ଭାରତ ତୈଳ ଆମଦାନୀ କରିଥାଏ । ତେଣୁ ଆମ ପରିବହନ କ୍ଷେତ୍ରକୁ ବିଦ୍ୟୁତୀକରଣ କରିବା ରଣନୀତିକ ଦୃଷ୍ଟିରୁ ଯୁକ୍ତିଯୁକ୍ତ, ଯାହାଦ୍ୱାରା ଆମଦାନୀ ଉପରେ ଆମର ନିର୍ଭରଶୀଳତା ହ୍ରାସ ପାଇବ । ୨୦୧୪ ପୂର୍ବରୁ ୬୦ବର୍ଷ ମଧ୍ୟରେ ଭାରତୀୟ ରେଳବାଇ ୨୧,୦୦୦ କିଲୋମିଟର ରେଳପଥର ବିଦ୍ୟୁତୀକରଣ କରିଥିଲା । ଆହୁରି ଗତ ୧୧ବର୍ଷ ମଧ୍ୟରେ ଆମେ ୪୭,୦୦୦ କିଲୋମିଟର ବିଦ୍ୟୁତୀକରଣ କରିଛୁ । ଆଜି ଆମର ବ୍ରଡଗେଜ ନେଟୱର୍କର ୯୯ ପ୍ରତିଶତ ବିଦ୍ୟୁତୀକରଣ ହୋଇଛି ।
ଅନ୍ୟ କୌଣସି ପରିବହନ ମାଧ୍ୟମକୁ ବାଛିବା ପରିବର୍ତ୍ତେ ଆପଣ ଯେତେବେଳେ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରନ୍ତି, ଆପଣ କେବଳ ଆରାମ କିମ୍ବା ସୁବିଧାକୁ ବାଛନ୍ତି ନାହିଁ, ବରଂ ଏକ ସ୍ୱଚ୍ଛ ଓ ସବୁଜ ଭାରତକୁ ଚୟନ କରିଥାଆନ୍ତି । ଗତବର୍ଷ ୭୦୦କୋଟିରୁ ଅଧିକ ଯାତ୍ରୀ ଭାରତୀୟ ରେଳବାଇରେ ଯାତ୍ରା କରିବା ପସନ୍ଦ କରିଥିଲେ । ଏହା ଆମର ଜୀବନଧାରା ଏବଂ ସବୁଜ ଭବିଷ୍ୟତ ପାଇଁ ଏକ ପ୍ରତିଶ୍ରୁତି ।
୨୦୭୦ ସୁଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଚାମୃତ ସଂକଳ୍ପ ଦିଗରେ ଦେଶର ଯାତ୍ରାରେ ଭାରତୀୟ ରେଳବାଇ ଗୁରୁତ୍ୱପୂର୍ଣ୍ଣ ସହଯୋଗ ଯୋଗାଇ ଦେଉଛି । ରେଳବାଇ ଏକ ବହୁମୁଖୀ ଆଭିମୁଖ୍ୟ ଜରିଆରେ ଏହା କରୁଛି । ବହୁସଂଖ୍ୟକ ଯାତ୍ରୀ ସଡ଼କ ପରିବର୍ତ୍ତେ ରେଳଯାତ୍ରା କରୁଛନ୍ତି ଏବଂ ସ୍ୱଚ୍ଛ ତଥା ସବୁଜ ଇନ୍ଧନରେ ରେଳ ଯାତାୟାତ ପରିଚାଳନା କରିବା ଦିଗରେ ରେଳବାଇ ନିରନ୍ତର ପ୍ରୟାସ କରୁଛି । ଏସବୁ ପଦକ୍ଷେପ ଭାରତୀୟ ଅର୍ଥବ୍ୟବସ୍ଥାକୁ ବ୍ୟାପକ ଭାବେ ପ୍ରଦୂଷଣମୁକ୍ତ କରୁଛି ।
ସଡ଼କରୁ ରେଳପଥ ଦିଗରେ ଯାତ୍ରା
୨୦୧୩-୧୪ରେ ରେଳବାଇ ପ୍ରାୟ ୧,୦୫୫ ନିୟୁତ ଟନ୍ ମାଲ ପରିବହନ କରିଥିଲା । ଏହା ୨୦୨୪- ୨୫ରେ ୧୬୧୭ ନିୟୁତ ଟନ୍କୁ ବୃଦ୍ଧିପାଇଛି, ଯାହା ଆମର ରେଳପଥକୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମାଲ ପରିବହନକାରୀ ରେଳପଥରେ ପରିଣତ କରିଛି । ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଥିବା ଗଣନାର ଉପଯୋଗ କରି ସଡ଼କରୁ ରେଳପଥ ଦିଗରେ ମାଲ ପରିବହନର ଏହି ସ୍ଥାନାନ୍ତର ଆମ ଦେଶକୁ ୧୪୩ ନିୟୁତ ଟନ୍ରୁ ଅଧିକ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାରେ ସାହାଯ୍ୟ କରିଛି । ଏହା ୧୨୧କୋଟି ବୃକ୍ଷରୋପଣ କରିବା ଭଳି ।
ରେଳ ଦ୍ୱାରା ମାଲ୍ ପରିବହନ ଖର୍ଚ୍ଚ ସଡ଼କ ଦ୍ୱାରା ପରିବହନ ଖର୍ଚ୍ଚ ତୁଳନାରେ ପ୍ରାୟ ଅଧା । ଏହାର ଅର୍ଥ ହେଉଛି, କେବଳ ବ୍ୟବସାୟ ଲାଗି ନୁହେଁ, ବରଂ ସମଗ୍ର ଅର୍ଥବ୍ୟବସ୍ଥା ପାଇଁ ଏହା ବଡ଼ ସଞ୍ଚୟ । ଏହି ପରିବର୍ତ୍ତନ ଗତ ଏକ ଦଶନ୍ଧି ମଧ୍ୟରେ ଲଜିଷ୍ଟିକ୍ସ ଖର୍ଚ୍ଚରେ ୩.୨ଲକ୍ଷ କୋଟି ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରିଛି ।
ରେଳପଥ ମଧ୍ୟ ଅଧିକ ସ୍ୱଚ୍ଛ, ଯାହା ଟ୍ରକ୍ ତୁଳନାରେ ୯୦ ପ୍ରତିଶତ କମ୍ ଅଙ୍ଗାରକାମ୍ଳ ନିର୍ଗମନ କରିଥାଏ । ଏହାର ଅର୍ଥ ହେଉଛି, ଆମ ଆକାଶରେ କମ୍ ଧୂଆଁ ଏବଂ ଆମ ପାଇଁ ସ୍ୱଚ୍ଛ ବାୟୁ । ସଡ଼କରୁ ରେଳପଥ ଦିଗରେ ଏହି ପରିବର୍ତ୍ତନ ଦ୍ୱାରା ଆମର ୨୮୫୭ କୋଟି ଲିଟର ଡିଜେଲ ସଞ୍ଚୟ ହୋଇଛି, ଯାହା ଇନ୍ଧନ ଖର୍ଚ୍ଚରେ ପ୍ରାୟ ୨ଲକ୍ଷ କୋଟି ଟଙ୍କା ସଞ୍ଚୟ କରିଛି ।
ସବୁଜ ରେଳପଥ, ସୁଦୃଢ଼ ରାଷ୍ଟ୍ର
ଭାରତ ତୈଳ ଆମଦାନୀ କରିଥାଏ । ତେଣୁ ଆମ ପରିବହନ କ୍ଷେତ୍ରକୁ ବିଦ୍ୟୁତିକରଣ କରିବା ରଣନୀତିକ ଦୃଷ୍ଟିରୁ ଯୁକ୍ତିଯୁକ୍ତ, ଯାହାଦ୍ୱାରା ଆମଦାନୀ ଉପରେ ଆମର ନିର୍ଭରଶୀଳତା ହ୍ରାସ ପାଇବ । ୨୦୧୪ ପୂର୍ବରୁ ୬୦ବର୍ଷ ମଧ୍ୟରେ ଭାରତୀୟ ରେଳବାଇ ୨୧,୦୦୦ କିଲୋମିଟର ରେଳପଥର ବିଦ୍ୟୁତୀକରଣ କରିଥିଲା । ଆହୁରି ଗତ ୧୧ବର୍ଷ ମଧ୍ୟରେ ଆମେ ୪୭,୦୦୦ କିଲୋମିଟର ବିଦ୍ୟୁତୀକରଣ କରିଛୁ । ଆଜି ଆମର ବ୍ରଡଗେଜ ନେଟୱର୍କର ୯୯ ପ୍ରତିଶତ ବିଦ୍ୟୁତୀକରଣ ହୋଇଛି ।
ରେଳ ଷ୍ଟେସନ ଏବଂ ମରାମତି କାରଖାନା ପାଇଁ ରେଳବାଇ ସବୁଜ ଶକ୍ତିର ଅଧିକରୁ ଅଧିକ ବ୍ୟବହାର କରୁଛି । ଏବେ ଏହା ଟ୍ରେନ୍ ଚଳାଇବାକୁ ଅଧିକ ସବୁଜ ଶକ୍ତି ପାଇବା ପାଇଁ ରାଜ୍ୟଗୁଡ଼ିକ ସହିତ ମିଶି କାର୍ଯ୍ୟ କରୁଛି । ଏସବୁ ଫଳରେ ଭାରତ ନିଜର ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ କରିପାରିବ ।
ମାଲ୍ ପରିବହନ କ୍ଷେତ୍ରରେ ପରିବର୍ତ୍ତନ
ଏହି ଗତିଶୀଳତାକୁ ଆଧାର କରି, ଉତ୍ସର୍ଗୀକୃତ ମାଲ ପରିବହନ କରିଡର (ଡିଏଫସି)ଗୁଡ଼ିକର ବିଦ୍ୟୁତୀକରଣ ହୋଇଛି । ଏଗୁଡ଼ିକ ଉଚ୍ଚ କ୍ଷମତାବିଶିଷ୍ଟ ରେଳଲାଇନ ଯାହାକୁ କେବଳ ମାଲ୍ ପରିବହନ ପାଇଁ ପ୍ରସ୍ତୁତ କରାଯାଇଛି । ୨,୭୪୧ କିମି. ଡିଏଫସି କାର୍ଯ୍ୟକ୍ଷମ ହେବା ସହିତ ସଡ଼କରେ ଭିଡ଼ ହ୍ରାସ ପାଇଛି ଏବଂ ଡିଜେଲ ବ୍ୟବହାର ଓ ଅଙ୍ଗାରକାମ୍ଳ ନିର୍ଗମନକୁ ଉଲ୍ଲେଖନୀୟ ଭାବେ ହ୍ରାସ କରାଯାଇଛି ।
ଭାରତ ମଧ୍ୟ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଭଳି ଆଧୁନିକ ଓ ପ୍ରଦୂଷଣମୁକ୍ତ ପ୍ରଯୁକ୍ତିକୁ ଗ୍ରହଣ କରୁଛି । ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ହରିୟାଣାର ଜିନ୍ଦ ଏବଂ ସୋନିପତ ମଧ୍ୟରେ ଚାଲିବ ଏବଂ ୨,୬୦୦ ଯାତ୍ରୀଙ୍କର ପରିବହନ କରିବ । ଏହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ଦୀର୍ଘତମ ହାଇଡ୍ରୋଜେନ୍ ଟ୍ରେନ୍ ହେବ ।
ଅର୍ଥବ୍ୟବସ୍ଥା ଓ ପରିବେଶ
ଆର୍ଥିକ ଅଭିବୃଦ୍ଧି ଏବଂ ପରିବେଶଗତ ଦାୟିତ୍ୱ ଏକାସାଙ୍ଗରେ ଚାଲିପାରିବ ଏବଂ ଏହା ନିଶ୍ଚୟ ହେବା ଉଚିତ ବୋଲି ଭାରତ ପ୍ରମାଣ କରିଛି । ବିଶ୍ୱ ବ୍ୟାଙ୍କର ଲଜିଷ୍ଟିକ୍ସ ପ୍ରଦର୍ଶନ ସୂଚକାଙ୍କ ୨୦୨୩ ଅନୁଯାୟୀ, ଭାରତ ବର୍ତ୍ତମାନ ୧୩୯ଟି ଦେଶ ମଧ୍ୟରୁ ୩୮ତମ ସ୍ଥାନରେ ରହିଛି, ଯାହା ୨୦୧୪ ପରଠାରୁ ୧୬ଟି ସ୍ଥାନ ଉପରକୁ ଉଠିଛି । ରେଳ ବିଦ୍ୟୁତୀକରଣର ସମ୍ପ୍ରସାରଣ ଦ୍ୱାରା ଖର୍ଚ୍ଚ ଓ ପ୍ରଦୂଷଣ ହ୍ରାସ ପାଇଛି । ଏହା ଗତି ଏବଂ କ୍ଷମତା ମଧ୍ୟ ବୃଦ୍ଧି କରିଛି, ଯାହା ଭାରତକୁ ବିଶ୍ୱସ୍ତରୀୟ ଲଜିଷ୍ଟିକ୍ସ ମାନର ନିକଟତର ହେବାରେ ସାହାଯ୍ୟ କରିଛି ।
ଶୂନ୍ୟ ପ୍ରଦୂଷଣ ଦିଗରେ ରେଳବାଇର ଯାତ୍ରା
୨୦୩୦ ବର୍ଷକୁ ଭାରତୀୟ ରେଳବାଇ ପାଇଁ ନେଟ୍ ଜିରୋ ବା ପ୍ରଦୂଷଣମୁକ୍ତ ବର୍ଷ ଭାବେ ପ୍ରଧାନମନ୍ତ୍ରୀ ମୋଦି ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ଦ୍ରୁତ ବିଦ୍ୟୁତୀକରଣ ଏବଂ ସଡ଼କରୁ ରେଳକୁ ବ୍ୟାପକ ମାତ୍ରାରେ ମାଲ ପରିବହନ ସ୍ଥାନାନ୍ତର କାରଣରୁ ଭାରତୀୟ ରେଳବାଇ ୨୦୨୫ ମସିହା ମଧ୍ୟରେ ଶୂନ୍ୟ (ପରିସର-୧) ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି । ଚଳିତ ବିଶ୍ୱ ପରିବେଶ ଦିବସ ଅବସରରେ ଭାରତୀୟ ରେଳବାଇ ଦୀର୍ଘସ୍ଥାୟୀ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଛି । ବିଦ୍ୟୁତୀକରଣ ହୋଇଥିବା ପ୍ରତ୍ୟେକ ରେଳପଥ, ପ୍ରତ୍ୟେକ ସୌର ପ୍ୟାନେଲ ଏବଂ ସଡ଼କ ପରିବର୍ତ୍ତେ ରେଳ ମାର୍ଗରେ ଥିବା ପ୍ରତ୍ୟେକ ମାଲ କଣ୍ଟେନର ଆମ ଲୋକମାନଙ୍କ ପାଇଁ ଏବଂ ଆମ ପୃଥିବୀ ଲାଗି ଏକ ପ୍ରତିଶ୍ରୁତି ।