ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶରେ ପରିଣତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ରାଜନୀତି ବିକାଶବାଦ ଉପରେ ଆଧାରିତ । ଭାରତ କିଭଳି ବିକଶିତ ଦେଶରେ ପରିଣତ ହୋଇପାରିବ ତାହା ହେଉଛି ତାଙ୍କ ସରକାରଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଦେଶର ଶାସନ ଗାଦିରେ ୧୧ ବର୍ଷ ପୂରା କରିଛନ୍ତି । ତାଙ୍କ ତୃତୀୟ ପାଳିରେ ସେ ୨୦୨୪ ଜୁନ୍ ୯ରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହି ତୃତୀୟ ପାଳିର ପ୍ରଥମ ବର୍ଷ ଅର୍ଥାତ୍ ତାଙ୍କ ୧୧ ବର୍ଷ ଶାସନକାଳର ୧୧ତମ ବର୍ଷ ସବୁଠାରୁ ଥିଲା ଚୁନୌତିପୂର୍ଣ୍ଣ ଏବଂ ତାଙ୍କ ନେତୃତ୍ୱ ପାଇଁ କଠୋର ପରୀକ୍ଷାର ସମୟ । ଦେଶର ପ୍ରଧାନମନ୍ତ୍ରୀ ଭାବେ ୨୦୧୪ ମେ’ ୨୬ରେ ନରେନ୍ଦ୍ର ମୋଦି ପ୍ରଥମଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେତେବେଳେ ତାଙ୍କ ଦଳ ବିଜେପିକୁ ଲୋକସଭାରେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ ହୋଇଥିଲା । ସରକାରର ସ୍ଥିରତା ପାଇଁ ତାଙ୍କୁ ବିଜେପି ନେତୃତ୍ୱାଧୀନ ଏନ୍ଡିଏର ଅନ୍ୟ ଘଟକ ଦଳ ଉପରେ ନିର୍ଭର କରିବାକୁ ପଡ଼ିନଥିଲା । ସେହିପରି ୨୦୧୯ରେ ସେ ଯେତେବେଳେ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ତାଙ୍କ ଦଳ ବିଜେପିକୁ ୨୦୧୪ ତୁଳନାରେ ଅଧିକ ଆସନ ପ୍ରାପ୍ତ ହୋଇଥିଲା । ତେବେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜେପିକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ ହୋଇନଥିଲା । ସରକାର ଗଠନ କରିବା ପାଇଁ ତାଙ୍କୁ ଏନ୍ଡିଏର ଅନ୍ୟ ଘଟକ ଦଳ ତେଲଗୁ ଦେଶମ୍ ପାର୍ଟି (ଟିଡିପି), ଜନତା ଦଳ (ୟୁ) ଓ ଅନ୍ୟ ସହାଯୋଗୀ ଦଳଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥିଲା ।
ଏହାଫଳରେ ମୋଦିଙ୍କ ରାଜନୈତିକ ଶକ୍ତିରେ କିଛି ପରିମାଣର କ୍ଷୟ ଦେଖିବାକୁ ମିଳିଥିଲା । ଏହାର ଫାଇଦା କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ଉଠାଇ ଏକ ପ୍ରମୁଖ ମଜବୁତ ବିପକ୍ଷ ଦଳ ଭାବେ ଲୋକସଭାରେ ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ । ରାହୁଳ ଗାନ୍ଧି ବିରୋଧୀ ଦଳର ନେତା ହୋଇଥିଲେ । ସେତେବେଳେ ରାଜନୈତିକ ବିଶେଷଜ୍ଞଙ୍କ ମନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଭଳି ମେଣ୍ଟ ସରକାର ଚଳାଇବେ ସେ ନେଇ ସନ୍ଦେହ ଉପୁଜିଥିଲା । ଏହାର କାରଣ ଥିଲା ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ କିମ୍ବା କେନ୍ଦ୍ରରେ ୧୦ ବର୍ଷର ଶାସନକାଳ ସମୟରେ କେବେ ମେଣ୍ଟ ସରକାର ଚଳାଇନଥିଲେ । ଏହାର ବିଶେଷ ଅଭିଜ୍ଞତା ମଧ୍ୟ ତାଙ୍କର ନଥିଲା । କେତେକ ରାଜନୈତିକ ବିଶ୍ଳେଷକଙ୍କ ମତ ଥିଲା ଯେ ମୋଦିଙ୍କ ତୃତୀୟ ପାଳି ସରକାର ବେଶିଦିନ ଚାଲିପାରିବ ନାହିଁ । କଂଗ୍ରେସ ଦଳ ତଥା ବିରୋଧୀ ଦଳର ନେତା ରାହୁଳ ଗାନ୍ଧି ମୋଦିଙ୍କ ଊପରେ ତୀକ୍ଷ୍ଣ କଟାକ୍ଷ କରିବାକୁ ଲାଗିଥିଲେ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମସ୍ତ ଭବିଷ୍ୟତ ବାଣୀକୁ ଗତ ଏକବର୍ଷ ମଧ୍ୟରେ ନିରାଧାର କରିଦେଇଥିଲେ । ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ଏବଂ ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ(ୟୁ)ର ସର୍ବେସର୍ବା ନୀତୀଶ କୁମାରଙ୍କ ସହ ତାଙ୍କ ବ୍ୟକ୍ତିଗତ ସମ୍ପର୍କ ଆହୁରି ମଜବୁତ ହୋଇଥିଲା । ଗତ ଏକ ବର୍ଷ ମଧ୍ୟରେ ମୋଦିଙ୍କ ତୃତୀୟ ପାଳିର ଏନଡିଏ ମେଣ୍ଟ ସରକାରରେ ଟିକିଏ ହେଲେ ମାତ୍ର ବିରୋଧାଭାଷ ଏପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ । ଏପରିକି ବିବାଦୀୟ ୱାକଫ ବିଲ୍ ଉପରେ ମଧ୍ୟ ଟିଡିପି ଓ ଜନତା ଦଳ(ୟୁ) ବିଜେପି ସହ ସ୍ୱର ମିଳାଇଥିଲେ । ବିରୋଧୀ ଦଳଙ୍କ ପ୍ରଚଣ୍ଡ ଅକ୍ରମଣ ସତ୍ତେ୍ୱ ଏହି ବିଲ୍ ସଂସଦରେ ପାରିତ ହୋଇଥିଲା ।
ତେବେ ଲୋକସଭା ନିର୍ବାଚନ ପରେ ବିଜେପି ହରିୟାଣା, ମହାରାଷ୍ଟ୍ର ଓ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅଭୂତପୂର୍ବ ସଫଳତା ହାସଲ କରିଥିଲା । ୨୦୨୪ ଲୋକସଭା ନିର୍ବାଚନରେ ମୋଦିଙ୍କୁ ଯେଉଁ ରାଜନୈତିକ ଧକ୍କା ଲଗିଥିଲା ତାହା ଖୁବ୍ ଶୀଘ୍ର ତାଙ୍କ ପାଇଁ ରାଜନୈତିକ ସଫଳତା ଆଣିଦେଇଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ନେଇ ବିରୋଧୀ ପକ୍ଷଙ୍କ ଦ୍ୱାରା ଯେଉଁ ପ୍ରଶ୍ନ ଉଠାଯାଉଥିଲା ତାହା ଧରାଶାୟୀ ହୋଇଥିଲା । ମୋଦି ଏହି ବିଜୟ ଫଳରେ ପୁନର୍ବାର ଶକ୍ତିଶାଳୀ ହୋଇଥିଲେ । ରାହୁଳ ଗାନ୍ଧି ଓ ଅନ୍ୟ ବିରୋଧୀ ଦଳଙ୍କୁ ଯେଉଁ ସଫଳତା ହାସଲ ହୋଇଥିଲା ସେଥିରୁ ସେମାନେ ବିଧାନସଭା ନିର୍ବାଚନରେ ଫାଇଦା ଉଠାଇ ପାରିନଥିଲେ ।
ଗତ ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦ ଘଟଣା ଏବଂ ଏହାପରେ ଭାରତ ସରକାର ଯେଭଳି ଭାବେ ‘ଅପରେସନ୍ ସିନ୍ଦୂର’ କାର୍ଯ୍ୟକାରୀ କଲେ ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତମୁଠାକୁ ଆହୁରି ମଜବୁତ କଲା । ମାତ୍ର ୪ ଦିନ ମଧ୍ୟରେ ପାକିସ୍ତାନକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଲା । ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ସରକାରଙ୍କ ପାଇଁ ଏହା ଥିଲା ଏକ ବଡ଼ ବିଜୟ । ଆତଙ୍କବାଦ ବିରୁଦ୍ଧରେ ତାଙ୍କ ସରକାର ଯେଉଁ କଠୋର ପଦକ୍ଷେପ ଗ୍ରହଣ କଲେ ତାହା ବିଶ୍ୱର ନେତାମାନେ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସ୍ପଷ୍ଟ କରିଦେଲେ ଯେ, ଭବିଷ୍ୟତରେ ଭାରତ ଗୁଳିର ଜବାବ ଗୋଳାରେ ଦେବ ଏବଂ ପାକିସ୍ତାନର ଆଣବିକ ଧମକ ବରଦାସ୍ତ କରାଯିବ ନାହିଁ । ପାକିସ୍ତାନ ଯେପର୍ଯ୍ୟନ୍ତ ଆତଙ୍କବାଦ ବିରୁଦ୍ଧରେ ସ୍ପଷ୍ଟ ଏବଂ ବିଶ୍ୱସନୀୟ ପଦକ୍ଷେପ ଗ୍ରହଣ ନକରିଛି ସେ ପର୍ଯ୍ୟନ୍ତ ତା’ସହ କୌଣସି ପ୍ରସଙ୍ଗରେ କଥାବାର୍ତ୍ତା କରାଯିବ ନାହିଁ । ଏହା ସହ ମୋଦି ମଧ୍ୟ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସତର୍କ କରିଦେଲେ ଯେ ଜାମ୍ମୁ-କାଶ୍ମୀର ହେଉଛି ଭାରତର ଅଭିନ୍ନ ଅଙ୍ଗ ଏବଂ ଏହା ଉପରେ କୌଣସି ତୃତୀୟ ପକ୍ଷର ଦଖଲ ବା ମଧ୍ୟସ୍ଥତାକୁ ସ୍ୱୀକାର କରାଯାଇ ପାରିବନାହିଁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ତୃତୀୟ ପାଳି ସରକାରରେ ଜାତି ଜନଗଣନାକୁ କାର୍ଯ୍ୟକାରୀ କରିବା ସକାଶେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ବିରୋଧୀ ଦଳର ନେତା ରାହୁଳ ଗାନ୍ଧି ଓ ଅନ୍ୟ ବିରୋଧୀ ଦଳ ନେତାମାନେ ଜାତି ଜନଗଣନା ପାଇଁ ଯେଉଁ ଦାବି ଉଠାଇ ଆସୁଥିଲେ ତାହାକୁ ମୋଦି ଗ୍ରହଣ କରି ବିରୋଧୀ ପକ୍ଷଙ୍କ ଯୋଜନାକୁ ଭଣ୍ଡୁର କରିଦେଇଥିଲେ । ତୃତୀୟ ପାଳିର ସରକାରରେ ଦେଶର ଆର୍ଥିକ ସ୍ଥିତି ମଧ୍ୟ ଆହୁରି ମଜବୁତ ହୋଇଛି । କିଛିଦିନ ତଳେ ଭାରତ ବିଶ୍ୱର ଚତୁର୍ଥ ଅର୍ଥନୀତିରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ୨୦୧୪ରେ କ୍ଷମତାକୁ ଆସିଥିଲେ ସେତେବେଳେ ଭାରତ ବିଶ୍ୱର ୧୧ତମ ଅର୍ଥନୀତି ଅବସ୍ଥାରେ ଥିଲା । ତେବେ ମୋଦିଙ୍କ ବିଭିନ୍ନ କଠୋର ଆର୍ଥିକ ପଦକ୍ଷେପ ଫଳରେ ଭାରତର ଆର୍ଥିକ ସ୍ଥିତି ମଜବୁତ ହୋଇଥିଲା ଏବଂ ୨୦୨୪ ବେଳକୁ ଏହା ବିଶ୍ୱର ୫ମ ଅର୍ଥନୀତିରେ ପହଞ୍ଚିଥିଲା । ୨୦୨୪ ଲୋକସଭା ନିର୍ବାଚନରେ ମୋଦି ନାରା ଦେଇଥିଲେ ଯେ, ଆସନ୍ତା ୫ବର୍ଷ ମଧ୍ୟରେ ଭାରତ ବିଶ୍ୱର ତୃତୀୟ ଅର୍ଥନୀତିରେ ପରିଣତ ହେବ । ତେବେ ଗତ ଏକ ବର୍ଷ ମଧ୍ୟରେ ଭାରତ ବିଶ୍ୱର ୪ର୍ଥ ଅର୍ଥନୀତିରେ ସ୍ଥାନ ପାଇବାରେ ସକ୍ଷମ ହୋଇପାରିଛି । ଦେଶ ବିଦେଶର ଅର୍ଥନୀତିଜ୍ଞମାନଙ୍କ ମତରେ ଆସନ୍ତା ୪ବର୍ଷ ମଧ୍ୟରେ ଭାରତ ଦେଶର ତୃତୀୟ ଅର୍ଥନୀତିରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
୨୦୧୪ରେ ମୋଦି ଯେତେବେଳେ କ୍ଷମତାକୁ ଆସିଲେ ସେତେବେଳେ ଦେଶର ଆର୍ଥିକ ପରିସ୍ଥିତି ବିଶେଷଭାବେ ନୈରାଶ୍ୟଜନକ ଥିଲା । ତାଙ୍କ ପୂର୍ବବର୍ତ୍ତୀ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ହୋଇଥିଲେ ମଧ୍ୟ ଦେଶର ଆର୍ଥିକ ପରିସ୍ଥିତି ସ୍ଥାଣୁ ପାଲଟି ଯାଇଥିଲା । ଏହାକୁ ଇଂରାଜୀରେ ‘ପଲିସି ପାରାଲେସିସ୍’ ବୋଲି କୁହାଯାଉଥିଲା । ଦେଶ ବହୁ ପଛକୁ ଚାଲିଯାଇଥିଲା । ସେତେବେଳେ ଦୁର୍ନୀତି ମଧ୍ୟ ଚରମସୀମାରେ ପହଞ୍ଚିଥିଲା । ବିଜେପି ଏହାର ରାଜନୈତିକ ଫାଇଦା ୨୦୧୪ ଲୋକସଭା ନିର୍ବାଚନରେ ଉଠାଇଥିଲା । ନରେନ୍ଦ୍ର ମୋଦିଙ୍କୁ ବିଜେପି ତାହାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲା । ଯାହାଫଳରେ ତାଙ୍କୁ ୧୯୮୪ ପରେ ପ୍ରଥମଥର ପାଇଁ ୨୦୧୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ ହୋଇଥିଲା ।
ପ୍ରଥମ ପାଳି ସରକାରରେ ପ୍ରଧାନମନ୍ତ୍ରୀ ହେବାପରେ ସେ ଦେଶର ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥିଲେ । ତାଙ୍କର ନୀତିଗତ ପ୍ରଚେଷ୍ଟା ଫଳରେ ଦେଶରେ ସଡ଼କ, ରେଳଲାଇନ ଆଦି ବିଭିନ୍ନ ଭିତ୍ତିଭୂମିର ବିସ୍ତାର କରାଯାଇଥିଲା । ଯାହା ଏବେ ୨୦୧୪ ତୁଳନାରେ ତିନିଗୁଣକୁ ବୃଦ୍ଧିପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗରୀବ କଲ୍ୟାଣ ଓ ଦେଶର ଆର୍ଥିକ ଭାବେ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ । ଦ୍ୱିତୀୟ ପାଳିରେ ବିଜେପି ଅଧିକ ଆସନ ହାସଲ କରି କ୍ଷମତାକୁ ଆସିବାପରେ ବହୁଦିନର ପ୍ରତୀକ୍ଷିତ ରାମ ମନ୍ଦିର ବିବାଦର ସୁପ୍ରିମକୋର୍ଟ ଦ୍ୱାରା ସମାଧାନ ହୋଇଥିଲା । ମୋଦି ସରକାର ଅଯୋଧ୍ୟାଠାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ସକାଶେ ପଦକ୍ଷେପ ଗ୍ରହଣ କରିଥିଲେ । ଏହାର କିଛିଦିନ ପରେ ୨୦୧୯ ଅଗଷ୍ଟ ୫ରେ ଧାରା-୩୭୦କୁ ସମାପ୍ତ କରିଦିଆଯାଇଥିଲା । ଏହି ନିଷ୍ପତ୍ତି ଫଳରେ ଜାମ୍ମୁ-କାଶ୍ମୀର ଦେଶର ମୁଖ୍ୟଧାରାରେ ସାମିଲ ହୋଇପାରିଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶରେ ପରିଣତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ରାଜନୀତି ବିକାଶବାଦ ଉପରେ ଆଧାରିତ । ଭାରତ କିଭଳି ବିକଶିତ ଦେଶରେ ପରିଣତ ହୋଇପାରିବ ତାହା ହେଉଛି ତାଙ୍କ ସରକାରଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ଦେଶରେ ବିଶ୍ୱସ୍ତରୀୟ ଭିତ୍ତିଭୂମିର ବିକାଶ, ରୋଜଗାରର ସୁଯୋଗ ସୃଷ୍ଟିକରିବା ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ କଲ୍ୟାଣକାରୀ ପଦକ୍ଷେପ ହେଉଛି ତାଙ୍କ ସରକାରଙ୍କ ପାଇଁ ବିଶେଷ ପ୍ରାଧାନ୍ୟ । ଏହାକୁ ସାକାର କରିବା ପାଇଁ ଆଗାମୀ ୪ବର୍ଷ ତାଙ୍କ ମେଣ୍ଟ ସରକାରଙ୍କ ପାଇଁ ହେବ କଠୋର ପରୀକ୍ଷାର ସମୟ । ତେବେ ପ୍ରଥମ ବର୍ଷରେ ମେଣ୍ଟ ସରକାର ଚଲାଇବା ପାଇଁ ଯେଉଁ ରାଜନୈତିକ ଇଚ୍ଛାଶକ୍ତି ବିଜେପିର ସହାଯୋଗୀ ଦଳମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ତାହାର ସ୍ଥାୟିତ୍ୱ ଉପରେ ନିର୍ଭର କରେ ମୋଦି ସରକାରଙ୍କ ଆଗାମୀ ଦିନର ସଫଳତା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗତ ୧ ବର୍ଷ ମଧ୍ୟରେ ଏନ୍ଡିଏର ସମସ୍ତ ସହଯୋଗୀ ଦଳମାନଙ୍କୁ ସାଥିରେ ନେଇ ବିଭିନ୍ନ ବିବାଦୀୟ ପ୍ରସଙ୍ଗର ସମାଧାନ ପାଇଁ ଆଲୋଚନା ମାଧ୍ୟମରେ ରାସ୍ତା ବାହାର କରିଛନ୍ତି । ଏହାଫଳରେ ଏନ୍ଡିଏ ସହଯୋଗୀ ଦଳମାନଙ୍କ ତାଙ୍କ ନେତୃତ୍ୱ ପ୍ରତି ସୃଷ୍ଟିହୋଇଛି ପୂର୍ଣ୍ଣ ଭରସା । ତେବେ ତୃତୀୟ ପାଳିର ପ୍ରଥମ ବର୍ଷ ମୋଦି ସରକାରଙ୍କ ପାଇଁ ଚୁନୌତିପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହା ତାଙ୍କର ଏକ ବଡ଼ ସଫଳତାର ବର୍ଷ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।