା ଅନୁଯାୟୀ, କୋର୍ଟରେ ରଣ୍ୟା ରାଓଙ୍କ ପକ୍ଷରୁ ଓକିଲ ବିଏସ ଗିରିଶ ଯୁକ୍ତି ଉପସ୍ଥାପନ କରିଥିଲେ । ଯାହା ପରେ ବିଚାରପତି କହିଥିଲେ ଯେ ଉଭୟଙ୍କୁ ଦୁଇଟି ଜାମିନଦାର ଏବଂ ୨ ଲକ୍ଷ ଟଙ୍କାର ବଣ୍ଡ ଦାଖଲ କରିବାକୁ ପଡିବ। ସୂଚନାଥାଉକି,ଯେ ଅଭିନେତ୍ରୀ ରାଣ୍ୟା ଏପ୍ରିଲରେ ଜାମିନ ପାଇଁ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କାରଣ ତାଙ୍କର ଆବେଦନ ନିମ୍ନ ଅଦାଲତ ଗୁଡ଼ିକରେ ଖାରଜ ହୋଇଯାଇଥିଲା।
ସୂଚନାଥାଉକି ଯେ ରଣ୍ୟା ରାଓ ଜଣେ ପ୍ରସିଦ୍ଧ କନ୍ନଡ ଅଭିନେତ୍ରୀ। ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ପ୍ରାୟ ୧୨ କିଲୋ ସୁନା ସହିତ ତାଙ୍କୁ ଗିରଫ କରାଯାଇଥିଲା। ଏବେ ଅଭିନେତ୍ରୀଙ୍କୁ ଦୁଇ ମାସ ପରେ ଜାମିନ ମିଳିଛି।