ବାସ୍ତବରେ ନାଗରିକ ଏକ ଜାତିର ପ୍ରକୃତ ସମ୍ପତ୍ତି । କିନ୍ତୁ ଅତ୍ୟନ୍ତ ଚିନ୍ତାର ବିଷୟ ହେଉଛି ଆୟ ବୈଷମ୍ୟ ଏତେ ଭୟଙ୍କର ଯେ, ଏହାଯୋଗୁଁ ଭାରତରେ ଏଚଡିଆଇ ମୂଲ୍ୟ ୩୦.୭% ହ୍ରାସପାଇଛି । ଭାରତର ସବୁଠାରୁ ଧନୀ ୧%ଙ୍କ ସମ୍ପଦ ଦେଶର ମୋଟ୍ ସମ୍ପଦର ୪୦.୫ରୁ ଅଧିକ ।
ଏକ ଦେଶର ଜିଡିପି ବୃଦ୍ଧି ଘଟିବା ବା ଏକ ବ୍ୟକ୍ତିର ସମ୍ପଦ ବୃଦ୍ଧିପାଇବା ଅର୍ଥ ନୁହେଁ, ସେହି ଦେଶର ଲୋକଙ୍କ ଜୀବନଧାରଣର ଗୁଣାତ୍ମକ ଉନ୍ନତି ଘଟିଛି ବା ଲୋକଙ୍କ ମାନବିକ ବିକାଶ ଘଟିଛି ବା ଲୋକ ଖୁସି ଅଛନ୍ତି । କାରଣ ଜିଡିପି କେବଳ ଏକ ଆର୍ଥିକ ବର୍ଷର କାର୍ଯ୍ୟକଳାପର ପ୍ରତିଫଳନ । ଜିଡିପି ବୃଦ୍ଧି ସତ୍ତେ୍ୱ ଭାରତୀୟମାନେ ସୁଖୀ ବା ଖୁସି ନୁହଁନ୍ତି ଏବଂ ମାନବ ଉନ୍ନୟନ ଦୃଷ୍ଟିରୁ ଭାରତ ବହୁ ପଛରେ । ବିଶ୍ୱ ଖୁସି ରିପୋର୍ଟ ୨୦୨୫ ଏବଂ ମିଳିତ ଜାତିସଂଘର ଉନ୍ନୟନ କାର୍ଯ୍ୟକ୍ରମ ଦ୍ୱାରା ସଦ୍ୟ ପ୍ରକାଶିତ ମାନବ ଉନ୍ନୟନ ରିପୋର୍ଟ ୨୦୨୫ରେ ପ୍ରମାଣିତ ହୋଇଛି । ମାନବ ବିକାଶ ସୂଚକାଙ୍କ ୧୯୯୦ ମସିହାରେ ପାକିସ୍ତାନୀ ଅର୍ଥନୀତିଜ୍ଞ ମହବୁବ ଉଲ୍ ହକ୍ ଏବଂ ଭାରତୀୟ ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍ ଦ୍ୱାରା ଆରମ୍ଭ କରାଯାଇଥିଲା ।
"ଜନତା ହେଉଛନ୍ତି ଏକ ଜାତିର ପ୍ରକୃତ ସମ୍ପତ୍ତି' ବୋଲି ୧୯୯୦ ମସିହାରେ ପ୍ରଥମ ରିପୋର୍ଟର ପ୍ରାରମ୍ଭିକ ଧାଡ଼ିରେ ହକ୍ ଲେଖିଛନ୍ତି । ବିକାଶର ମୌଳିକ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ପାଇଁ ଦୀର୍ଘ, ସୁସ୍ଥ ଏବଂ ସୃଜନଶୀଳ ଜୀବନ ଉପଭୋଗ କରିବା ପାଇଁ ଏକ ଉନ୍ନତ ପରିବେଶ ସୃଷ୍ଟି କରିବା । ଏହା ଏକ ସରଳ ସତ୍ୟ ପରି ମନେ ହୋଇପାରେ । କିନ୍ତୁ ଅର୍ଥ ଓ ସମ୍ପତ୍ତି ଠୁଳ କରିବା ଚିନ୍ତାରେ ଏହାକୁ ପ୍ରାୟତଃ ଲୋକ ଭୁଲିଯାଆନ୍ତି । ଶାସକ ଶ୍ରେଣୀ କ୍ଷମତା ବଜାୟ ରଖିବା ନିଶାରେ ଲୋକଙ୍କ ମାନବିକ ବିକାଶ କଥା ଭୁଲିଯାଆନ୍ତି । ମାନବ ବିକାଶ ରିପୋର୍ଟ ହାରାହାରି ଆୟୁ, ଶିକ୍ଷା ଏବଂ ମୁଣ୍ଡପିଛା ଆୟ ଭଳି ମୁଖ୍ୟ ମାନଦଣ୍ଡଗୁଡ଼ିକୁ ନେଇ ଗଠିତ । ଏହି ମାନଦଣ୍ଡଗୁଡ଼ିକରେ ଉନ୍ନତି ଘଟୁଛି ନା ନାହିଁ ତାହା ପ୍ରତିବର୍ଷ ସମୀକ୍ଷା କରାଯାଏ ।
ମାନବ ବିକାଶ ସୂଚକାଙ୍କ (ଏଚଡିଆଇ) ଦେଶଗୁଡ଼ିକୁ ସେମାନଙ୍କର ମାନବ ବିକାଶ ସୂଚକାଙ୍କ (ଏଚଡିଆଇ) ମୂଲ୍ୟ ଉପରେ ଆଧାର କରି ଚାରିଟି ବିକାଶ ସ୍ତରରେ ବର୍ଗୀକୃତ କରେ: ୧) ନିମ୍ନ ମାନବ ବିକାଶ: ଏଚଡିଆଇ ମୂଲ୍ୟ ୦.୫୫୦ ତଳେ, ୨) ମଧ୍ୟମ ମାନବ ବିକାଶ: ଏଚଡିଆଇ ମୂଲ୍ୟ ୦.୫୫୦ଏବଂ ୦.୭୯୯ ମଧ୍ୟରେ, ୩) ଉଚ୍ଚ ମାନବ ବିକାଶ: ଏଚଡିଆଇ ମୂଲ୍ୟ ୦.୭୦୦ ଏବଂ ୦.୭୯୯ ମଧ୍ୟରେ, ୪) ଅତ୍ୟନ୍ତ ଉଚ୍ଚ ମାନବ ବିକାଶ: ଏଚଡିଆଇ ମୂଲ୍ୟ ୦.୮୦୦୦ ଏବଂ ତଦୁଦ୍ଧ୍ୱର୍ । ସାଧାରଣତଃ ଏକବର୍ଷର ସୂଚକାଙ୍କ ତାର ପୂର୍ବବର୍ଷ ବା ପୂର୍ବ ଦୁଇବର୍ଷର ତଥ୍ୟକୁ ଭିତ୍ତିକରି ପ୍ରସ୍ତୁତ ହୋଇଥାଏ । ୨୦୨୧ର ମାନବ ବିକାଶ ସୂଚକାଙ୍କ ମୂଲ୍ୟ ୦.୬୩୩କୁ ଭିତ୍ତିକରି ୨୦୨୨ ସୂଚକାଙ୍କରେ ୧୯୧ ଦେଶଙ୍କ ମଧ୍ୟରୁ ଭାରତ ୧୩୨ ସ୍ଥାନରେ ରହିଥିଲା । କିନ୍ତୁ ୨୦୨୩ ବର୍ଷର ଏଚଡିଆଇ ମୂଲ୍ୟ ୦.୬୮୫କୁ ଭିତ୍ତିକରି ୨୦୨୫ ମେ’ ମାସ ୬ ତାରିଖରେ ପ୍ରକାଶିତ ମାନବ ବିକାଶ ସୂଚକାଙ୍କ ୨୦୨୫ରେ ଭାରତ ୧୩୦ତମ ସ୍ଥାନରେ ରହିଛି । ଅର୍ଥାତ୍ ମଧ୍ୟମ ମାନବ ବିକାଶ ବର୍ଗରେ ରହିଛି ଏବଂ ୧୨୯ଟି ଦେଶ ତଳେ । ଏହି ରିପୋର୍ଟ ଅନୁସାରେ ୨୦୨୨ ବର୍ଷର ଏଚଡିଆଇ ମୂଲ୍ୟ ୦.୬୭୬ ଥିଲା ଏବଂ ଭାରତ ୧୩୩ ସ୍ଥାନରେ ଥିଲା । ଭାରତର ଏଚଡିଆଇ ମୂଲ୍ୟ ୧୯୯୦ରେ ୦.୪୩୪ ଥିଲାବେଳେ ୨୦୨୩ରେ ୦.୬୮୫କୁ ବୃଦ୍ଧିପାଇବା ସ୍ୱାଗତଯୋଗ୍ୟ । କିନ୍ତୁ ରାଙ୍କିଙ୍ଗରେ ଉନ୍ନତି ଘଟୁନି, କାରଣ ଅନ୍ୟ ଦେଶର ଏଚଡିଆଇ ମୂଲ୍ୟ ମଧ୍ୟ ସେହି ଅନୁପାତରେ ବୃଦ୍ଧିପାଉଛି । ଉଚ୍ଚ ଓ ଅତ୍ୟଧିକ ଉଚ୍ଚ ମାନବିକ ବିକାଶ ପରି ଦୁଇଟି ସୋପାନ ଏବେବି ଅଭେଦ୍ୟ ହୋଇ ରହିଛି । ୦.୭୦୦ରୁ ଊଦ୍ଧ୍ୱର୍ ଏଚଡିଆଇ ମୂଲ୍ୟ ସହ ଉଚ୍ଚ ମାନବ ବିକାଶ ଶ୍ରେଣୀକୁ ପ୍ରବେଶ କରିବାପାଇଁ ଭାରତ ପ୍ରଚେଷ୍ଟା କରିବା ଉଚିତ୍ । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ ଚୀନ୍ (୭୫ତମ), ଶ୍ରୀଲଙ୍କା (୭୮ତମ) ଏବଂ ଭୁଟାନ (୧୨୭ତମ) ଆଦି ଭାରତ ଆଗରେ ଅଛନ୍ତି । ବାଂଲାଦେଶ ଭାରତ ସହିତ ସମାନ ସ୍ଥାନରେ ଅଛି । ନେପାଳ (୧୪୫ତମ), ମିଆଁମାର (୧୪୯ତମ), ପାକିସ୍ତାନ (୧୬୮ତମ) ଭାରତ ତଳେ ସ୍ଥାନ ପାଇଛି । ତେବେ ୨୦୨୫ରେ ୦.୯୭୨ ଏଚଡିଆଇ ମୂଲ୍ୟ ସହ ଏହି ସୂଚକାଙ୍କରେ ଆୟରଲ୍ୟାଣ୍ଡ ଭଳି ରାଷ୍ଟ୍ର ସର୍ବୋଚ୍ଚ ସ୍ଥାନରେ ରହିବା ସହ ନରୱେ, ସୁଇଜରଲ୍ୟାଣ୍ଡ, ଡେନମାର୍କ ଏବଂ ଜର୍ମାନୀ ଯଥାକ୍ରମେ ଦ୍ୱିତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି ।
୨୦୨୧-୨୦୨୨ ମାନବ ବିକାଶ ରିପୋର୍ଟ "ଅନିଶ୍ଚିତ ସମୟ, ଅସ୍ଥିର ଜୀବନ: ଏକ ପରିବର୍ତ୍ତନଶୀଳ ବିଶ୍ୱରେ ଆମର ଭବିଷ୍ୟତକୁ ଗଠନ କରିବା’ ଉପରେ ପର୍ଯ୍ୟବେସିତ ଥିଲା । ଯାହାର ମୁଖ୍ୟ ବିଷୟବସ୍ତୁ ଅନିଶ୍ଚିତତା ଏବଂ ମାନବ ବିକାଶ ଉପରେ ଏହାର ପ୍ରଭାବ । ରିପୋର୍ଟଟି ଅନୁସନ୍ଧାନ କରେ ଯେ ଗ୍ରହ ଚାପ, ଅସମାନତା, ସାମାଜିକ ପରିବର୍ତ୍ତନ ଏବଂ ଧ୍ରୁବୀକରଣ ଭଳି ବିଭିନ୍ନ କାରଣ କିପରି ଅନିଶ୍ଚିତତାର ଏକ ଜଟିଳ ପାରସ୍ପରିକ କ୍ରିୟା ପ୍ରକ୍ରିୟା ସୃଷ୍ଟି କରେ । କୋଭିଡ-୧୯ ମହାମାରୀ, ଆର୍ଥିକ ଅସ୍ଥିରତା ଆଦିର ମାନବ ବିକାଶ ଉପରେ ପ୍ରଭାବ ପଡ଼ିଥାଏ । ୨୦୨୩-୨୪ ରିପୋର୍ଟର ବିଷୟବସ୍ତୁ ବା ଶିରୋନାମା ଥିଲା- ଅଚଳାବସ୍ଥା ଭାଙ୍ଗିବା: ଏକ ଧ୍ରୁବୀୟ ବିଶ୍ୱରେ ସହଯୋଗର ପୁନଃକଳ୍ପନା । ସେହିପରି ୨୦୨୫ ମାନବ ବିକାଶ ରିପୋର୍ଟର ବିଷୟବସ୍ତୁ ରହିଛି: "ପସନ୍ଦର ଏକ ବିଷୟ: କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ଲୋକ ଏବଂ ସମ୍ଭାବନା’ । ଏହି ବିଷୟବସ୍ତୁ ଭବିଷ୍ୟତର ବିକାଶ ପାଇଁ କୃତ୍ରିମ ବୁଦ୍ଧିମତାର ଭୂମିକାକୁ ପ୍ରାଧାନ୍ୟ ଦେଇଥାଏ ଏବଂ ଏହି ନୂତନ ପରିସ୍ଥିତିରେ ଆଗକୁ ଯିବାରେ ମାନବ ସଂସ୍ଥା ଉପରେ ଗୁରୁତ୍ୱ ଦିଏ । ରିପୋର୍ଟରେ ପରାମର୍ଶ ଦିଆଯାଇଛି ଯେ, କୃତ୍ରିମ ବୁଦ୍ଧିମତ୍ତା ମାନବ କ୍ଷମତାକୁ ବଦଳାଇବା ପରିବର୍ତ୍ତେ ବୃଦ୍ଧି କରିବା ଉଚିତ । ଏହି ରିପୋର୍ଟରେ କୃତ୍ରିମ ବୁଦ୍ଧିମତ୍ତାଚାଳିତ ଅଭିବୃଦ୍ଧି କିପରି ସମସ୍ତ ସମ୍ପ୍ରଦାୟକୁ ଲାଭ ପହଞ୍ଚାଇବ, ସେଥିପାଇଁ ନିଶ୍ଚିତ କରିବାପାଇଁ ସାହସିକ ନୀତିଗତ ନିଷ୍ପତ୍ତି ନେବାକୁ ଆହ୍ୱାନ କରଯାଇଛି ।
ରିପୋର୍ଟରେ ଉଲ୍ଲେଖ ହୋଇଛି ଜୀବନର ବିଭିନ୍ନ ପର୍ଯ୍ୟାୟରେ, ବିଭିନ୍ନ ବୟସରେ ଡିଜିଟାଲାଇଜେସନର ବିଭିନ୍ନ ପ୍ରଭାବ ଅନୁଭୂତ ହୋଇଥାଏ, ଯେଉଁଥିରେ ଅକ୍ଷମତା ସହିତ ବଞ୍ଚୁଥିବା ଲୋକ ସହିତ ସମସ୍ତ ବୟସର ଲୋକ ମଧ୍ୟ ସାମିଲ ଅଛନ୍ତି । ଡିଜିଟାଲାଇଜେସନର ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ମାନଦଣ୍ଡ, ସମ୍ପର୍କ ଏବଂ ସଂସ୍ଥା ସମେତ ମାନବ ବିକାଶର ପ୍ରମୁଖ କ୍ଷେତ୍ରଗୁଡ଼ିକୁ ପୁନଃପ୍ରଭାବିତ କରୁଛି । କେବଳ ସମାଜର କାର୍ଯ୍ୟପଦ୍ଧତିକୁ ନୁହେଁ ବରଂ ମଣିଷର କାର୍ଯ୍ୟପଦ୍ଧତିକୁ ମଧ୍ୟ ପ୍ରଭାବିତ କରୁଛି । ଉଦାହରଣ ସ୍ୱରୂପ, ପ୍ରାରମ୍ଭିକ ଶୈଶବ ଜୀବନର ଏକ ଦୁର୍ବଳ ପର୍ଯ୍ୟାୟ, ଯେଉଁ ସମୟରେ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ମସ୍ତିଷ୍କର ବିକାଶ ଏବଂ ଶରୀରର ବୃଦ୍ଧିକୁ ପ୍ରଭାବିତ କରିଥାଏ । ସ୍କୁଲ ଯିବା ବୟସର ପିଲାମାନଙ୍କ ପାଇଁ, ଡିଜିଟାଲ ପ୍ରଯୁକ୍ତିବିଦ୍ୟା ସ୍କୁଲ ଏବଂ ଘରେ ଶିକ୍ଷାପ୍ରାପ୍ତି ପାଇଁ ଉତ୍ସାହଜନକ ସୁଯୋଗ ସୃଷ୍ଟି କରିଥାଏ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟର ଅବନତି ସହିତ ଜଡ଼ିତ ବିପଦ ମଧ୍ୟ ସୃଷ୍ଟି କରିଥାଏ । ପ୍ରାପ୍ତବୟସ୍କରେ, ଡିଜିଟାଲାଇଜେସନ ପରିବାର ଏବଂ ବନ୍ଧୁମାନଙ୍କ ମଧ୍ୟରେ କାର୍ଯ୍ୟ, ଯତ୍ନ ଏବଂ ସାମାଜିକ ପାରସ୍ପରିକ କ୍ରିୟାର ଦୈନନ୍ଦିନ କାର୍ଯ୍ୟକଳାପକୁ ମୂଳତଃ ପ୍ରଭାବିତ କରେ । ବୟସ୍କ ଲୋକଙ୍କ ପାଇଁ ପ୍ରାୟତଃ ଯୁବପିଢ଼ିଙ୍କ ପରି ଡିଜିଟାଲ ପ୍ରଯୁକ୍ତିବିଦ୍ୟା ବିନିଯୋଗ କରିବାର ସୁବିଧା ଥାଏ, କିନ୍ତୁ ଅନେକ ଦେଶରେ ବୟସ୍କ ବ୍ୟକ୍ତି ଡିଜିଟାଲ ପ୍ରଯୁକ୍ତିବିଦ୍ୟା କିପରି ବ୍ୟବହାର କରିପାରିବେ ତାହା ଚିନ୍ତାଜନକ ହୋଇଛି ।
ଡିଜିଟାଲାଇଜେସନର ବିଭିନ୍ନ ପଦ୍ଧତିଗତ ଦିଗଗୁଡ଼ିକ ଆର୍ଥିକ ଏବଂ ରାଜନୈତିକ ପ୍ରକ୍ରିୟାଗୁଡ଼ିକୁ ଭିନ୍ନ ଭିନ୍ନ ରୂପ ଦିଏ, ଯାହା ବ୍ୟକ୍ତିଗତ ଉନ୍ନତି ପାଇଁ ମୂଳଦୁଆ ଗଠନ କରେ । ଉଦାହରଣ ସ୍ୱରୂପ, ଡିଜିଟାଲାଇଜେସନ୍, ବିଶେଷକରି କୃତ୍ରିମ ବୁଦ୍ଧିମତ୍ତା ରାଜନୈତିକ ପ୍ରକ୍ରିୟାଗୁଡ଼ିକୁ ବାଧା ଦେବାର ସମ୍ଭାବନା ଅଛି, କିନ୍ତୁ ଏହା ଅନ୍ତର୍ଭୁକ୍ତି ଏବଂ ସ୍ୱଚ୍ଛତାକୁ ମଧ୍ୟ ବୃଦ୍ଧି କରିପାରିବ । ମାନବାଧିକାର ଦୃଷ୍ଟିକୋଣରୁ ନୂତନ ପରିବେଶରେ ସ୍ୱାଧୀନ ମତ ଦେବାରେ ବାଧକ ସୃଷ୍ଟି ହୋଇପାରେ । ଯେତେବେଳେ କାର୍ଯ୍ୟକରିବାର କଥା ଆସେ, କୃତ୍ରିମ ବୁଦ୍ଧିମତ୍ତା ଲୋକଙ୍କ ପାଇଁ ସହାୟକ ହୋଇପାରେ ବା ଲୋକଙ୍କ ସ୍ଥାନ ଦେଇପାରେ । ତେଣୁ ମାନବ ବିକାଶରେ କୃତ୍ରିମ ବୁଦ୍ଧିମତ୍ତାଜନିତ ଅସମାନତାକୁ କିପରି ରୋକାଯାଇପାରିବ ତାହା ବିଚାର କରିବା ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ମାନବ କ୍ଷମତାକୁ ବୃଦ୍ଧି କରିବା ପାଇଁ ଡିଜିଟାଲ ଉନ୍ନତିକୁ ବ୍ୟବହାର କରିବା ଏବଂ ଡିଜିଟାଲ ସ୍ଥାନରେ ଲୋକମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ପ୍ରଦର୍ଶନ କରିବାକୁ ସକ୍ଷମ କରୁଥିବା ନୀତିଗୁଡ଼ିକୁ କାର୍ଯ୍ୟକାରୀ କରିବା ଅନ୍ତର୍ଭୁକ୍ତ । ସାମାଜିକ ପରିବର୍ତ୍ତନ ପାଇଁ ଅତୀତରେ ସାଂସ୍ଥାଗତ ଏବଂ ନୀତିଗତ ନବସୃଜନ ଆବଶ୍ୟକ ହୋଇଛି । ମାନବ କ୍ଷମତାକୁ ବୃଦ୍ଧି କରିବା ପାଇଁ ଡିଜିଟାଲ ଉନ୍ନତିକୁ ବ୍ୟବହାର କରିବା ଏବଂ ଡିଜିଟାଲ ସ୍ଥାନରେ ଲୋକମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ପ୍ରଦର୍ଶନ କରିବାକୁ ସକ୍ଷମ କରୁଥିବା ନୀତିଗୁଡ଼ିକୁ କାର୍ଯ୍ୟକାରୀ କରିବା ଉଚିତ ।
ମାନବ ବିକାଶ ନିମ୍ନଗାମୀ । ୨୦୨୫ ରିପୋର୍ଟର ପରାମର୍ଶଦାତା ବୋର୍ଡରେ ଥିଲେ କୋଷ୍ଟାରିକାର ପୂର୍ବତନ ରାଷ୍ଟ୍ରପତି ଲୌରା ଚିନଚିଲା ଏବଂ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଗ୍ରାଜୁଏଟ୍ ସ୍କୁଲ୍ ଅଫ୍ ବିଜନେସରେ ମ୍ୟାନେଜମେଣ୍ଟର ଏମେରିଟସ୍ ପ୍ରଫେସର ଓ ନୋବେଲ ବିଜେତା ମାଇକେଲ୍ ସ୍ପେନ୍ସ ଓ ଫିଲିପ୍ ଏଚ୍. ନାଇଟ୍ । ରିପୋର୍ଟ ଅନୁସାରେ, ଭାରତର ହାରାହାରି ଜୀବନର ଆୟୁ ୧୯୯୦ରେ ଯାହା ୫୮.୬ବର୍ଷ ଥିଲା ତାହା ୨୦୨୩ରେ ୭୨ବର୍ଷକୁ ବୃଦ୍ଧିପାଇଛି । କିନ୍ତୁ କରୋନା ମହାମାରୀ ଯୋଗୁଁ ଏହା ପୁନଶ୍ଚ ହ୍ରାସପାଇଛି । ସର୍ବଶେଷ ସ୍ୱାସ୍ଥ୍ୟ ପରିସଂଖ୍ୟାନ ଅନୁଯାୟୀ, ହାରାହାରି ଜୀବନର ଆୟୁ ୨୦୧୬-୨୦୨୦ ସୁଦ୍ଧା ୭୦ବର୍ଷ ଥିଲା ତାହା ୨୦୧୭-୨୦୨୧ରେ ୬୯.୮ବର୍ଷକୁ ହ୍ରାସପାଇଛି । ଗତ ଦୁଇ ଦଶନ୍ଧି ମଧ୍ୟରେ ବାର୍ଷିକ ପଞ୍ଜିକୃତ ମୃତ୍ୟୁ ୫୦ରୁ ୬୦ଲକ୍ଷ ମଧ୍ୟରେ ସ୍ଥିରଭାବରେ ରହିଥିବାବେଳେ, କୋଭିଡର ଦ୍ୱିତୀୟ ଲହର- ପ୍ରଭାବଗ୍ରସ୍ତ ବର୍ଷ ୨୦୨୧ରେ ୧.୦୨କୋଟିରୁ ଅଧିକ ହୋଇଥିଲା । ଅନ୍ୟ ଦେଶରେ ହାରାହାରି ଆୟୁ ଅଧିକ ରଖିଛି । ବିଶ୍ୱବ୍ୟାଙ୍କ ଅନୁଯାୟୀ ୨୦୨୨ରେ ଭାରତୀୟଙ୍କ ହାରାହାରି ଆୟୁ ୬୭.୭୪ ବର୍ଷ । ସେହିପରି ଶିକ୍ଷାରେ ଉନ୍ନତି ଦୃଷ୍ଟିରୁ ଦେଖିଲେ ସ୍କୁଲଶିକ୍ଷାର ହାରାହାରି ବର୍ଷ ୧୯୯୦ରେ ୮.୨ବର୍ଷରୁ ୨୦୨୩ରେ ୧୩ବର୍ଷକୁ ବୃଦ୍ଧିପାଇଛି । ରିପୋର୍ଟ ଅନୁସାରେ ଭାରତର ମୁଣ୍ଡପିଛା ମୋଟ୍ ଜାତୀୟ ଆୟ କ୍ରୟଶକ୍ତି ସମତା ଦୃଷ୍ଟିରୁ ଚାରି ଗୁଣରୁ ଅଧିକ ବୃଦ୍ଧିପାଇଛି । ୧୯୯୦ରେ ଯାହା ୨୧୬୭ ଡଲାର ଥିଲା ତାହା ୨୦୨୩ରେ ୯,୦୪୬ ଡଲାରକୁ ବୃଦ୍ଧିପାଇଛି । ଏହା ୨୦୨୫ରେ କ୍ରୟଶକ୍ତି ସମତା ଦୃଷ୍ଟିରୁ ୧୨,୧୩୨ ଡଲାରରେ ପହଞ୍ଚିଛି ।
ବାସ୍ତବରେ ନାଗରିକ ଏକ ଜାତିର ପ୍ରକୃତ ସମ୍ପତ୍ତି । କିନ୍ତୁ ଅତ୍ୟନ୍ତ ଚିନ୍ତାର ବିଷୟ ହେଉଛି ଆୟ ବୈଷମ୍ୟ ଏତେ ଭୟଙ୍କର ଯେ, ଏହାଯୋଗୁଁ ଭାରତରେ ଏଚଡିଆଇ ମୂଲ୍ୟ ୩୦.୭% ହ୍ରାସପାଇଛି । ଭାରତର ସବୁଠାରୁ ଧନୀ ୧%ଙ୍କ ସମ୍ପଦ ଦେଶର ମୋଟ୍ ସମ୍ପଦର ୪୦.୫ରୁ ଅଧିକ । ଦେଶର ସମ୍ପତ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏକ କ୍ଷୁଦ୍ର ସମ୍ପ୍ରଦାୟଙ୍କ ହାତରେ ଠୁଳହୋଇ ରହିଛି, ଠିକ୍ ଯେତେବେଳେ ଜନସଂଖ୍ୟାର ଏକ ବୃହତ ଅଂଶ ସୀମିତ ସମ୍ବଳ ଯୋଗୁଁ ବଞ୍ଚିବାପାଇଁ ସଂଘର୍ଷ କରୁଛନ୍ତି । ଏହା ସହିତ ଲିଙ୍ଗଜନିତ ବୈଷମ୍ୟ ଏକ ବଡ଼ ସମସ୍ୟା ହୋଇ ରହିଛି । ମହିଳାମାନେ ଶ୍ରମଶକ୍ତିରେ ଅଂଶଗ୍ରହଣ ଏବଂ ରାଜନୈତିକ ପ୍ରତିନିଧିତ୍ୱ ପଛରେ ପଡ଼ିଛନ୍ତି । ଏଣୁ ପ୍ରଥମେ ବୈଷମ୍ୟ ହ୍ରାସ ସହିତ ସମ୍ବଳର ସୁଷମ ବଣ୍ଟନ ଆବଶ୍ୟକ ।