ନୂଆଦିଲ୍ଲୀ, ୨୯/୦୫: ଆମ ସମାଜରେ ପ୍ରାୟ ମହିଳା ୪୦ ବର୍ଷ ଟପିଲେ ନିଜକୁ ବୃଦ୍ଧା ବୋଲି ଭାବି ନେଇଥାନ୍ତି । କେବଳ ଭାବୁନାହାନ୍ତି, ବରଂ ଆଚରଣ ଓ ଉଚ୍ଚାରଣରୁ ମଧ୍ୟ ସେଭଳି ପ୍ରତୀୟମାନ ହେଉଛି । ଫଳରେ ସେମାନଙ୍କୁ ଅକାଳ ବାର୍ଦ୍ଧକ୍ୟ ମାଡି ବସୁଛି । ଏଭଳି ମହିଳାମାନଙ୍କ ପାଇଁ ଆଶୁ ଜୈନ୍ ପ୍ରେରଣାର ଉତ୍ସ କହିଲେ ଭୁଲ୍ ହେବନାହିଁ । ଆଶୁ ଜୈନ୍ ଜଣେ ସାଧାରଣ ଗୃହିଣୀ, କିନ୍ତୁ ଏବେ ଗଣମାଧ୍ୟମର ସେନ୍ସେସନ୍, ଇନ୍ଷ୍ଟା ଇନ୍ଫ୍ଲୁଏନସର୍ ଓ ଏମ୍ଟିଭିର ରୋଡିଜ୍ ପ୍ରତିଯୋଗୀ । ୫୭ ବର୍ଷରେ ସେ ଏବେ ଅନେକଙ୍କ ପାଇଁ ପ୍ରେରଣା । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚ୍ୟାଲେଞ୍ଜକୁ ଜିତିବା ସହ ଚିରାଚରିତ ଜୀବନଶୈଳୀକୁ ଭାଙ୍ଗିବାରେ ତାଙ୍କର ଯାତ୍ରା ଖୁବ୍ ଶକ୍ତିଶାଳୀ ପ୍ରତିପାଦିତ ହୋଇପାରିଛି । ସ୍ୱପ୍ନକୁ ପିଚ୍ଛା କରିବାରେ କେବେବି ବିଳମ୍ବ ନ କରିବା ଉଚିତ୍ ବୋଲି ସେ କୁହନ୍ତି । ଏକଦା ସେ ମେନୋପଜାଲ୍ ସ୍ଥତିକୁ ଅତିକ୍ରମ କରି ସାଧାରଣ ଗୃହିଣୀ ପରି ଥକାପଣ ସହ ଜୀବନ ଅତିବାହିତ କରୁଥିଲେ । କିନ୍ତୁ ଏବେ ସେ ଗଣମାଧ୍ୟମ ସେନ୍ସେସନ୍, ଫିଟ୍ନେସ୍ ଓ ରିଆଲିଟି ଶୋ'ଆଇକନ୍ ଭାବେ ବେଶ୍ ପରିଚିତ । ତାଙ୍କ ଯାତ୍ରା ୫୪ ବର୍ଷ ବୟସରୁ ଆରମ୍ଭ ହୁଏ । ଦୀର୍ଘଦିନ ଧରି ସେ ପତ୍ନୀ, ମା ଏବଂ ଯତ୍ନଶୀଳ ମହିଳା ଭାବେ ପାରମ୍ପରିକ ଭୂମିକା ତୁଲାଇଛନ୍ତି । ପ୍ରାୟ ମହିଳା ଏସବୁ ଦାୟିତ୍ୱ ତୁଲାଇବା ସହ ନିଜର ସ୍ୱପ୍ନକୁ ପଛରେ ପକାଇ ଦେଇଥାନ୍ତି । କିନ୍ତୁ ଆଶୁ ନିଜର ସ୍ୱପ୍ନକୁ ପଛରେ ଛାଡିବାକୁ ରାଜି ନଥିଲେ । ତେଣୁ ଦୃଢ ପଦକ୍ଷେପ ନେବାକୁ ସାହସ ବାନ୍ଧିଥିଲେ । ‘୪୪ ବର୍ଷ ବୟସରେ ପିଲାମାନଙ୍କ ଦ୍ୱାରା ଉତ୍ସାହିତ ହୋଇ ନିଜର ଅଧୁରା ଶିକ୍ଷାକୁ ପୁର୍ନବାର ଆରମ୍ଭ କରିବା ସହ ଜାମିଆ ମିଲିଆ ଇସଲାମିଆରୁ ଏମ୍.ଟେକ୍ କରିବା ପରେ ଆଇଆଇଟି ଦିଲ୍ଲୀରୁ ପିଏଚ୍ଡି ଶେଷ କରନ୍ତି ୫୩ ବର୍ଷ ବୟସରେ । 'ମୁଁ ମୋର ଅସମାପ୍ତ ପଢା ପାଇଁ ଦୁଃଖ କରୁ ନଥିଲି । କିନ୍ତୁ ପିଲାମାନେ ମୋତେ କହିଲେ ଯେ ଏବେ ତୁମେ ନିଜ ପାଇଁ କିଛି କରିବାର ବେଳେ । ସେମାନଙ୍କ ଦ୍ୱାରା ମୁଁ ଉତ୍ସାହିତ ହୋଇ ପଢା ଶେଷ କରିଥିଲି । ଏହି ସମୟରେ ମୋ ଘରର ସମସ୍ତ ଜିନିଷ ଅସଜଡା ହୋଇପଡିଥିଲା । ୫୦ ବର୍ଷ ପରେ ସ୍ୱପ୍ନକୁ ପିଛା କରିବାର ନିର୍ଣ୍ଣୟ ଆଦୌ ସହଜ ନଥିଲା । କିନ୍ତୁ ଧୀରେ ଧୀରେ ସ୍ୱପ୍ନର ନିକଟତ୍ତର ହେବାରେ ଲାଗିଲି’ ବୋଲି କହନ୍ତି ଆଶୁ ।
ମାର୍ଚ୍ଚ ୨୦୨୨ରେ ଆଶୁଙ୍କ ଭିତରେ ସ୍ୱାସ୍ଥ୍ୟକୁ ନେଇ ଭୟ ଆସିଲା । ରକ୍ତଚାପ ବଢିବା ସହ ସାରା ଜୀବନ ଔଷଧ ଖାଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି । ତଥାପି ସେ ହାର ମାନିବାକୁ ଚାହୁଁ ନଥିଲେ । ସ୍ୱାଭାବିକ ଭାବେ ନିଜ ଅବସ୍ଥାକୁ ବଦଳାଇବାକୁ ଚେଷ୍ଟା କରି ନିୟମିତ ଚାଲିବା ସହ ଶାରୀରିକ କାର୍ଯ୍ୟକଳାପ ବଢାଇଥିଲେ । ଶେଷରେ ଅନ୍ଲାଇନ୍ କ୍ଲାସ୍ ସହ ଫିଟ୍ନେସ୍ ଯାତ୍ରା ଆରମ୍ଭ କରନ୍ତି ସେ । ଦୀର୍ଘ ଅଢେଇ ବର୍ଷ ଧରି ନିୟମିତ ପ୍ରୟାସ ଜାରି ରଖିବା ପରେ ତାଙ୍କ ଜୀବନରେ ଆସେ ବହୁ ପରିବର୍ତ୍ତନ । ଶାରୀରିକ ଓ ମାନସିକ ସୁସ୍ଥତା ଆସେ ତାଙ୍କ ଭିତରେ । ୫୭ ବର୍ଷ ବୟସରେ ଜେଜେମା' କେବଳ ସାଇକେଲିଂ କରିବାରେ ବ୍ୟସ୍ତ ରହୁଥିଲେ । ଆଶୁଙ୍କ ସୋସିଆଲ୍ ମିଡିଆ ଯାତ୍ରା ଏକ ଇନ୍ଷ୍ଟାଗ୍ରାମ ପୋଷ୍ଟରୁ ଆରମ୍ଭ ହୋଇଥିଲା । ଏବେ ତାଙ୍କ ସକାଳର ଯାତ୍ରା ୪ଟାରେ ଏକ ଗ୍ଲାସ୍ ପାଣି ପିଇବାରୁ ଆରମ୍ଭ ହୁଏ । ତା’ପରେ ସେ ଲାଗିପଡନ୍ତି ଫିଟ୍ନେସ୍ର ପ୍ରତ୍ୟେକ କାର୍ଯ୍ୟକଳାପ କରିବାରେ । ତାଙ୍କ ମତରେ ଫିଟ୍ନେସ୍ କେବଳ ଭଲ ଦେଖାଯିବା ନୁହେଁ, ବରଂ ସୁସ୍ଥ ରହିବାର ଏକ ସୁଗମ ପ୍ରଣାଳୀ । ସେ ତାଙ୍କ କସ୍ରତ, ରୋଷେଇ ଓ ଫିଟନେସ୍କୁ ନେଇ ବିଭିନ୍ନ ରିଲ୍ କରିବା ସହ ଇନ୍ଷ୍ଟାରେ ଅପଲୋଡ୍ ମଧ୍ୟ କରୁଛନ୍ତି । ଫିଟନେସ୍ କୋଚ୍ 'ମୋତେ ଏମ୍ଟିଭି ରୋଡିଜ୍ ପାଇଁ ଅଡିସନ୍ ଦେବାକୁ କହିଥିଲେ । ଅଡିସନ୍ରେ ମନୋନୀତ ହେବା ପରେ ମୋ ପରିବାର ସଦସ୍ୟମାନେ ଖୁବ୍ ଖୁସି'ବୋଲି କହନ୍ତି ଆଶୁ ।