ପ୍ରମୂଖ ଖବର
  • ସେପ୍ଟେମ୍ବର ୩୦ରୁ ମହିଳା ଦିନିକିଆ ବିଶ୍ୱକପ୍, ଭାରତ-ଶ୍ରୀଲଙ୍କା କରିବେ ଆୟୋଜନ
  • ||
  • କଟକ: ରାଜ୍ୟ ଖାଉଟି କମିଶନ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ, ସ୍ନାନପୂର୍ଣ୍ଣିମା ଏବଂ ରଥଯାତ୍ରୀ ନୀତି ନିର୍ଘଣ୍ଟ ନେଇ ବାଜିପାରେ ମୋହର
  • ||
  • ନବରଙ୍ଗପୁର: ପାଇଖାନା ଟାଙ୍କି ସଫା ବେଳେ ଅଘଟଣ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଶ୍ରମିକଙ୍କ ଜୀବନ
  • ||
  • ଶଙ୍ଖ ଭବନରେ ବିଜେଡିର ବଡ଼ ବୈଠକ, ସରକାର ବର୍ଷେ ପୂର୍ତ୍ତି ଉତ୍ସବ ସହ ବିଭିନ୍ନ ପ୍ରସଙ୍ଗ ନେଇ ଚାଲିଛି ଆଲୋଚନା
  • ||
  • ଖରାପ ପାଗ ଏବଂ ଚିକୁନଗୁନିଆ ସଂକ୍ରମଣ ଯୋଗୁଁ ମହିଳା ଏସିଆ କପ୍‌ ସ୍ଥଗିତ
  • ||
  • ବିଶ୍ୱ ସାଇକେଲ ଦିବସ; ପେଁ ପାଁରେ ହଜିନି କ୍ରିଂ କ୍ରିଂ କ୍ରିଂ...ଫିଟନେସ୍‌ ପାଇଁ ପାଲଟିଛି ପ୍ରଥମ ପସନ୍ଦ
  • ||
  • ଛେଣ୍ଡିପଦା: ବିପଦରେ ଗଜରାଜ, ସୋଲାର କରେଣ୍ଟରେ ହାତୀ ମୃତ
  • ||
  • ଚନ୍ଦନେଶ୍ଵର: ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ୨ ଗିରଫ
  • ||
  • ବାଙ୍କୀ: ବାଲି ବୋଝେଇ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ, ରାସ୍ତାରୋକ କଲେ ଗ୍ରାମବାସୀ
  • ||
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ମହିଳା ସଶକ୍ତିକରଣ ଏବଂ ଦୃଢ଼ ନେତୃତ୍ୱର ଏକ ପ୍ରତୀକ ରାଣୀ ଅହଲ୍ୟାବାଈ ହୋଲକର

Published By : Prameya | May 31, 2025 2:18 PM

ପୁରୁଷପ୍ରାଧାନ୍ୟ ଭାରତୀୟ ସମାଜରେ  ଯେଉଁ କେତେଜଣ ବୀରାଙ୍ଗନା ସାମାଜିକ  ଶୃଙ୍ଖଳକୁ ଛିନ୍ନ କରି ନିଜର ଧୀଶକ୍ତି ଓ ସାମର୍ଥ୍ୟ  ବଳରେ ଭାରତର ରାଜନୈତିକ ଇତିହାସରେ  ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି ସେମାନଙ୍କ  ମଧ୍ୟରୁ ଅହଲ୍ୟାବାଈ ହୋଲକର ଅନ୍ୟତମ । ଘଟଣାବହୁଳ ଅଷ୍ଟାଦଶ ଶତାବ୍ଦୀରେ ଇନ୍ଦୋରର  ହୋଲକର ରାଜବଂଶର ରାଣୀ ଭାବେ ତାଙ୍କର  ଶକ୍ତିଶାଳୀ ନେତୃତ୍ୱ ସମାଜରେ ମହିଳାମାନଙ୍କର  ସାମର୍ଥ୍ୟ ଓ ପରାକାଷ୍ଠାକୁ ପ୍ରମାଣିତ କରିବା ସଙ୍ଗେ  ସଙ୍ଗେ ତାଙ୍କୁ ସମଗ୍ର ନାରୀଜାତିର ଆଦର୍ଶ ରୂପେ  ପ୍ରମାଣିତ କରିପାରିଛି। ଏହି ମହୀୟସୀ ମହିଳାଙ୍କ  ପିତା ମାଣକୋଜୀ ସିନେ୍ଧ ଓ ମାତା ସୁଶୀଳା ଦେବୀଙ୍କ  ଔରସରୁ ତୃତୀୟ ସନ୍ତାନ ଭାବେ ୧୭୨୫ ମସିହା  ମେ ୩୧ ତାରିଖରେ ଅହମ୍ମଦନଗର ଚାଣ୍ଡୀ ଗ୍ରାମରେ  ଜନ୍ମଗ୍ରହଣ କରିଥିଲେ ।

 

ପିଲାଟି ଦିନରୁ ମହାରାଣୀ ଶିବଭକ୍ତ ଥିଲେ ।  ତାଙ୍କର ଶିବଭକ୍ତି ଓ ବିନମ୍ରତାକୁ ଉପଲବ୍ଧି କରି  ମାଲବାର ସୁବେଦାର ମହ୍ଲାର ରାଓ ତାଙ୍କୁ ମାତ୍ର ୧୨ବର୍ଷ ବୟସରେ ସୁବେଦାର ରାଜବଂଶର  ବୋହୂଭାବେ ସ୍ୱୀକାର କରିଥିଲେ । ପତି  ଖାଣ୍ଡେରାଓଙ୍କର ଅନୁମତି ନେଇ ଅହଲ୍ୟାବାଈ ରାଜପରିବାରର ସମସ୍ତ ପରମ୍ପରା ଓ ଯୁଦ୍ଧବିଦ୍ୟା  ଗ୍ରହଣ ସହିତ ଶାସନ ଓ ପ୍ରଶାସନ ସମ୍ବନ୍ଧରେ  ଅବଗତ ହୋଇଥିଲେ । 

୧୭୪୫ ମସିହାରେ ସେ ଏକ ପୁତ୍ରସନ୍ତାନ  ଓ ୧୭୪୮ ମସିହାରେ ଏକ କନ୍ୟାସନ୍ତାନ ଲାଭ  କରିଥିଲେ । ସେମାନଙ୍କ ନାମ ଯଥାକ୍ରମେ ମାଲେ  ରାଓ ଓ ମୁକ୍ତା ରଖାଯାଇଥିଲା । ୧୭୫୪ରେ ସ୍ୱାମୀ  ଖାଣ୍ଡେରାଓ ରାଜସ୍ଥାନର କୁମ୍ବେରି ଯୁଦ୍ଧରେ ମୃତ୍ୟୁ  ଓ ତା’ପରେ ଶଶୁର ମହ୍ଲାର ରାଓଙ୍କ ଦେହାନ୍ତ ଏବଂ  ମାତ୍ର ୨୨ବର୍ଷ ବୟସରେ ପୁତ୍ର ମାଲେ ରାଓଙ୍କ ମୃତ୍ୟୁ  ଅହଲ୍ୟାବାଈଙ୍କୁ ମାନସିକ ସ୍ତରରେ ଭାଙ୍ଗିଦେଇଥିଲେ  ମଧ୍ୟ, ଦୃଢ଼ମନା ମହାରାଣୀ ଏହି ଘଟଣା ପରେ  ପରେ ସମସ୍ତ କଷ୍ଟକୁ ନିଜ ଭିତରେ ଚାପିରଖି  ନିରନ୍ତର ଭାବେ ୨୮ବର୍ଷ ସଫଳତାର ସହ ରାଜ୍ୟ ଶାସନ କରିଥିଲେ । ଜଣେ ସାଧାରଣ ସନ୍ଥଙ୍କ ପରି  ଜୀବନଯାପନ କରି ପ୍ରତ୍ୟେକ ଦିନ ଶିବ ଅର୍ଚ୍ଚନା ସହ  ଗୋ-ଶାଳା ଦର୍ଶନ ଓ ଜନକଲ୍ୟାଣ କାର୍ଯ୍ୟରେ ନିଜକୁ  ନିୟୋଜିତ କରୁଥିଲେ । 

ଅହଲ୍ୟାବାଈ ଜଣେ ଦୃଢ଼ ପ୍ରଶାସିକା ଥିଲେ ।  ଶାସନ କାର୍ଯ୍ୟକୁ ସହଜ ଓ ସରଳ କରିବା ପାଇଁ  ସେ ସମଗ୍ର ରାଜ୍ୟକୁ ୧୩ଟି ଦରବାରରେ ବିଭକ୍ତ  କରି ପ୍ରତ୍ୟେକ ୧୦ କୋଶରେ ଗୋଟିଏ ଗୋଟିଏ  ଶିବିର ନିର୍ମାଣ କରିଥିଲେ । ସେଠାରେ ଜଣେ  ଲେଖାଏଁ "ସନ୍ଦେହ ବାହକ'ଙ୍କୁ ନିୟାଜିତ କରିଥିଲେ । ଏହାଦ୍ୱାରା ରାଜ୍ୟର କୋଣ ଅନୁକୋଣରୁ ସମସ୍ତ  ଖବର/ସମସ୍ୟା ବିଷୟରେ ଅବଗତ ହୋଇ ସେ  ତାହାର ତୁରନ୍ତ ସମାଧାନ କରିପାରୁଥିଲେ । ପୁନଶ୍ଚ  ସେ ସମଗ୍ର ରାଜ୍ୟକୁ ଜିଲ୍ଲା ଓ ତହସିଲରେ ଭାଗ କରି  ନ୍ୟାୟର ଶେଷ ଅପିଲ ନିଜେ ଶୁଣୁଥିଲେ । ସମାଜିକ ଭିତ୍ତିଭୂମିର ଉନ୍ନୟନ ସୁପ୍ରଶାସନର  ଏକ ବୈଶିଷ୍ଟ୍ୟ ତଥା ଅର୍ଥନୈତିକ ଅଗ୍ରସରର  ସହାୟକ ବୋଲି ବିବେଚନା କରି ରାଣୀ ଅହଲ୍ୟାବାଈ  ନିଜ ରାଜତ୍ୱ ସମୟରେ ଅନେକ ସଡ଼କ, ସାର୍ବଜନୀନ  ସଦନ ଓ ଧର୍ମଶାଳା ନିର୍ମାଣ କରିଥିଲେ । ରାଜ୍ୟର  ଅପହଞ୍ଚ ଇଲାକାଗୁଡ଼ିକୁ ସଡ଼କ ଜରିଆରେ ସଂଯୋଗ  କରି ପ୍ରଜାମାନଙ୍କର ଗମନାଗମନର ସୁବିଧା ସମେତ  ଆନ୍ତଃରାଜ୍ୟ ବାଣିଜ୍ୟକୁ ସୁଦୃଢ଼ କରିବାରେ ସେ  ସକ୍ଷମ ହୋଇପାରିଥିଲେ । 

ସଡ଼କ ପରିବହନ  ଜରିଆରେ ବିଭିନ୍ନ ଅଞ୍ଚଳରେ ବାସକରୁଥିବା ଲୋକଙ୍କୁ  ସଂଯୋଗ କରି ଗୋଷ୍ଠୀଭାବନା ଉଦ୍ରେକ ନିମନ୍ତେ ଏକ  ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସେ ସକ୍ଷମ  ହୋଇପାରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କଦ୍ୱାରା  ନିର୍ମିତ ସ୍ଥାୟୀ ଭିତ୍ତିଭୂମିଗୁଡ଼ିକୁ ସଂଯୁକ୍ତ ରାଷ୍ଟ୍ର  ସ୍ଥାୟୀ ବିକାଶ ଲକ୍ଷ୍ୟ (United Nations Sustainable Development Goals) ପ୍ରଶଂସା କରିଥିଲେ । ସମାଜର ଅବହେଳିତ ବର୍ଗର ବିକାଶ  ଅହଲ୍ୟାବାଈଙ୍କ ପ୍ରଶାସନର ଅନ୍ୟ ଏକ ପ୍ରମୁଖ  ଉପାଦାନ ଥିଲା । ବିଭିନ୍ନ ଯୋଜନା ମାଧ୍ୟମରେ ସେ  ସେମାନଙ୍କୁ ଆର୍ଥିକ ସହାୟତା, ଆଶ୍ରୟ ଓ ଧନ୍ଦାମୂଳକ  ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସେମାନଙ୍କୁ ସ୍ୱାବଲମ୍ବୀ  କରି ମର୍ଯ୍ୟାଦା ସହ ବଞ୍ଚିବା ପାଇଁ ପ୍ରାଧାନ୍ୟ  ଦେଉଥିଲେ । ଏ କ୍ଷେତ୍ରରେ ତାଙ୍କ ରାଜ୍ୟରେ  ବାସକରୁଥିବା "ଭିଲ' ଆଦିବାସୀ ସଂପ୍ରଦାୟର  ଲୋକମାନଙ୍କର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସେ  ନେଇଥିବା ପଦକ୍ଷେପଗୁଡ଼ିକ ପରବର୍ତ୍ତୀ ସମୟରେ  ପ୍ରଶାସନ ନିମନ୍ତେ ଉଦାହରଣ ପାଲଟି ଯାଇଥିଲା ।  ପାରମ୍ପରିକ ହସ୍ତଶିଳ୍ପକୁ ପୁନରୁଦ୍ଧାର କରିବାପାଇଁ  ବଳିଷ୍ଠ ପଦକ୍ଷେପମାନ ଗ୍ରହଣ କରିଥିଲେ । ନିପୁଣ  ଓ ସୂକ୍ଷ୍ମ କଳାକୃତି ପାଇଁ ପ୍ରସିଦ୍ଧି ଲାଭ କରିଥିବା  ମାହେଶ୍ୱରୀ ଶାଢ଼ିର ବୁଣାଳିମାନଙ୍କୁ ସେ ଆର୍ଥିକ  ସହାୟତା ଯୋଗାଇଦେବା ସଙ୍ଗେ ସଙ୍ଗେ ଏହି  ଶାଢ଼ିର ବିପଣନ ନିମନ୍ତେ ପଦକ୍ଷେପ ନେଇଥିଲେ । 

ସାମାଜିକ ସଶକ୍ତିକରଣରେ ଶିକ୍ଷାର ଭୂମିକା  ଅନିବାର୍ଯ୍ୟ ଭାବି ସେ ନିଜ ରାଜ୍ୟର କୋଣ  ଅନୁକୋଣରେ ଅନେକ ବିଦ୍ୟାଳୟ ଓ ଶିକ୍ଷାୟତନ ପ୍ରତିଷ୍ଠା କରିଥିଲେ । ଗୁରୁକୁଳ ବ୍ୟବସ୍ଥାକୁ  ପ୍ରୋତ୍ସାହିତ କରିବା ସହ ସମାଜର ବିକାଶରେ  ନାରୀ ଶିକ୍ଷାର ଗୁରୁତ୍ୱକୁ ଉପଲବ୍ଧି କରି ଏ କ୍ଷେତ୍ରରେ ପ୍ରଚଳିତ ସାମାଜିକ ପ୍ରତିବନ୍ଧକ ସତ୍ତେ୍ୱ ସେମାନଙ୍କୁ  ଶିକ୍ଷା ପ୍ରଦାନର ବ୍ୟବସ୍ଥା କରିଥିଲେ । ତାଙ୍କ ରାଜତ୍ୱ  କାଳରେ ମହିଳାମାନେ ପ୍ରଶାସନରେ ଗୁରୁତ୍ୱପୂର୍ଣ୍ଣ  ପଦବି ଅଧିକାର କରିବା ସଙ୍ଗେ ସଙ୍ଗେ ନିଷ୍ପତ୍ତି  ଗ୍ରହଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରୁଥିଲେ ।  ସୁପ୍ରଶାସନ ନିମନ୍ତେ ସାର୍ବଜନୀନ ସ୍ୱାସ୍ଥ୍ୟସେବା  ନିତାନ୍ତ ଆବଶ୍ୟକ ଭାବି ସେ ଅନେକ ସ୍ୱାସ୍ଥ୍ୟକେନ୍ଦ୍ର  ପ୍ରତିଷ୍ଠା କରିଥିଲେ ଏବଂ ଶାରୀରିକ ସୁସ୍ଥତା ଓ ପରିମଳ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେଉଥିଲେ । 

ରାଣୀ ଅହଲ୍ୟାବାଈଙ୍କ ନେତୃତ୍ୱର ଏକ  ପ୍ରମୁଖ ଦିଗ ଥିଲା ସାମାଜିକ ନ୍ୟାୟ ଏବଂ ଧାର୍ମିକ  ସଂସ୍କାର ପ୍ରତି ତାଙ୍କର ପ୍ରତିବଦ୍ଧତା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ପ୍ରଜା ରାଣୀଙ୍କ ଦ୍ୱାରା  ପ୍ରସ୍ତୁତ ସମସ୍ତ ସାମାଜିକ ଭିତ୍ତିଭୂମିକୁ ଉପଯୋଗ  କରିପାରୁଥିଲେ । ହିନ୍ଦୁ ଧର୍ମର ଐତିହ୍ୟ ଓ ହିନ୍ଦୁ  ଧର୍ମାବଲମ୍ବୀଙ୍କ ଧାର୍ମିକ ଭାବନାକୁ ସମ୍ମାନ ଜଣାଇ ସେ  ଶହେରୁ ଊଦ୍ଧ୍ୱର୍ ମନ୍ଦିରକୁ ପୁନଃନିର୍ମାଣ କରିଥିଲେ ।  ପ୍ରସିଦ୍ଧ ସୋମନାଥ ମନ୍ଦିର ସହିତ ଅନେକ  ଧାର୍ମିକସ୍ଥଳୀ ଯଥା- କାଶୀ ବିଶ୍ୱନାଥ, ଅଯୋଧ୍ୟା,  ବୃନ୍ଦାବନ ଆଦିର ପୁନରୁଦ୍ଧାର ପାଇଁ ସେ ଆର୍ଥିକ  ସହାୟତା ଯୋଗାଇ ଦେଇଥିଲେ । ପୁରୀଠାରେ  ଗୋଟିଏ ମନ୍ଦିର, ଆଶ୍ରମ ଓ ଉଦ୍ୟାନ ନିର୍ମାଣ  କରି ଓଡ଼ିଶା ସହ ତାଙ୍କର ସୁସମ୍ପର୍କକୁ ପ୍ରମାଣିତ  କରିଥିଲେ । ତାଙ୍କ ସମୟରେ ପ୍ରଚଳିତ ମୁଦ୍ରାରେ  ଶିବଲିଙ୍ଗ ଓ ବେଲପତ୍ର ଅଙ୍କିତ ହେବା ସହ ନନ୍ଦୀ  ଚିତ୍ର ଶୋଭା ପାଉଥିଲା । ସମସ୍ତ ପତ୍ରାଳାପରେ ସେ  ନିଜର ସ୍ୱାକ୍ଷର ନିମିତ୍ତ ଉଦ୍ଦିଷ୍ଟ ସ୍ଥାନରେ ଶ୍ରୀଶଙ୍କର  ଲେଖୁଥିଲେ । ଏହା ତାଙ୍କ ଶିବଭକ୍ତି ଓ ଉପାସନାର  ପରିଚୟ ପ୍ରଦାନ କରେ ।  

ସଂସ୍କୃତ ବିଦ୍ୱାନ କୁଶଳୀରମ ଓ ମରାଠୀ କବି  ମୋରୋପାଣି ଓ ଅନନ୍ତ ଫାଡିଙ୍କୁ ସହାୟତା ପ୍ରଦାନ  କରି ସେ କଳା ଓ ସାହିତ୍ୟର ଜଣେ ବଳିଷ୍ଠ ପୂଜାରୀ  ବୋଲି ନିଜକୁ ପ୍ରତିପାଦିତ କରିପାରିଥିଲେ ।  ପ୍ରଚଳିତ ଉର୍ଦ୍ଦୁ ଓ ପାର୍ସି ଭାଷା ସ୍ଥାନରେ ସେ ସଂସ୍କୃତ,  ମାଲବୀ ଓ ଖଡି ଭାଷା ପ୍ରଚଳନ କରିଥିଲେ ।  

ରାଣୀ ଅହଲ୍ୟାବାଈ ହୋଲକରଙ୍କ  ନେତୃତ୍ୱଶୈଳୀ ଥିଲା ଜ୍ଞାନ, ସାହସ ଏବଂ  ସର୍ବସାଧାରଣଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧତା ।  ସାମାଜିକ ସ୍ଥିତି କିମ୍ବା ଲିଙ୍ଗ ନିର୍ବିଶେଷରେ  ନ୍ୟାୟପୂର୍ଣ୍ଣ ଶାସନ କରିବା, ନ୍ୟାୟକୁ ବଜାୟ  ରଖିବା ଏବଂ ନାଗରିକମାନଙ୍କର କଲ୍ୟାଣକୁ  ପ୍ରାଥମିକତା ଦେବାରେ ତାଙ୍କର ଦକ୍ଷତା ତାଙ୍କୁ  ମହିଳା ସଶକ୍ତିକରଣର ପ୍ରକୃତ ପ୍ରତୀକ ଭାବେ  ଅଭିହିତ କରେ । ସେ ତତ୍କାଳୀନ ସତୀପ୍ରଥାକୁ  ନାପସନ୍ଦ କରିବା ସଙ୍ଗେ ସଙ୍ଗେ ଯୌତୁକ ପ୍ରଥାକୁ  ଅପରାଧ ବୋଲି ଘୋଷଣା କରିଥିଲେ । ସମଗ୍ର  ଦେଶରେ ଆନ୍ତଃରାଜ୍ୟ ବିବାହକୁ ସମର୍ଥନ ଜଣାଇ  ସେ ବିଧବାମାନଙ୍କୁ ଉତ୍ତରାଧିକାରୀ ସୂତ୍ରରେ ସମ୍ପତ୍ତି  ହାସଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।  

କ୍ଷମତା, ଧନ ଓ ବୈଭବ ପ୍ରତି ନିଜର ଆସକ୍ତି  ତୁଟାଇ ଏହାକୁ ଈଶ୍ୱରଙ୍କ ଦାନ ବୋଲି ମନେକରି  ନିଜକୁ ରାଜ୍ୟର ପ୍ରତ୍ୟେକ କାର୍ଯ୍ୟପାଇଁ ଉତ୍ତରଦାୟୀ  ଭାବି ସେ ଛତ୍ରପତି ଶିବାଜୀଙ୍କର ପଦାନୁସରଣ କରୁଥିଲେ । ଭାରତ ଇତିହାସରେ ନିଜର ରାଜନୀତି  ଓ ରଣନୀତି ଉତ୍ତମ ଭାବେ ପରିପ୍ରକାଶ ଓ  ପ୍ରତିପାଦନ କରି ସେ ପ୍ରକୃତରେ "ରାଷ୍ଟ୍ରମାତା'ର  ପଦବି ଧାରଣ କରିଛନ୍ତି । ଅଧୁନା ବିଶ୍ୱରେ ଲିଙ୍ଗଗତ  ସମାନତା ଏବଂ ମହିଳା ସଶକ୍ତିକରଣ ଏକ ନିରନ୍ତର  ସଂଘର୍ଷ ହୋଇଥିବାରୁ ରାଣୀ ଅହଲ୍ୟାବାଈଙ୍କ  କାହାଣୀ ଏକ ଉଜ୍ଜ୍ୱଳ ଉଦାହରଣ ଭାବରେ  ଗ୍ରହଣ କରାଯାଇପାରେ । ତାଙ୍କ କାହାଣୀ କେବଳ  ଇତିହାସର ଏକ ଅଧ୍ୟାୟ ନୁହେଁ, ଏହା ଭବିଷ୍ୟତ  ପ୍ରଶାସନ ପାଇଁ ଏକ ଆଲୋକବର୍ତ୍ତିକା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.