ଜୟପୁର,୫/୬ : ଆମ୍ବୁଲାନ୍ସ ଯିବାକୁ ରାସ୍ତା ନାହିଁ । ଭାରରେ ବୁହା ହେଲେ ଗର୍ଭବତୀ। ମେଡ଼ିକାଲ ପହଞ୍ଚିବା ପୂର୍ବରୁ ପାହାଡ଼ିଆ ରାସ୍ତାରେ ପ୍ରସବ। ସୁସ୍ଥ ଶିଶୁ ଜନ୍ମ ହେବା ପରେ ଘରକୁ ନେଇଯାଇଛନ୍ତି । ଏମିତି ଦେଖିବାକୁ ମିଳିଥିଲା ଜୟପୁର ବ୍ଲକ ରାନଡ଼ାପାଲୀ ପଞ୍ଚାୟତର କେଣ୍ଡୁଗୁଡ଼ା ଗାଁରେ। ଗ୍ରାମବାସୀଙ୍କ ସୂଚନା ଅନୁସାରେ ଆଜି ସକାଳେ କେଣ୍ଡୁଗୁଡ଼ାର ଗୁରିବାରିଁ ପରଜାଙ୍କ ପ୍ରସବ ବେଦନା ହୋଇଥିଲା ।
ପାହାଡିଆ ଗାଁକୁ ପକ୍କା ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସୁ ନାହିଁ । ଏଥିଲାଗି ଆଶାକର୍ମୀଙ୍କୁ ଖବର ଦେଇ ଭାରରେ ପାହାଡ଼ ତଳେ ଥିବା ବୈରାଗୀ ମଠ ପର୍ଯ୍ୟନ୍ତ ଭାରରେ ନେବାକୁ ପ୍ରସ୍ତୁତ ହୋଇଥିଲେ। ଭାରରେ ଦୁଇଟି ପାହାଡ଼ ଅତିକ୍ରମ କରିବା ପରେ ରାସ୍ତାରେ ପ୍ରସବ ବେଦନା ବଢିଥିଲା । ସାଥିରେ ଥିବା ମହିଳାମାନେ ଜଂଗଲୀ ରାସ୍ତାରେ ପ୍ରସବ କରାଇଥିଲେ । ଶିଶୁ ପୁତ୍ର ଓ ପ୍ରସୂତିଙ୍କ ସ୍ବାସ୍ଥ୍ୟ ଠିକ୍ ଥିବାରୁ ଭାରରେ ଘରକୁ ଫେରି ଯାଇଥିଲେ। ରାସ୍ତା ଲାଗି ବାରମ୍ବାର ଦାବି ହେଉଥିଲେ ମଧ୍ୟ ପ୍ରଶାସନ ପଦକ୍ଷେପ ନେଉ ନି ବୋଲି ଆଶା କର୍ମୀ ସ୍ୱର୍ଣ୍ଣଲତା ମାଦଳା କହିଛନ୍ତି । ମେଡ଼ିକାଲ ଆଣିବା ସମ୍ପର୍କରେ ଖବର ପାଇବା ପରେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରି ବୈରାଗୀ ମଠରେ ଅପେକ୍ଷା କରିଥିଲେ। ପ୍ରସବ ସ୍ଥାନରେ ମୋବାଇଲ ନେଟଓ୍ବାର୍କ ନ ଥିବାରୁ ସେମାନେ ତାଙ୍କ ସହ ଯୋଗାଯୋଗ କରିପାରି ନ ଥିଲେ । ଗାଁକୁ ଫେରିବା ପରେ ଏ ସମ୍ପର୍କରେ ସୂଚନା ଦେଇଥିଲେ ।