ତାଳଚେର, ୨୩/୫ : ଓଡ଼ିଶାର ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ତଥା ବର୍ତ୍ତମାନର ଅନୁଗୋଳ ଜିଲ୍ଲାର ତାଳଚେର ଗୋଟିଏ ବିଭବଶାଳୀ ଅଞ୍ଚଳ । ବିଗତ ବ୍ରିଟିଶ ସମୟରୁ ଆମ ତାଳଚେର ସମୃଦ୍ଧ ଏବଂ ସମ୍ପନ୍ନ ଅଞ୍ଚଳ ଭାବେ ପରିଚିତ । ଏହି ଅଞ୍ଚଳରେ ସ୍କୁଲ ଶିକ୍ଷା ଭିତ୍ତିଭୂମିକୁ ମଜଭୂତ୍ କରି ସାମଗ୍ରିକ ଶିକ୍ଷାର ବାତାବରଣ ବଢାଇବା ପାଇଁ ମିଳିମିଶି ଉଦ୍ୟମ କରିବା ଆବଶ୍ୟକ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଶୁକ୍ରବାର ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ କେନ୍ଦ୍ରୀୟ ବିଦ୍ୟାଳୟ, ତାଳଚେର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ସହ ମହୁଲପାଲିଠାରେ ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶା ସରକାରଙ୍କ ୨. ୭୬ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେ କହିଛନ୍ତି ଯେ, ତାଳଚେର ହେଉଛି ରତ୍ନଗର୍ଭା ଅଞ୍ଚଳ, ଯେଉଁ ଅଞ୍ଚଳରେ କେବଳ ଖଣି କିମ୍ବା କୋଇଲା ଅଧିକ ପରିମାଣରେ ଗଚ୍ଛିତ ହୋଇ ରହି ନାହିଁ ବରଂ ଶିକ୍ଷା ଏଠାକାର ମୂଳ ପୁଞ୍ଜି ହୋଇଛି । ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କ୍ଷମତା ଓ ପ୍ରତିଭା ଏହି ଅଞ୍ଚଳରେ ଅଛି । ଶହେ ବର୍ଷ ପୂର୍ବରୁ ତାଳଚେରର ପରିଚୟ ବ୍ରିଟିଶ ପାର୍ଲ୍ୟାମେଣ୍ଟରେ ହୋଇଥିଲା । ସ୍ଥାନୀୟ ଅଞ୍ଚଳର ମୌଳିକ ସମସ୍ୟା ନେଇ ଆମର ପୂର୍ବପୁରୁଷମାନେ ସେତେବେଳର ବ୍ରିଟିଶ ସରକାର ବିରୋଧରେ ବଡ ଜନଜାଗରଣ କରିଥିଲେ । ବ୍ରିଟିଶ ପାର୍ଲ୍ୟାମେଣ୍ଟରେ ତାଳଚେରର ସମସ୍ୟା ନେଇ ଆଲୋଚନା ହୋଇଥିଲା । ଏହି ତାଳଚେରରେ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ପାଇଁ ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ଲୋକମାନଙ୍କ ଦୀର୍ଘ ଦିନର ଦାବି ରହିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ୩୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଓଡ଼ିଶା ସମେତ ସମଗ୍ର ଦେଶରେ ଉତ୍ତମ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ କରିବା ପାଇଁ ମୋଦୀ ସରକାର ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ମଞ୍ଜୁର ଦେଇଥିଲେ । ସେଥିମଧ୍ୟରୁ ଓଡ଼ିଶାରେ ଖୋଲିବ ୮ଟି ତଥା ଓଡ଼ିଶାର ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ଅନୁଗୋଳ ଜିଲ୍ଲାର ତାଳଚେର ଓ ଆଠମଲ୍ଲିକ, ଢେଙ୍କାନାଳର କାମାକ୍ଷାନଗର, ଖୋର୍ଦ୍ଧା ଜିଲ୍ଲାର ଆଇଟିବିପି ଖୋର୍ଦ୍ଧା, କୋରାପୁଟ ଜିଲ୍ଲାର ଜୟପୁର, ବଲାଙ୍ଗୀର ଜିଲ୍ଲାର ରେଲଓ୍ୱେ ଟିଟିଲାଗଡ଼ ଓ ପାଟଣାଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ହେବ । ଆଇଟିବିପି ଖୋର୍ଦ୍ଧା, କୋରାପୁଟ ଜିଲ୍ଲାର ଜୟପୁରକୁ ଛାଡିଦେଲେ ଅନ୍ୟ ସମସ୍ତ ସ୍ଥାନରେ ଏହି କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ସହ ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ ହୋଇଛି ।
ଶିଳ୍ପାଞ୍ଚଳ ତାଳଚେରରେ ଡେରା ହାଇସ୍କୁଲ, ଯୁବରାଜ ହାଇସ୍କୁଲ, ହାଣ୍ଡିଧୂଆ ହାଇସ୍କୁଲ, ଗାର୍ଲ୍ସ ହାଇସ୍କୁଲ ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତଥା କେନ୍ଦ୍ରୀୟ ବିଦ୍ୟାଳୟ ହେବା ଦ୍ୱାରା ଶୈକ୍ଷିକ ବାତାବରଣ ବୃଦ୍ଧି ପାଉଛି । ଏହି ସମସ୍ତ ଶିକ୍ଷାନୁଷ୍ଠାନ ତାଳଚେରରେ ସ୍କୁଲ ଭିତ୍ତିଭୂମିକୁ ସୁଦୃଢ କରିବା ସହ ତାଳଚେରକୁ ଶିକ୍ଷା କ୍ଷେତ୍ରରେ ନୂଆ ପରିଚୟ ପ୍ରଦାନ କରୁଛି । ତାଳଚେରର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଏବଂ ସ୍ମାର୍ଟ ଶିକ୍ଷା ପ୍ରଦାନ କରିବା ସହ ଦେଶ ଦୁନିଆ ବିଷୟରେ ଜାଣିବା ପାଇଁ ଆଗ୍ରହୀ କରାଇବ । ଏହି ଅଞ୍ଚଳରେ ଶିକ୍ଷାର ବାତାବରଣକୁ ବଢାଇବା ପାଇଁ ଅଧିକ ଯୋଜନା କରିବା ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିଥିଲେ ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଆମ ଡବଲ ଇଞ୍ଜିନ ସରକାରରେ ଆସନ୍ତା ୫ ବର୍ଷ ମଧ୍ୟରେ ପିଲାଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ବଢାଇବା ପାଇଁ ସରକାରୀ ବିଦ୍ୟାଳୟଗୁଡ଼ିକରେ ୫୦,୦୦୦ ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ହୋଇଛି । ସେହିପରି ରାଜ୍ୟରେ ୬୭୯୪ ଗ୍ରାମ ପଞ୍ଚାୟତରେ ଗୋଟିଏ ଗୋଟିଏ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା କରିବା ପାଇଁ ଡବଲ ଇଞ୍ଜିନ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ଡ୍ରପ ଆଉଟ୍ ହାର କମାଇବା ପାଇଁ ରାଜ୍ୟ ସରକାର ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି, ଯାହା ପ୍ରଶଂସନୀୟ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ ।