ମୁମ୍ବାଇ,୨୪/୦୫: ବଲିଉଡ଼ ଇଣ୍ଡଷ୍ଟ୍ରୀରେ ଦୁଃଖର ପାହାଡ଼ ଛିଡି ପଡ଼ିଛି । ଆଉ ନାହାନ୍ତି ବଲିଉଡ଼ ଅଭିନେତା, ମଡ଼େଲ ତଥା 'ଜୟ ହୋ' ଫିଲ୍ମରେ ସଲମାନ ଖାନଙ୍କ ସହିତ ଅଭିନୟ କରିଥିବା ମୁକୁଲ ଦେବ । ୫୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମୁକୁଲ । ଗତକାଲି ବିଳମ୍ବିତ ରାତିରେ ମୁକୁଲ ଦେବ ଦୁନିଆକୁ ଅଲବିଦା କହିଛନ୍ତି । ତାଙ୍କ ବିୟୋଗରେ ବଲିଉଡ଼ରେ ଶୋକର ଛାୟା ଖେଳିଯାଇଛି । ସାଥୀ କଳାକାର ଶୋକବ୍ୟକ୍ତ କରିଛନ୍ତି ।
କିଛି ଦିନ ହେବ ଅସୁସ୍ଥ ଥିଲେ ମୁକୁଲ । ଗୁରୁତର ସ୍ୱାସ୍ଥ୍ୟଗତ ଅସୁସ୍ଥତା ପାଇଁ ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି (ଶୁକ୍ରବାର) ମୁକଲଙ୍କର ଦେହାନ୍ତ ହୋଇଛି । ସଲମାନ ଖାନ୍, ସଞ୍ଜୟ ଦତ୍ତ ଓ ସାହିଦ କପୁରଙ୍କ ସହିତ ଫିଲ୍ମରେ ନଜର ଆସିଥିଲେ ମୁକୁଲ । ସେ 'ସନ୍ ଅଫ୍ ସରଦାର', 'ଆର.ରାଜକୁମାର', 'ଜୟ ହୋ' ପରି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ନେଗେଟିଭ ସହ କମେଡ଼ି ଚରିତ୍ରକୁ ନିଖୁଣ ଭାବେ ତୁଲାଉଥିଲେ । ତାଙ୍କ ଅଭିନୟକୁ ଫ୍ୟାନ୍ସ ବେଶ୍ ପସନ୍ଦ କରୁଥିଲେ । ମୁକୁଲଙ୍କ ବିୟୋଗକୁ ସାଥୀ କଳାକାରଙ୍କ ସହ ଫ୍ୟାନ୍ସ ଗ୍ରହଣ କରି ପାରିନାହାନ୍ତି । ଏତେ କମ୍ ବୟସରେ ସେ ଦୁନିଆକୁ ଅଲବିଦା କହିବେ ବୋଲି କେହି ବିଶ୍ୱାସ କରିପାରୁନାହାନ୍ତି ।
୧୯୭୦ ସେପ୍ଟେମ୍ବର ୧୭ରେ ନୂଆଦିଲ୍ଲୀରେ ମୁକୁଲଙ୍କର ଜନ୍ମ । ୧୯୯୬ରେ ଟେଲିଭିଜନରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ସେହିବର୍ଷ 'ଦସ୍ତକ' ଫିଲ୍ମରେ ଡ଼େବ୍ୟୁ କରିଥିଲେ । ସୁସ୍ମିତା ସେନ୍ଙ୍କ ସହି ଅଭିନୟ କରିଥିଲେ । ଏହା ପରେ ବଲିଉଡ଼ରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା । ୨୦୨୧ରେ ବଲିଉଡ଼ରେ ତାଙ୍କର ୨୫ ବର୍ଷ ପୂରଣ ହୋଇଥିଲା ।
ହିନ୍ଦୀ, ପଞ୍ଜାବୀ ଏବଂ ସାଉଥ ଫିଲ୍ମରେ ଦମଦାର ଅଭିନୟ ପାଇଁ ଜଣାଶୁଣା ଥିଲେ ମୁକୁଲ ଦେବ । ଫିଲ୍ମ ବ୍ୟତୀତ ଟେଲିଭିଜନରେ ମଧ୍ୟ କାମ କରିଛନ୍ତି ମୁକୁଲ । ମାତ୍ର ୫୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଅଭିନେତା ବିନ୍ଦୁ ତାରା ସିଂହ ଏକ୍ସରେ ମୁକୁଲଙ୍କ ବିୟୋଗକୁ ନେଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ମୋ ଭାଇ ମୁକୁଲ ଦେବ ଭଗବାନ ତୁମ ଆତ୍ମାକୁ ସଦ୍ଗତି ଦିଅନ୍ତୁ । 'ସନ୍ ଅଫ୍ ସର୍ଦାର'ରେ ତୁମ ସହ ଯେଉଁ ସମୟ ବିତାଇଛି ତାହା ମୋତେ ସର୍ବଦା ଉତ୍ସାହିତ କରିବ ।