କେନ୍ଦ୍ରାପଡ଼ା,୬/୬ : କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ବଳଭଦ୍ରପୁରଠାରେ ୫୩ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି l ମୃତ ଶ୍ରମିକ ଝାଡ଼ଖଣ୍ଡ ହଜାରିବାଗର ରାଜିୟୁ ୱାଲହା ବୋଲି ଜଣାପଡ଼ିଛି l ଶ୍ରମିକଙ୍କ ମୃତ୍ୟୁ ପରେ ଏଠାରେ ଥିବା ପିଏସପି କମ୍ପାନୀ କ୍ୟାମ୍ପରେ ଉତ୍ତେଜନା ପ୍ରକାଶ ପାଇଛି।
ଅଭିଯୋଗ ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ ରାଜିୟୁ ୱାଲହା ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ l ପରେ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ଏହାପରେ ଡାକ୍ତର ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ସମ୍ପୃକ୍ତ ଠିକା ସଂସ୍ଥା ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇ ନ ଥିଲା l ଗୁରୁବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା l ରାଜିୟୁଙ୍କ ମୃତ୍ୟୁ ପରେ ବଳଭଦ୍ରପୁରଠାରେ ଥିବା ଲେବର କ୍ୟାମ୍ପରେ ଉତ୍ତେଜନା ଦେଖା ଦେଇଥିଲା l ମୃତ ରାଜିୟୁଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସହକର୍ମୀମାନେ ଦାବି କରିଥିଲେ l
ଏ ନେଇ ଠିକା ସଂସ୍ଥାର ମାନବ ସମ୍ବଳ ଅଧିକାରୀ ମୃତ ରାଜିୟୁଙ୍କ ପରିବାର ପହଞ୍ଚିଲେ ଆଲୋଚନା ପରେ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି l ମୃତ ରାଜିୟୁ ଦେଢ ବର୍ଷ ଧରି ଏଠାରେ ପ୍ରୋକ୍ଲେମ ଅପରେଟର ଭାବେ କାର୍ଯ୍ୟ କରୁଥିଲେ l ରାଜିୟୁଙ୍କ ମୃତଦେହ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପାଇଁ ରଖା ଯାଇଛି l ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି।