ଭୁବନେଶ୍ୱର,୧୭/୦୫: ଚର୍ଚ୍ଚିତ ୟୁଟ୍ୟୁବର  ଲବ୍‌ ହାଂସଦା ଏବେ ବିବାଦ ଘେରରେ । ଲବ୍‌ଙ୍କ  ନିର୍ଯାତନା ସହି ନପାରି ତାଙ୍କ ପ୍ରେମୀକା ସାଲମୀ ମୁର୍ମୁ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ଭାଇ । ସାଲମୀ ଭାଇଙ୍କ ଅଭିଯୋଗ ପରେ  ବେଙ୍ଗାଲୁରୁର ଏଚ୍‌ଏସଆର ଲେ-ଆଉଟ୍‌ ଥାନା ପୁଲିସ୍‌  ଲବଙ୍କ ନାଁରେ ମାମଲା ରୁଜ କରି ଘଟଣାର ତଦନ୍ତ  ଆରମ୍ଭ କରିଛି । ଭଉଣୀ ମୃତ ପଛରେ ତାଙ୍କର ହାତ  ଥିବା ସାଲମୀ ଭାଇ ତାଙ୍କ ଏତଲାରେ ଦର୍ଶାଇଛନ୍ତି ।  

କିଛି ବର୍ଷ ତଳେ ସୋସିଆଲ୍‌ ମିଡିଆରେ ଲବଙ୍କ  ସହ ସାଲମୀଙ୍କ ପରିଚିତ ହୋଇଥିଲା । ସାଲମୀଙ୍କ  ଘର ବିହାର ହୋଇଥିବା ବେଳେ ସେ ବେଙ୍ଗାଲୁରୁର  ଏଚ୍‌ଏସଆର ଲେ-ଆଉଟ୍‌ ଥାନା ଅଞ୍ଚଳରେ ରହୁଥିଲେ ।  ସେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ ।  ସାଲମୀ ଏକ ବାଇକର୍‌ ଗ୍ରୁପ୍‌ର ସାମିଲ ଥିଲେ । ବାଇକ୍‌  ଚାଳାଇବା ତାଙ୍କ ନିଶା । ଦୁଇ ମାସ ତଳେ ଲବଙ୍କ ସହ  ତାଙ୍କର ନେପାଳରେ ଦେଖା ହୋଇଥିଲା। ତେବେ ଏହି  ସମୟରେ ଲବ ଚଞ୍ଚକତା କରି ସାଲମୀଙ୍କ ସୋସିଆଲ୍‌  ମିଡିଆର ୟୁଜର ଆଇଡି ଏବଂ ପାସ୍‌ୱାଡ୍‌ ନେଇ  ଯାଇଥିଲେ । ଏକଥା ଜାଣି ନଥିଲେ ସାଲମୀ । ଯଦି  କୌଣସି ବ୍ୟକ୍ତି ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ରେ ସାଲମୀଙ୍କୁ  ମେସେଜ୍‌ କରୁଥିଲେ ତାକୁ ଦେଖୁଥିଲେ ଲବ । ଆଉ  ସେହି କଥାକୁ ନେଇ ସାଲମୀଙ୍କୁ ଗାଳି ମନ୍ଦ କରିଥିଲେ ।  

ଦୁଇ ଦିନ ତଳେ ଏହି କଥାକୁ ନେଇ ଉଭୟଙ୍କ  ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଲବ୍‌ ତାଙ୍କୁ ଅଶ୍ଳୀଳ  ଭାଷରେ ଗାଳି କରିବା ସହ ଅକଥନୀୟ ନିର୍ଯାତନା  ଦେଇଥିଲେ । ଏମିତି ସାଲମୀର ରଚିତ୍ରସଂହାର କରିଥିଲେ  ବୋଲି ତାଙ୍କ ଭାଇ ଅଭିଯୋଗ କରିଛନ୍ତି । ଲବଙ୍କର  ନିର୍ଯାତନା ସହି ନ ପାରି ସେ ଆତ୍ମହତ୍ୟା କରିଥିଲେ ବୋଲି  ସାଲମୀଙ୍କ ଭାଇ କହିଛନ୍ତି । ବେଙ୍ଗାଲୁରୁର ଏଚ୍‌ଏସଆର  ଲେ-ଆଉଟ୍‌ ପୁଲିସ୍‌ ଲବଙ୍କ ବିରୋଧରେ ବିଏନ୍‌ଏସ୍‌  ଦଫା ୧୦୮ରେ ମାମଲା ରୁଜୁ କରିଥିବା ଜଣାପଡିଛି ।  

ସାଲମୀଙ୍କ ଭାଇ ସୋସିଆଲ୍‌ ମିଡିଆରେ ଭିଡିଓ ଅପ୍‌ଲୋଡ କରି କହିଛନ୍ତି, ଲବ ହାଁସଦାର  ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା କଥା ଜାଣିବାକୁ  ପାଇଥିଲା ସାଲମୀ । ଏନେଇ ଲବକୁ ପଚାରିବାରୁ ବାରମ୍ୱାର ନିର୍ଯାତନା ଦେଇଆସୁଥିଲା ଲବ । ଲବର  ନିର୍ଯାତନା ସହି ନ ପାରି ସେ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ମଧ୍ୟ ସାଲମୀ ଲବକୁ  ଫୋନ୍‌ କରିଥିଲେ ବୋଲି ସାଲମୀଙ୍କ ଭାଈ କହିଛନ୍ତି । ଭଉଣୀର ମୃତ୍ୟୁ ପାଇଁ ସେ ଲବକୁ ଦାୟୀ କରିଛନ୍ତି ।