ପୁରୀ, ୬/୬ : ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଠାକୁରଙ୍କ ବାହୁଟ ସେବା ନିମନ୍ତେ ଆବଶ୍ୟକ ବଉଳକାଠ ଶୁକ୍ରବାର ପବିତ୍ର ନିର୍ଜଳା ଏକାଦଶୀ ତିଥିରେ ପରମ୍ପରା କ୍ରମେ ସାକ୍ଷୀଗୋପାଳରୁ ଶ୍ରକ୍ଷେତ୍ର ଅଭିମୁଖେ ଯାତ୍ରା କରିଛି। ଏହି ଉପଲକ୍ଷେ ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ଏକ ଅଧ୍ୟାତ୍ମିକ ଶୋଭାଯାତ୍ରା ସହ ବଉଳକାଠ ଶଗଡ଼ିକୁ ବକୁଳବନରୁ ସମାରୋହରେ ମେଲାଣି ଦିଆଯାଇଛି। ୮ ହାତ ଲମ୍ବ ୩ ଫୁଟ୍ ଗୋଲେଇର ବଉଳବୃକ୍ଷକୁ ଶ୍ରୀକ୍ଷେତ୍ରରୁ ଆସିଥିବା ବଳଦ ଶଗଡ଼ିରେ ବକୁଳବନସ୍ଥିତ ସିଦ୍ଧବକୁଳ ମନ୍ଦିରକୁ ଅଣାଯାଇଥିଲା। ଏହି ଉପଲକ୍ଷେ ଆୟୋଜିତ ସମାରୋହର ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧ୍ୟାୟକ ସବୁଜ ପତାକା ଦେଖାଇ ଆଧ୍ୟାତ୍ମିକ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।
ସମ୍ମାନୀତ ଅତିଥି ଭାବେ ସତ୍ୟବାଦୀ ତହସିଲଦାର ସନ୍ତୋଷ ପାଣିଗ୍ରାହୀ, ବିଡିଓ ଦେବାଶିଷ ନାୟକ, ଅତିରିକ୍ତ ତହସିଲଦାର ଓମ୍ ପ୍ରକାଶ ପରିଡ଼ା, ଆଇଆଇସି ବିଜୟ କେତନ ବେହେରା, ଭାରତ ବିକାଶ ପରିଷଦ ସଭାପତି ସତ୍ୟବାଦୀ ଦାସ, ଉତ୍ତର ପାର୍ଶ୍ୱ ମଠର ମଠାଧିସ ମହନ୍ତ ନାରାୟଣ ରାମାନୁଜ ଦାସ, ଶ୍ରୀମନ୍ଦିର ରଥ ନିର୍ମାଣ ତତ୍ୱାବଧାରକ ସୁଦର୍ଶନ ମେକାପ ଜୟପୁର ସମିତି ସଭ୍ୟ ଦିପକ ଶତପଥିଙ୍କ ଯୋଗ ଦେଇଥିଲେ। ଘଣ୍ଟ, ମର୍ଦ୍ଦଳ, ବିଜେ କାହାଳୀ, ହରିମାନ ସଂକୀର୍ତ୍ତନ, ଗଣେଶ ମେଢ଼ ଓ ବନାଟିସହ ଶ୍ରଦ୍ଧାଳୁମାନେ କାଠ ଶଗଡ଼ିକୁ ସାକ୍ଷୀଗୋପାଳ ବଜାର ପରିକ୍ରମା କରି ଆଧ୍ୟାତ୍ମିକ ଶୋଭାଯାତ୍ରକୁ ବ୍ଲକ୍ ଛକ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ଏହି ଅବସରରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା, +୨ ଓ ଆଇକନିକ ଆଦର୍ଶ ବିଦ୍ୟାଳୟର ମେଧାବୀ ଛାତ୍ରୀଛାତ୍ର, କବି, କଳାକାର, ସେବାୟତ ଓ ସହଯୋଗୀ ଅନୁଷ୍ଠାନ ସୁଧର୍ମା ମହାସଂଘ ଶ୍ରୀରାଧା ମଣ୍ଡଳ ସତ୍ୟବାଦୀ ଓ ଶ୍ରୀରାଧାରାଣୀ ସଂକୀର୍ତ୍ତନ ମଣ୍ଡଳୀ ଚାଷପଡ଼ା, ଭୋଇ ସର୍ଦ୍ଦାର ରବି ଭୋଇ, ଶଗଡ଼ିଆ ବାନାମ୍ବର ପ୍ରଧାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।
ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚର ସଂପାଦକ କିଶୋର ଚନ୍ଦ୍ର ମହାପାତ୍ର, ସହ ସଂପାଦକ ପ୍ରଶାନ୍ତ ବିଶ୍ୱାଳ, ସାଂସ୍କୃତିକ ସମ୍ପାଦକ ବଦ୍ରିନାରାୟଣ ଖୁଣ୍ଟିଆ, ଯଯାତି କେଶରୀ ରାୟ ପ୍ରମୁଖ ସଦସ୍ୟ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଇନଜିବୀ ଅଞ୍ଜନ ହୋତା ସଂଯୋଜନା କରିଥିଲେ। ସରପଞ୍ଚ ଚିନ୍ମୟ ରାଉତ, ରବିନ୍ଦ୍ରନାଥ ଷଡ଼ଙ୍ଗୀ, ଧୃବ ଚରଣ ଦାସ ଉପସ୍ଥିତ ରହି ସହଯୋଗ କରିଥିଲେ। ସାକ୍ଷୀଗୋପାଳ ମନ୍ଦିର ନିକଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ଚଳିତ ବର୍ଷ ଚିହ୍ନଟ କରାଯାଇଥିବା ବଉଳବୃକ୍ଷକୁ ପୂଜାର୍ଚ୍ଚନା କରାଯାଇ ନିର୍ଦ୍ଧାରିତ ମାପରେ କଟାଯାଇଥିଲା। ଶ୍ରୀମନ୍ଦିରର ପ୍ରଚଳିତ ପରମ୍ପରା କ୍ରମେ ସକାଳୁ ଶ୍ରୀମନ୍ଦିର ଭୋଇ ସେବକ ଓ ମନ୍ଦିର କର୍ମଚାରୀମାନେ ସାକ୍ଷୀଗୋପାଳରେ ପହଞ୍ଚି ମହାପ୍ରଭୁଙ୍କ ଆଜ୍ଞାମାଳ ଦେଇ ବୃକ୍ଷ ବରଣ କରିଥିଲେ। ପ୍ରକାଶ ଯେ, ଶ୍ରୀଜିଉଙ୍କ ପହଣ୍ଡି କାଳୀନ ସୁରକ୍ଷା ପାଇଁ ବାହୁଟ ଲାଗି ସେବା ପ୍ରଚଳିତ ରହିଛି । ବକୁଳବନରୁ ସଂଗୃହିତ ବଉଳକାଠ ଚିରଟ କରାଯାଇ ସେଥିରେ ଶ୍ରୀମନ୍ଦିର ବିଶ୍ବକର୍ମା ସେବାୟତ ବାହୁଟ ପ୍ରସ୍ତୁତ କରନ୍ତି । ଦେବସ୍ନାନ ପୁର୍ଣ୍ଣମୀଠାରୁ ନିଳାଦ୍ରୀ ବିଜେ(ଘର ପହଣ୍ଡି) ପର୍ଯ୍ୟନ୍ତ ଠାକୁରଙ୍କର ପହଣ୍ଡି ବିଜେ ପୁର୍ବରୁ ସେନାପଟା ଓ ବାହୁଟ ଲାଗି କରାଯାଇଥାଏ । ଦଇତାପତି ସେବାୟତମାନେ ମନ୍ଦିରକୁ ପ୍ରବେଶ କରିବା ପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବଉଳ କାଠରେ ନିର୍ମିତ ବାହୁଟ ଓ ସେନାପଟା ଲାଗି କରିବାର ପରମ୍ପରା ରହିଛି। ଶ୍ରୀମନ୍ଦିରର ଗୁପ୍ତ ସେବାମାନଙ୍କ ମଧ୍ୟରେ ଏହିସେବା ଅନ୍ତର୍ଭୁକ୍ତ।