ଭୁବନେଶ୍ଵର, ୨୩/୦୫ : ବିହାର ମୁଙ୍ଗେର ଜିଲ୍ଲାରୁ ବେଆଇନ ଅସ୍ତ୍ରଶସ୍ତ୍ର ରାକେଟ୍ର ମାଷ୍ଟରମାଇଣ୍ଡ୍ ଗିରଫ। ଅଭିଯୁକ୍ତ ଏମଡି ଅସଲାମକୁ ବାନ୍ଧିଛି ଏସଟିଏଫ୍ । ପଚରାଉଚରା ବେଳେ ବନ୍ଧୁକ ରାକେଟ୍ ବାବଦରେ ସତ ଓଗାଳିଛି ଅଭିଯୁକ୍ତ । ଏମଡି ଅସଲାମ କଟକ ଜିଲ୍ଲା ୪୨ମୌଜା ଥାନା ଅଧୀନରେ ଥିବା ବଡ଼ଧୁଳେଶ୍ବର ଗ୍ରାମର ଶରତ ଯାଦବଙ୍କ ଘରୁ ଯାଇ ମହମ୍ମଦ ଆଜାମ ଓ ମହମ୍ମଦ ଆବିଦ ହୁସେନଙ୍କ ଠାରୁ ଅର୍ଦ୍ଧ ନିର୍ମିତ ଛୋଟ ପିସ୍ତଲ ସଂଗ୍ରହ କରୁଥିଲା । ଏହାଛଡ଼ା ମହମ୍ମଦ ଆଜାମ ଓ ମହମ୍ମଦ ଆବିଦ ହୁସେନ ବଡ଼ଧୁଳେଶ୍ୱର ଗାଁରେ ବେଆଇନ ଅସ୍ତ୍ରଶସ୍ତ୍ର ନିର୍ମାଣ ୟୁନିଟ୍ ଚଳାଉଥିଲେ ବୋଲି ଅସଲାମ୍ କହିଛି ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ମହମ୍ମଦ ଅସଲାମକୁ ଗତ ୨୦ ତାରିଖରେ ଗିରଫ କରାଯାଇଥିଲା। ତାକୁ ମୁଙ୍ଗେରର ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। ୩ ଦିନର ଟ୍ରାଞ୍ଜିଟ୍ ରିମାଣ୍ଡ ପାଇବା ପରେ ଅଭିଯୁକ୍ତକୁ ଭୁବନେଶ୍ୱର ଅଣାଯାଇଛି । ଅଭିଯୁକ୍ତକୁ ଆଜି କଟକର ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ହାଜର କରାଯିବ।
ସୂଚନା ଥାଉକି, ମାର୍ଚ୍ଚ ୧୩ ତାରିଖରେ କଟକ ୪୨ମୌଜା ଥାନା ଅନ୍ତର୍ଗତ ବଡ଼ଧୁଳେଶ୍ବର ଗ୍ରାମର ଶରତ ଯାଦବଙ୍କ ଘରୁ ବେଆଇନ ଅସ୍ତ୍ରଶସ୍ତ୍ର ଉତ୍ପାଦନ ୟୁନିଟ୍ ଠାବ ହୋଇଥିଲା । ତଲାସି ସମୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ତିଆରି ସାମଗ୍ରୀ ଓ ପିସ୍ତଲ ଜବତ ହୋଇଥିଲା । ଏହି ମାମଲାରେ ଏସଟିଏଫ୍ ପୂର୍ବରୁ ୫ଜଣଙ୍କୁ ଗିରଫ କରିଥିଲା । ଏବେ ଏହି ରାକେଟ୍ର ମାଷ୍ଟରମାଇଣ୍ଡ୍ ଏମଡି ଅସଲାମକୁ ଏସଟିଏଫ୍ ଗିରଫ କରିଛି ।