ପାକିସ୍ତାନ ଜାଣିବା ଉଚିତ ଯେ ଏହି ଅପରେସନ ସିନ୍ଦୂର ସହିତ କୌଣସି ପ୍ରାୟୋଜିତ ଓ ନିୟନ୍ତ୍ରିତ ଖବର ପରିବେଷଣ ଦ୍ୱାରା ନିଜ ନାଗରିକମାନଙ୍କୁ ଭ୍ରମିତ କରି ନିଜ ଦେଶର ମିଥ୍ୟା ପ୍ରତିଚ୍ଛବି ତିଆରି କରିବାର ଯୁଗ ଶେଷ ହୋଇଛି ।
ଯେତେବେଳେ ଖବର ମିଳିଲା ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ନ୍ୟାୟ ଦେବାପାଇଁ ମେ’ ୭ ତାରିଖରେ ଭାରତୀୟ ସଶସ୍ତ୍ର ବାହିନୀ "ଅପରେସନ୍ ସିନ୍ଦୂର' ଆରମ୍ଭ କରି ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ୯ଟି ଆତଙ୍କବାଦୀ ଆଡ୍ଡାର ଭିତ୍ତିଭୂମି ଉପରେ ଏକ ଦ୍ରୁତ ଏବଂ ନିର୍ଣ୍ଣାୟକ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, ସାରା ଭାରତର ଜନସାଧାରଣ ଆନନ୍ଦ ଉଲ୍ଲାସରେ ନାଚି ଉଠିଥିଲେ ଏବଂ ପରବର୍ତ୍ତୀ ତିନିଦିନ ଯାଏ କେହି ଶୋଇ ପାରିନଥିଲେ । ପରିବାରର ଛୋଟ ବଡ଼ ସମସ୍ତେ ଟିଭି ଖୋଲି ବସି ପଡ଼ିଥିଲେ ରାତିସାରା, କେବଳ ଗୋଟିଏ ଦୁଇଟା ନୁହେଁ, ପ୍ରାୟ ସମସ୍ତ ଟିଭି ଚ୍ୟାନେଲ ଗୁଡ଼େଇ ତୁଡ଼େଇ ଦେଖୁଥିଲେ । ସବୁ ଚ୍ୟାନେଲ ସେହି ଗୋଟିଏ ଭାଷାରେ କଥା ହେଉଥିଲେ । ରାତିସାରା ଫୋନ୍ ବାଜୁଥିଲା, ଆମ ସଶସ୍ତ୍ର ବାହିନୀର ପରାକ୍ରମର ଖୁସି ବାଣ୍ଟୁଥିଲେ ଜଣେ ଅନ୍ୟ ଜଣଙ୍କ ସହିତ ।
ଆଶ୍ଚର୍ଯ୍ୟ ଲାଗିଥିଲା ଯେ, ଦଳମତ ନିର୍ବିଶେଷରେ ସମସ୍ତେ ସବୁ ଚ୍ୟାନେଲର ଖବରକୁ ମନଭରି ଉପଭୋଗ କରୁଥିଲେ, କାହାରି ମନରେ ଅବିଶ୍ୱାସର ପ୍ରଶ୍ନ ବି ଉଙ୍କିମାରୁନଥିଲା । ସେଦିନ କାହାରି ମୁଖରୁ ବାହାରିନଥିଲା କିଏ "ଗୋଦି' ମିଡିଆ, କିଏ "ଲୁଟିଏନ୍ସ ମିଡିଆ' କିମ୍ବା "ବିସକୁଟ ମିଡିଆ'! ଆମ ଯବାନମାନଙ୍କ ସହିତ ଗଣତନ୍ତ୍ରର ଗଣମାଧ୍ୟକୁ ମଧ୍ୟ ହୃଦୟରୁ ସାଲ୍ୟୁଟ୍ ମାରୁଥିଲେ, ଯବାନମାନଙ୍କ ଭଳି ଗଣମାଧ୍ୟମ ମଧ୍ୟ ରାତି ରାତି ଅନିଦ୍ରା ରହି ବର୍ଡର ନିକଟରୁ ଗୋଟି ଗୋଟି କରି ଖବର ପହଞ୍ଚାଉଥିବାରୁ କୃତଜ୍ଞତା ଜ୍ଞାପନ କରୁଥିଲେ ।
ଗଣତନ୍ତ୍ରରେ ଗଣମାଧ୍ୟମ ଖବର, ବିଶ୍ଳେଷଣ ଏବଂ ମନ୍ତବ୍ୟ ପ୍ରଦାନ କରେ । ବିଭିନ୍ନ ଦୃଷ୍ଟିକୋଣ ପ୍ରଦର୍ଶନ କରି ଗଣମାଧ୍ୟମ ଖୋଲା ଆଲୋଚନା ଏବଂ ବିତର୍କକୁ ଉତ୍ସାହିତ କରେ, ଯାହା ନାଗରିକମାନଙ୍କୁ ବିଭିନ୍ନ ଦୃଷ୍ଟିକୋଣ ସହିତ ଜଡ଼ିତ ହେବାକୁ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସାହାଯ୍ୟ କରେ । ଏହା ମଧ୍ୟ ଏକ ପ୍ରହରୀ ଭାବରେ କାର୍ଯ୍ୟ କରେ, ଭୁଲ୍ କାମର ତଦନ୍ତ ଏବଂ ପର୍ଦ୍ଦାଫାସ କରେ, କ୍ଷମତାକେନ୍ଦ୍ରର ଉତ୍ତରଦାୟିତ୍ୱକୁ ଲୋକଲୋଚନକୁ ଆଣିବା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ଗ୍ରହଣ କରିଥାଏ । ଜନମତ ଗଠନ ଏବଂ ରାଜନୈତିକ ଆଲୋଚନାକୁ ପ୍ରଭାବିତ କରିବାରେ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ, ଯାହା ଏହାକୁ ସ୍ୱାଧୀନ ଏବଂ ନୈତିକ ଭାବରେ କାର୍ଯ୍ୟ କରିବା ଜରୁରି କରିଥାଏ । ତେଣୁ ଭାରତର ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭର ଆଖ୍ୟା ଦିଆଯାଇଛି ।
ଭାରତୀୟ ଗଣତନ୍ତ୍ରରେ ଗଣମାଧ୍ୟମ ପାଇଁ ଏକ ଆଇନଗତ ଢାଞ୍ଚା ମଧ୍ୟ ରହିଛି ଯଥା: ସମ୍ୱିଧାନର ଧାରା-୧୯(୨) ଜାତୀୟ ସୁରକ୍ଷା, ସାର୍ବଜନୀନ ଶୃଙ୍ଖଳା, ନୈତିକତା ଇତ୍ୟାଦି ସ୍ୱାର୍ଥରେ ବାକ୍ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଯୁକ୍ତିଯୁକ୍ତ ପ୍ରତିବନ୍ଧକ ପାଇଁ ଅନୁମତି ଦେଇଥାଏ । ସେହିପରି ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ୨୦୦୦ ଧାରା-୬୯କ, ସରକାରଙ୍କୁ ସାର୍ବଜନୀନ ଶୃଙ୍ଖଳା କିମ୍ବା ଜାତୀୟ ସୁରକ୍ଷା ପାଇଁ କ୍ଷତିକାରକ ବିବେଚିତ ଅନଲାଇନ୍ ବିଷୟବସ୍ତୁକୁ ଅବରୋଧ କରିବାର କ୍ଷମତା ପ୍ରଦାନ କରେ । ସିନେମାଟୋଗ୍ରାଫ ଆଇନ ୧୯୫୨, ଚଳଚ୍ଚିତ୍ର ବିଷୟବସ୍ତୁ ଏବଂ ସମ୍ଭାବ୍ୟ ସେନ୍ସର ଚଳଚ୍ଚିତ୍ରଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ସ୍ଥାପନ କରାଯାଇଛି ।
ମୋଟ୍ ଉପରେ ଭାରତୀୟ ଗଣମାଧ୍ୟମର ପୂର୍ଣ୍ଣ ସ୍ୱାଧୀନତା ରହିଛି । କୌଣସି ଘଟଣାର ସତ୍ୟାସତ୍ୟ ଉପରେ ହୁଏତ କେହି ବୁଲେଇ ବଙ୍କେଇ ନିଜସ୍ୱ ମନ୍ତବ୍ୟ ଦେଇଥାନ୍ତି । କିନ୍ତୁ ଡାହା ମିଛ ତଥ୍ୟକୁ ପ୍ରଶ୍ରୟ ଦେବାର ପରିସର ହିଁ ନଥାଏ । ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ସଶସ୍ତ୍ର ବାହିନୀ, ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବାରୁ ସମସ୍ତ ସତ୍ୟାସତ୍ୟ ତଥ୍ୟ ସରକାରଙ୍କ ଦୃଷ୍ଟିକୁ ଆଣିଥାନ୍ତି ଏବଂ ସେଥିରୁ ବିଚ୍ୟୁତ ହେଲେ ଗଣମାଧ୍ୟମର ଆକ୍ରମଣର ଶିକାର ବି ହୁଅନ୍ତି । ଉଦାହରଣ ସ୍ୱରୂପ, ଯଦି ପାକିସ୍ତାନ କହିବା ଅନୁସାରେ ପ୍ରକୃତରେ ଭାରତୀୟ ବାୟୁସେନାର ପାଞ୍ଚଟି ରାଫେଲ ଯୁଦ୍ଧବିମାନ ଧ୍ୱଂସ କରିଦେଇଥାଏ ଏବଂ ଯାହାକୁ ବାୟୁସେନା ଯଦି ଲୁଚାଉଥାଏ, ତେବେ ଗଣମାଧ୍ୟମ ସହିତ ବିଭିନ୍ନ ରାଜନୈତିକ ଦଳ ସଂଘର୍ଷ ପୂର୍ବରୁ ମହଜୁଦ ଥିବା ୩୬ଗୋଟି ରାଫେଲ ଯୁଦ୍ଧବିମାନର ଶାରୀରିକ ଭାବରେ ଗଣତି ଆରମ୍ଭ କରି କେବେଠାରୁ ହଲ୍ଲା ମଚାଇ ସାରନ୍ତେଣି ।
କିନ୍ତୁ ପାକିସ୍ତାନ ଦାବି କରିଛି ଯେ, ଏହାର କ୍ଷେପଣାସ୍ତ୍ରଗୁଡ଼ିକ ପଞ୍ଜାବର ଆଦମପୁରରେ ଥିବା ବାୟୁସେନା ଘାଟିର ରନୱେରେ ଆଘାତ କରିଛି ଏବଂ ସେଠାରେ ଅବସ୍ଥିତ ରୁଷ ନିର୍ମିତ ଏସ୍୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀକୁ ନଷ୍ଟ କରିଦେଇଛି । କିନ୍ତୁ ଗଣମାଧ୍ୟମ ଜରିଆରେ ଦେଖିବାକୁ ମିଳିଲା ଯେ, ସେହି ଆଦମପୁରରେ ଥିବା ବାୟୁସେନା ଘାଟିରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସମୟରେ ଏସ୍୪୦୦ର କ୍ଷେପଣାସ୍ତ୍ର ଷ୍ଟାକ୍ ପୃଷ୍ଠଭୂମିରେ ଥିଲା । ସେହିପରି ଅପରେସନ ସିନ୍ଦୂର ଆରମ୍ଭର ପରବର୍ତ୍ତୀ ତିନି ଦିନ ଧରି ଗଣମାଧ୍ୟମ ଜରିଆରେ ଜନସାଧାରଣ ଯାହାସବୁ ଶୁଣି ଆସୁଥିଲେ, ୧୧ ମଇ ୨୦୨୫ "ଅପରେସନ୍ ସିନ୍ଦୂର’ ଉପରେ ଭାରତୀୟ ସେନା, ଭାରତୀୟ ନୌସେନା ଏବଂ ଭାରତୀୟ ବାୟୁସେନାର ମିଳିତ ପ୍ରେସ୍ ବ୍ରିଫିଙ୍ଗ୍ରେ ମଧ୍ୟ ସମାନ ଘଟଣା ବର୍ଣ୍ଣନା କରାଯାଇଥିଲା । କହିବାର ଅଭିପ୍ରାୟ ଏହା ଯେ ଗୋଟିଏ ଗଣତାନ୍ତ୍ରିକ ଦେଶରେ ତାହାର ସଶସ୍ତ୍ରବାହିନୀ ହେଉ କିମ୍ବା ଗଣମାଧ୍ୟମ, ଡାହା ମିଥ୍ୟାର ସାହାରା ନେଇ ଜନସାଧାରଣଙ୍କୁ ଭୁଆଁ ବୁଲେଇପାରିବେ ନାହିଁ । ଏହାହିଁ ହେଉଛି ଗଣତନ୍ତ୍ରର ଗଣମାଧ୍ୟମ ।
ଅନ୍ୟପକ୍ଷରେ ଗୋଟିଏ ମୁସଲମାନ ଦେଶ ପାକିସ୍ତାନର ଉଦାହରଣ ନିଆଯାଉ । ସେଠାରେ ନାମକୁ ମାତ୍ର ଗଣତନ୍ତ୍ର ବୋଲାଉଥିବା ସରକାର ପ୍ରକୃତରେ ସେଠିକାର ସାମରିକ ବାହିନୀ ଅଧୀନରେ କାର୍ଯ୍ୟ କରୁଛି ଏବଂ ସେଠାକାର ସାମରିକ ବାହିନୀ ପ୍ରକୃତରେ ଏକ ଆତଙ୍କବାଦୀ ସଂଗଠନ ଭଳି କାର୍ଯ୍ୟ କରୁଛି ଏବଂ ଜନସାଧାରଣଙ୍କୁ ଆଲ୍ହା ଓ କୋରାନର ଜିହାଦି ସଭ୍ୟତାର ପାଠ ପଢ଼ାଇ ଅନ୍ଧ କରି ରଖିଛି । ପ୍ରକୃତରେ ପାକିସ୍ତାନର ଗଣତନ୍ତ୍ର ସହିତ ଦୀର୍ଘଦିନ ଧରି ଏକ ଅଶାନ୍ତ ସମ୍ପର୍କ ରହିଛି । ନିର୍ବାଚିତ ସରକାରଗୁଡ଼ିକୁ ବରଖାସ୍ତ କରିବା ସହିତ ସାମରିକ ବାହିନୀ ନୂତନ ରାଜନୈତିକ ଅଭିନେତାଙ୍କୁ ସମର୍ଥନ କରିବା ଭଳି ବିଭିନ୍ନ ପ୍ରକାର "ନରମ ବିଦ୍ରୋହ’ ଆଚରଣରେ ନିୟୋଜିତ ହୋଇଛି । ପାକିସ୍ତାନ, ସାମରିକ ଆଧିପତ୍ୟବାଦୀ ଏବଂ ରାଜନୈତିକ ଦଳ ନେତୃତ୍ୱାଧୀନ ବେସାମରିକ ସରକାର ମଧ୍ୟରେ ଝୁଲନ୍ତା ଅବସ୍ଥାରେ ରହିଛି । ବିଭିନ୍ନ ସାମରିକ ବିଦ୍ରୋହରେ, ବେସାମରିକ ନେତୃତ୍ୱର ଦୁର୍ନୀତି ଏବଂ ଘୋର ଅପାରଗତା ଦର୍ଶାଇ ଦେଶରେ ଶୃଙ୍ଖଳା ଫେରାଇ ଆଣିବା ଆଳରେ ସଶସ୍ତ୍ର ବାହିନୀ ସରକାରଙ୍କଠାରୁ ନିୟନ୍ତ୍ରଣ ନିଜ ହାତକୁ ନେଇଯାଇଛି!
ତେଣୁ ସେଠାରେ ଗଣମାଧ୍ୟମର ଉତ୍ତରଦାୟିତ୍ୱ ଭାରତର ଗଣମାଧ୍ୟମଠାରୁ ସମ୍ପୂର୍ଣ୍ଣ ଭିନ୍ନ, ସେମାନେ ଜନସାଧାରଣଙ୍କ ପରିବର୍ତ୍ତେ ସେନାବାହିନୀ ନିକଟରେ ଉତ୍ତରଦାୟୀ । ସାମରିକ ନିୟନ୍ତ୍ରଣାଧୀନ ଦେଶ କିମ୍ବା କମ୍ୟୁନିଷ୍ଟ ଦେଶଗୁଡ଼ିକରେ ଗଣମାଧ୍ୟମର ଅବସ୍ଥା ପ୍ରାୟତଃ ସରକାରୀ ସେନ୍ସରସିପ୍ ଏବଂ ନିୟନ୍ତ୍ରଣ ଦ୍ୱାରା ବର୍ଣ୍ଣିତ ହୋଇଥାଏ, ଯାହାର ଲକ୍ଷ୍ୟ ପ୍ରାୟତଃ ସାମରିକ ଏବଂ ଏହାର ସ୍ୱାର୍ଥକୁ ସମର୍ଥନ କରୁଥିବା ଏକ ନିର୍ଦ୍ଦିଷ୍ଟ କାହାଣୀକୁ ପ୍ରୋତ୍ସାହିତ କରିବା । ଏହି ନିୟନ୍ତ୍ରଣ ବିଭିନ୍ନ ରୂପରେ ପ୍ରକାଶିତ ହୋଇପାରେ, ଯେପରିକି ସିଧାସଳଖ ସେନ୍ସରସିପ୍, ସାମ୍ବାଦିକଙ୍କୁ ଭୟଭୀତ କରିବା ଏବଂ ପ୍ରଚାର ପାଇଁ ରାଜ୍ୟ-ନିୟନ୍ତ୍ରିତ ଗଣମାଧ୍ୟମର ବ୍ୟବହାର କରିବା ।
ରାଷ୍ଟ୍ର-ନିୟନ୍ତ୍ରିତ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ପ୍ରଚାର ପ୍ରସାର କରିବା, ଜାତୀୟତାବାଦୀ କାହାଣୀକୁ ପ୍ରୋତ୍ସାହିତ କରିବା, ବିରୋଧୀଙ୍କୁ ଭୂତ ଦେଖାଇବା ଏବଂ ସାମରିକ କାର୍ଯ୍ୟାନୁଷ୍ଠାନକୁ ଯଥାର୍ଥ କରିବା ପାଇଁ ବ୍ୟବହାର କରାଯାଇପାରେ । ସରକାରଙ୍କ ଏଜେଣ୍ଡା ସହିତ ଅନୁପାଳନ ସୁନିଶ୍ଚିତ କରିବା ପାଇଁ ସାମ୍ବାଦିକ ଏବଂ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ଭୟଭୀତ କରିବା, ଧମକ ଦେବା ଏବଂ ଏପରିକି ହିଂସାର ଶିକାର ହେବାକୁ ପଡ଼ିପାରେ । ପାକିସ୍ତାନର ସେନାବାହିନୀ ବିରୁଦ୍ଧରେ ଜନତାଙ୍କ ସମ୍ଭାବିତ ବିଦ୍ରୋହ ଭୟରେ, ବିଭିନ୍ନ ଉପାୟରେ ଗଣମାଧ୍ୟମକୁ ପ୍ରଭାବିତ କରି ପ୍ରକୃତ ତଥ୍ୟ ତାର ନାଗରିକଙ୍କଠାରୁ ଦୂରେଇରଖିବା ସହିତ ମିଥ୍ୟା ପ୍ରଚାର କରି ନିଜର ବାହାବା ନେଇଥାଏ ।
ସାରା ପୃଥିବୀ ଭାରତର ପରାକ୍ରମ ଦେଖୁଥିବାବେଳେ, ପାକିସ୍ତାନ ନିଜ ଗଣମାଧ୍ୟମ ଦ୍ୱାରା ମିଥ୍ୟା ପ୍ରଚାର କରି ଲୋକମାନଙ୍କୁ ଭ୍ରମିତ କରୁଥିଲା ଯେ ସେ ଭାରତର ପାଞ୍ଚଟି ବିମାନ ଯଥା- ତିନିଟି ରାଫେଲ ଯୁଦ୍ଧବିମାନ, ଗୋଟିଏ ଏମ୍ଆଇଜି-୨୯, ଗୋଟିଏ ଏସ୍ୟୁ-୩୦ ବିମାନ ଖସାଇ ଦେଇଛି । ଏମିତିକି ଆଉ ଏକ ମିଥ୍ୟା ପ୍ରଚାର କରିଥିଲା ଯେ, ଭାରତୀୟ ବାୟୁସେନାର ପ୍ରଥମ ମହିଳା ରାଫେଲ ପାଇଲଟ ଶିବାଙ୍ଗୀ ସିଂହଙ୍କୁ ପାକିସ୍ତାନ ନିଜ କବ୍ଜାକୁ ନେଇଯାଇଛି । ମେ’ ୧୦ ତାରିଖ ଶନିବାର ସକାଳେ ଦେଖିବାକୁ ମିଳିଥିଲା ଯେ, ପାକିସ୍ତାନ ସଶସ୍ତ୍ରବାହିନୀ ଯୁଦ୍ଧ ଜିତିଯାଇଥିବାରୁ ଲୋକମାନେ ସେନାର ବିଜୟ ଉତ୍ସବ ପାଳନ କରିଥିଲେ ।
ପ୍ରକୃତରେ ଭାରତର ସେନାବାହିନୀ ପାକିସ୍ତାନର ଘର ଭିତରେ ପଶି ନଅଟି ଆତଙ୍କବାଦୀ କେନ୍ଦ୍ର ଧ୍ୱଂସ କରିବା ସହିତ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିହତ କରିଥିଲେ ଏବଂ ପାକିସ୍ତାନର ଏକ ଡଜନରୁ ଅଧିକ ସାମରିକ ଘାଟି ଉପରେ ସଠିକ୍ ଆକ୍ରମଣ ଫଳରେ ପାକିସ୍ତାନ ବାୟୁସେନାର ପ୍ରାୟ ୨୦ ପ୍ରତିଶତ ଭିତ୍ତିଭୂମି ଏବଂ ଅନେକ ଲଢ଼ୁଆ ବିମାନ ଧ୍ୱଂସ ପାଇଗଲା । ଭାରତର ତିନି ସେନାର ଡିଜିଏମଓଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ଏସବୁର ପ୍ରମାଣ ଦେଖାଇ ସବୁ ତଥ୍ୟରେ ବ୍ୟାଖ୍ୟା କରିଥିଲେ ।
ଏହା ସତ୍ତେ୍ୱ ପାକିସ୍ତାନ ନିଜ ନାଗରିକ ମଧ୍ୟରେ ଲଜ୍ଜାଜନକ ଭାବରେ ମିଥ୍ୟା ପ୍ରଚାର କରି ମିଥ୍ୟା ବିଜୟ ଉତ୍ସବ ପାଳନର ପ୍ରବଞ୍ଚନା କରିଥିଲା । ପାକିସ୍ତାନ ଜାଣିବା ଉଚିତ ଯେ ଏହି ଅପରେସନ ସିନ୍ଦୂର ସହିତ କୌଣସି ପ୍ରାୟୋଜିତ ଓ ନିୟନ୍ତ୍ରିତ ଖବର ପରିବେଷଣ ଦ୍ୱାରା ନିଜ ନାଗରିକମାନଙ୍କୁ ଭ୍ରମିତ କରି ନିଜ ଦେଶର ମିଥ୍ୟା ପ୍ରତିଚ୍ଛବି ତିଆରି କରିବାର ଯୁଗ ଶେଷ ହୋଇଛି । ଆଜି ବିଜ୍ଞାନ, ଟେକ୍ନୋଲୋଜି, ଦକ୍ଷତା ଓ ସତ୍ୟ ପ୍ରତି ପ୍ରତିବଦ୍ଧତା ହିଁ ମିଥ୍ୟା ଖବର ପ୍ରଚାରର ପ୍ରୟାସକୁ ପ୍ରତିହତ କରିବାରେ ସମର୍ଥ ହୋଇପାରିଛି ।
ସେଦିନ ଭାରତର ତିନି ସେନାର ସାମରିକ ଅଭିଯାନର ମହାନିର୍ଦ୍ଦେଶକମାନେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉପଗ୍ରହ ପ୍ରତିଚ୍ଛବି ସହିତ ବିଜ୍ଞାନ ଓ ଟେକ୍ନୋଲୋଜି ବ୍ୟବହାର କରି ଯେଉଁଭଳି ଭାବରେ ଅପରେସନ ସିନ୍ଦୂରର ଆଶ୍ଚର୍ଯ୍ୟଜନକ ବିବରଣୀ ତଥା ସତ୍ୟ ଓ ତଥ୍ୟ ଉପସ୍ଥାପନ କରିଥିଲେ, ତାହାହିଁ ଗଣମାଧ୍ୟମ ନାମରେ ଅପପ୍ରଚାରର ଯୁଗ ଶେଷ ହୋଇଥିବାର ସର୍ବଶ୍ରେଷ୍ଠ ପ୍ରମାଣ । କେବଳ ଗଣତନ୍ତ୍ରରେ ହିଁ ଗଣମାଧ୍ୟମ ଭରସାଯୋଗ୍ୟ ।