ଢେଙ୍କାନାଳ,୦୨/୦୬: ଦୀର୍ଘ ୨୪ ବର୍ଷ ଶାସନ ପରେ ହାତରୁ କ୍ଷମତା ଯିବା ସହ ବିଜେଡ଼ିର ଖରାପ ସମୟ ଚାଲିଛି । ଦଳ ଛାଡୁଛନ୍ତି କର୍ମୀ । ତୃଣମୂଳ ସ୍ତରରେ ଧୀରେ ଧୀରେ ଭୁଶୁଡୁଛି ବିଜେଡ଼ି ଗଡ଼ । ବିଜେପିରେ ସାମିଲ ହୋଇଛନ୍ତି ଶତାଧିକ ବିଜେଡ଼ି କର୍ମୀ । ଢେଙ୍କାନାଳରେ ବିଜେପିରେ ସାମିଲ ହୋଇଛନ୍ତି ଶତାଧିକ ବିଜେଡି କର୍ମୀ । ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ସୋମବାର ମଧ୍ୟାହ୍ନରେ ଢେଙ୍କାନାଳ ବିଜେପି ତରଫରୁ ଏକ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି ।
ବରିଷ୍ଠ ବିଜେଡି ନେତା ତଥା ଦଳର ସଦର ବ୍ଲକ ପୂର୍ବତନ ସଭାପତି ବିଭୁ ପ୍ରସାଦ ଦେହୁରୀଙ୍କ ସହିତ ସଦର ଓ ଗଁଦିଆ ବ୍ଲକର ବିଜୁ ଜନତା ଦଳ ସମର୍ଥିତ ପଞ୍ଚାୟତ ସ୍ତରର ପ୍ରତିନିଧି, କାର୍ଯ୍ୟକର୍ତ୍ତା ମାନେ ବିଜେପିରେ ଯୋଗ ଦେଇଥିଲେ । ଏମାନଙ୍କ ସହିତ ୨୦୦ ଲୋକ ଅନ୍ୟ ଦଳରୁ ଆସି ବିଜେପିରେ ମିଶିଥିବା ଜଣାପଡ଼ିଛି। ମିଶ୍ରଣ ପୂର୍ବରୁ ନିଲମ୍ବନ
ବିଜେଡ଼ି ସଦର ବ୍ଲକ ପୂର୍ବତନ ସଭାପତି ବିଭୁ ପ୍ରସାଦଙ୍କୁ ବିଜେଡ଼ିରୁ ନିଲମ୍ବନ କରାଯାଇଥିଲା । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିବା ରାଜ୍ୟ ବିଜେଡ଼ି ଉପସଭାପତି ପ୍ରତାପ ଜେନା ପ୍ରେସ ବିବୃତିରେ ଜଣାଇଥିଲେ। ବିଭୁ ଦେହୁରୀ ବିଜେଡ଼ିରେ ଦୀର୍ଘ ଦିନ ଧରି ସକ୍ରିୟ ଥିଲେ । ତାଙ୍କ ପତ୍ନୀ ଝରସ୍ମିତା ଦେହୁରୀ ବିଜେଡ଼ି ଟିକେଟରେ କାଇମାଟି ଜୋନରୁ ଜିଲ୍ଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି । ସେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ ପାଇଁ ଆଶାୟୀ ରହିବା ସହ ନେତାଙ୍କ ନିକଟରେ ଦାବି କରି ଆସୁଥିଲେ । ଏଥିସହ ନେତାଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ଓ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମିଶ୍ରଣ ପର୍ବରେ ସାମିଲ ହୋଇଥିବା କହିଛନ୍ତି ବିଭୁ ପ୍ରସାଦ ଦେହୁରୀ ।
ଏହି ମିଶ୍ରଣ ପର୍ବରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା, ପୌରପରିଷଦର ଅଧ୍ୟକ୍ଷା ଜୟନ୍ତୀ ପାତ୍ର, ପୂର୍ବତନ ମନ୍ତୀ ନବୀନ ଚନ୍ଦ୍ର ନାରାୟଣ ଦାସ, ରାଜ୍ୟ ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ଅକ୍ଷୟ ମହାନ୍ତି ପ୍ରମୁଖଙ୍କ ଉପସ୍ଥିତ ଥିଲେ ।