ଦଶମନ୍ତପୁର, ୩/୬ : ଯେଉଁ ଜମିରେ ଚାଷ କଲେ ଦିନେ ୩ରୁ ୫ହଜାର ଟଙ୍କା ରୋଜଗାର ମିଳୁ ନ ଥିଲା ଉପସ୍ଥିତ ବୁଦ୍ଧି ଯୋଗୁଁ, ସେହି ଜମିରେ ଲକ୍ଷାଧିକ ଟଙ୍କା ରୋଜଗାର ମିଳୁଛି । ଆଉ ଆଗ ଭଳି ଘର ଚଳିବାରେ ବହୁତ କଷ୍ଟ କରିବାକୁ ପଡୁ ନହିଁ । ଏଭଳି ଜଣେ ଚାଷୀଙ୍କଠାରୁ ଦେଖିବାକୁ ମିଳିଛି। ସେ ହେଲେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ଖୋଜୁରୀଗୁଡା ଗାଁରେ ରହୁଥିବା ରବି ହିକକା, ପରିବାର କହିଲେ ସ୍ବାମୀ, ସ୍ତ୍ରୀ ଓ ୫ ସନ୍ତାନ। ଏଭଳି ୭କୁଟୁମ୍ବକୁ ନେଇ ହସ ଖୁସିର ସଂସାର।
ପ୍ରକାଶ ଯେ, ୩ ଝିଅ ଏବଂ ଗୋଟିଏ ପୁଅ, ବିବାହ କରି ଅନ୍ୟତ୍ର ଅଲଗା ରହୁଛନ୍ତି। ବର୍ତ୍ତମାନ ଶେଷ ଝିଅ ଓ ସ୍ବାମୀ ସ୍ତ୍ରୀ ମିଶି ଏକାଠି ରହୁଛନ୍ତି । ରବି କହିବା ଅନୁସାର, ତାଙ୍କ ସ୍ବଳ୍ପ ଜମି ରହିଛି । ପୂର୍ବରୁ ଧାନ, ମାଣ୍ଡିଆ ସୁଆ ଭଳି ବିଭିନ୍ନ ଚାଷ କାର୍ଯ୍ୟ କରୁଥିଲେ । ବର୍ଷ ତମାମ ବହୁ କଷ୍ଟ କରି ଚାଷ କଲେ ମଧ୍ୟ ୩ରୁ ୫ହଜାର ଟଙ୍କାର ଧାନ କି ମାଣ୍ଡିଆ ହେଉ ନ ଥିଲା। ବର୍ତ୍ତମାନ ସେହି ଜମିରେ ଆମ୍ବ ଚାଷ କରିବା ଦ୍ୱାରା ବର୍ଷକୁ ଲକ୍ଷାଧିକ ଟଙ୍କାର ରୋଜଗାର ମିଳି ପାରୁଛି ବୋଲି ଚାଷୀ ଜଣକ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ, ପ୍ରଥମେ ଡଙ୍ଗର ଧାନ ଚାଷ କରି ରୋଜଗାର ନ ହେବାରୁ ହତାଶ ହୋଇପଡ଼ିଥିଲେ। ଏହାପରେ କୃଷି ଉଦ୍ୟାନ ବିଭାଗର କର୍ମ ଚାଷୀମାନେ ରବି ହିକକାକୁ ପ୍ରଥମେ ସାକ୍ଷାତ କରିଥିଲେ । ତାଙ୍କ ଜମିରେ ଆମ୍ବ ଚାଷ କରିବା ଲାଗି ପରାମର୍ଶ ଦେଇଥିଲେ । ଏଥିରେ ଚାଷୀ ଜଣଙ୍କ ଆଗ୍ରହ ହୋଇଥିଲା। ଦୁଇ ଏକର ଜମିରେ ଆମ୍ବ ଚାରା ରୋପଣ କରି ମାତ୍ର ୩ବର୍ଷ ଅପେକ୍ଷା କରିଥିଲା । ଯେଉଁଠି ୩ହଜାର ଟଙ୍କା ରୋଜଗାର ମିଳୁ ନ ଥିଲା । ସେହି ଜମିରେ ଆମ୍ବ ଚାଷ ଯୋଗୁଁ ଲକ୍ଷାଧିକ ଟଙ୍କା ଆମ୍ବ ବିକ୍ରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା ଦେଖିବାକୁ ମିଳିଛି । ରବିଙ୍କ ଆମ୍ବ ବଗିଚାରେ ଆଖୁ ରଷଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସୁଆଦିଆ ଆମ୍ବ ରହିଥିବା ଜଣାପଡ଼ିଛି । ବିଭିନ୍ନ ବ୍ୟବସାୟୀମାନେ ଆସି ରବିଙ୍କଠାରୁ ଭଲ ଦର ଦେଇ ଆମ୍ବ କିଣି ନେଉଥିବା କୁହାଯାଇଛି ।