ନୂଆଦିଲ୍ଲୀ,୨୧।୫: ଲୋକଙ୍କ ପାଇଁ ଦ୍ବିତୀୟ ଭଗବାନ ହେଉଛନ୍ତି ଡାକ୍ତର। ରୋଗୀଟିଏ ତାଙ୍କୁ ଇଶ୍ବରଙ୍କ ସ୍ବରୂପ ଭାବରେ ଦେଖେ। ହେଲେ ଡାକ୍ତର ଯଦି ପାଲଟି ଯାଆନ୍ତି ଜହ୍ଲାଦ ? ଜୀବନ ବଞ୍ଚାଇବା ବଦଳରେ ହୁଅନ୍ତି ମୃତ୍ୟୁର ସୌଦାଗର। ଅଙ୍ଗତସ୍କରୀଠାରୁ ନେଇ ୧୨୫ରୁ ଅଧିକ ଲୋକଙ୍କୁ ହତ୍ୟା କରିଥିବା ‘ଡକ୍ଟର ଡେଥ୍’ ଏବେ ଗିରଫ। ହେଲେ ତା’ର କଳାସାମ୍ରାଜ୍ୟ ଓ ଅପରାଧର କାହାଣୀ ଖୁବ୍ ଭୟଙ୍କର।
କୁଖ୍ୟାର ସିରିୟଲ କିଲର ଡାକ୍ତର ଦେବେନ୍ଦ୍ର ଶର୍ମା, ପେଶାରେ ଯଦିଓ ଡାକ୍ତର, କିନ୍ତୁ ଥିଲା ନରହନ୍ତା। ଅଙ୍ଗ ତସ୍କରୀ ସହ ୯ ବର୍ଷରେ ୧୨୫ରୁ ଅଧିକ ହତ୍ୟା ସେ କରିଛି। ବିଶେଷକରି ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ସେ ଟାର୍ଗେଟ କରୁଥିଲା। ଦିଲ୍ଲୀ, ଗୁରୁଗ୍ରାମରୁ ଟ୍ୟାକ୍ସି ଭଡା କରି ଉତ୍ତର ପ୍ରଦେଶର କୌଣସି ହାଇଓ୍ବେରେ ଡ୍ରାଇଭରଙ୍କୁ ହତ୍ୟା କରୁଥିଲା। ଏହା ପରେ, ସେ ମୃତଦେହକୁ କାସଗଞ୍ଜର ହଜାରା କେନାଲକୁ ନେଇ ସେଠାରେ ଫିଙ୍ଗି ଦେଉଥିଲା। ପଚରାଉଚରା ସମୟରେ ସେ ପୋଲିସକୁ କହିଛି ଯେ କୁମ୍ଭୀରମାନେ ମୃତଦେହକୁ ଖାଉଥିବାର ଦେଖି ଖୁସି ପାଉଥିଲା। ତାକୁ ହତ୍ୟା ସଂଖ୍ୟା ମନେ ନାହିଁ। ତଥାପି, ସେ ପୋଲିସ ନିକଟରେ ୫୦ ରୁ ଅଧିକ ମାମଲା ବିଷୟରେ କହିସାରିଛି।
‘ଡକ୍ଟର ଡେଥ୍’ ଓରଫ ଦେବେନ୍ଦ୍ର ଶର୍ମାର କାହାଣୀ କୌଣସି ଫିଲ୍ମଠାରୁ କମ୍ ନୁହେଁ। ୟୁପିର ଆଲିଗଡ଼ରେ ଜନ୍ମଗ୍ରହଣ କରିଥିବା ଦେବେନ୍ଦ୍ରର ବାପା ଜଣେ ଫାର୍ମାସିଷ୍ଟ ଥିଲେ। ବିହାରର ସିୱାନରେ ଥିବା ଏକ ଫାର୍ମା କମ୍ପାନୀରେ କାମ କରୁଥିଲେ। ଦେବେନ୍ଦ୍ରର ମଧ୍ୟ ସିୱାନରେ ଶିକ୍ଷାଗ୍ରହଣ ହୋଇଥିଲା। ବାପା ଚାହୁଁଥିଲେ ଦେବେନ୍ଦ୍ର ଡାକ୍ତର ହେଉ, କିନ୍ତୁ ସେ MBBS ପ୍ରବେଶିକା ପରୀକ୍ଷାରେ ପାସ୍ କରିପାରିନଥିଲା। ତେଣୁ ବିହାରରୁ ହିଁ BAMS ପଢ଼ିଥିଲା। ତା’ପରେ ରାଜସ୍ଥାନର ଦୌସା ଆସି ଜନତା କ୍ଲିନିକ୍ ନାମରେ ନିଜର ଏକ ହସ୍ପିଟାଲ ଖୋଲିଥିଲା।
ହସ୍ପିଟାଲରୁ ଭଲ ରୋଜଗାର ହେଉନଥିବାରୁ, ସେ କ୍ଲିନିକ୍ ସହିତ ଏକ ଗ୍ୟାସ୍ ଏଜେନ୍ସିର ଡିଲରସିପ୍ ନେଇଥିଲା। ଯେତେବେଳେ ଏଥିରେ ମଧ୍ୟ କ୍ଷତି ହୋଇଥିଲା, ସେ ଟାୱାର ଲଗାଇବା ନାମରେ କିଛି ଦିନ ପାଇଁ ଲୋକଙ୍କ ସହ ଠକେଇ କଲା। ୧୯୯୮ରେ, ସେ ଗୁରୁଗ୍ରାମର କୁଖ୍ୟାତ କିଡନୀ ପ୍ରତିରୋପଣ ଗ୍ୟାଙ୍ଗର ମୁଖ୍ୟ ଡାକ୍ତର ଅମିତଙ୍କ ସଂସ୍ପର୍ଶରେ ଆସିଥିଲା। ତା'ପରେ ମାନବ ଅଙ୍ଗ ଚାଲାଣରେ ସାମିଲ ହୋଇଥିଲା ଦେବେନ୍ଦ୍ର । କିଡନୀ ପ୍ରତିରୋପଣ ପାଇଁ ୧୨୫ ଜଣ ଡୋନର ଯୋଗାଇଥିଲା। ଦିଲ୍ଲୀ ବ୍ୟତୀତ ୟୁପି, ବିହାର, ପଶ୍ଚିମବଙ୍ଗ ଓ ନେପାଳରୁ ସେ ଡୋନର ଖୋଜି ଆଣୁଥିଲା। ପ୍ରତ୍ୟେକ ଡୋନର ପାଇଁ ସେ ଡାକ୍ତର ଅମିତଙ୍କଠାରୁ ୫ ରୁ ୭ ଲକ୍ଷ ଟଙ୍କା ନେଉଥିଲା। ଏହି କାରବାରରେ ସେ ୧୯୯୮ ରୁ ୨୦୦୪ ପର୍ଯ୍ୟନ୍ତ ଥିଲା। ୨୦୨୪ ରେ ଗୁରଗାଓଁ ପୋଲିସ ଡାକ୍ତର ଅମିତଙ୍କ ରାକେଟକୁ ପର୍ଦାଫାଶ କରି ତାଙ୍କୁ ଗିରଫ କରିଥିଲା। ଏହି ସମୟରେ ମଧ୍ୟ ଦେବେନ୍ଦ୍ର ଗିରଫ ହୋଇଥିଲା। ଗୁରଗାଓଁ କୋର୍ଟ ତାକୁ ଫାଶୀ ସଜା ଶୁଣାଇଥିଲେ। ତେବେ ୯ ଜୁନ୍ ୨୦୨୩ ରେ ତାକୁ ପାରୋଲ ମିଳିଥିବା ବେଳେ, ସେ ଖସି ଯାଇଥିଲା । ସାଧୁ ସନ୍ୟାସୀ ରୂପରେ ନକଲି ପରିଚୟ ଦେଇ ଆତ୍ପଗୋପନ କରିଥିଲା। ଏହି ସମୟରେ ପୋଲିସ ତା’ର ସନ୍ଧାନରେ ଥିଲା।
ଦେଶର ବହୁ ସ୍ଥାନ ଯେପରିକି ଆଲିଗଡ, ଜୟପୁର ଓ ଦିଲ୍ଲୀରେ ପୋଲିସର ୬ ମାସ ଧରି ତଲାସୀ ଚାଲିଥିଲା। ଏହା ସହ ୟୁପିର ଆଗ୍ରା ଓ ପ୍ରୟାଗରାଜରେ ମଧ୍ୟ ପୋଲିସ ଖୋଜିଥିଲା। କିନ୍ତୁ ଶେଷରେ ଏବେ ସେ ରାଜସ୍ଥାନରୁ ମିଳିଛି ଦେବେନ୍ଦ୍ର। ଦୌସାର ଏକ ଆଶ୍ରମରେ ବାବା ହୋଇ ଲୋକଙ୍କୁ ପ୍ରବଚନ ଦେବା ବେଳେ ଗିରଫ କରିଛି ପୋଲିସ। ଦେବେନ୍ଦ୍ରର ଘୃଣ୍ୟକାମ ପାଇଁ ତା’ ପରିବାର ମଧ୍ୟ ଦୂରେଇ ଯାଇଛନ୍ତି। ୨୦୦୪ରେ ସ୍ତ୍ରୀ ସମ୍ପର୍କ ତୁଟାଇ ଦେଇଥିବା ବେଳେ ବଡ ପୁଅ ସ୍ବିଜରଲାଣ୍ଡରେ ଚାକିରୀ କରେ। ସାନପୁଅ ମଧ୍ୟ କେରଳରେ ରୁହେ। କିନ୍ତୁ ତା ସହ କେହି ସମ୍ପର୍କ ରଖିବାକୁ ଚାହାନ୍ତି ନାହିଁ।