ନୂଆଦିଲ୍ଲୀ ୧୫/୦୬: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ୧୭୧ କ୍ରାସ ହେବା ପରେ ଭାରତୀୟ ବେସାମରିକ ବିମାନ ଚଳାଚଳ କ୍ଷେତ୍ରକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ଏବେ ଦେଶର ବିମାନ ପରିଚାଳନା କ୍ଷେତ୍ର ଆହ୍ୱାନ ଦେଇ ଗତି କରୁଛି । ମାତ୍ର ବର୍ତ୍ତମାନର ଘଟଣା ଉଭୟ ବିଶ୍ୱ ବଜାର ଏବଂ ବିମାନ ଯାତ୍ରୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦେଶର ବିମାନ ଚଳାଚଳ ଏକ ଘଡ଼ି ସନ୍ଧି ମୁହୁର୍ତ୍ତ ଦେଇ ଗତି କରୁଥିବା ବେଳେ ଏହା ଅଗ୍ନି ପରୀକ୍ଷାର ବେଳ ବୋଲି କୁହାଯାଉଛି ।
୨୦୨୬ ସୁଦ୍ଧା ଭାରତ ବିଶ୍ୱର ୩ୟ ବୃହତ୍ତ ବିମାନ ଚଳାଚଳ ବଜାର ଭାବେ ଉଭା ହେବ । ଏୟାରପୋର୍ଟ କାଉନସିଲ ଇଣ୍ଟରନ୍ୟାଶନାଲ ରିପୋର୍ଟ ମୁତାବକ ୨୦୪୦ ବେଳକୁ ୧୩୦ କୋଟି ଲୋକ ବିମାନ ଯାତ୍ରା କରିବାର ଢ଼େର ସମ୍ଭାବନା ରହିଛି । ମାତ୍ର ବଜାରର ସ୍ଥିତାବସ୍ଥା ବିନା ଯାତ୍ରୀ ସଂଖ୍ୟାରେ ଏହି ବୃଦ୍ଧି ବଡ଼ ସମସ୍ୟା ସୃଷ୍ଟି କରିବ ।
ବର୍ତ୍ତମାନ ଘରୋଇ ବଜାରରେ ସେବା ଯୋଗାଉଥିବା କମ୍ପାନି ଗୁଡ଼ିକ ସେମାନଙ୍କ ନିକଟରେ ଥିବା ବିମାନ ଗୁଡ଼ିକ ଠିକ୍ ପରିଚାଳନା କରିବାକୁ ସକ୍ଷମ ହେଉନାହାନ୍ତି । ମେଣ୍ଟେନାନ୍ସ କ୍ଷମତାର ଅଭାବ, କୁଶଳୀ ଶ୍ରମଶକ୍ତି ନ ମିଳିବା, ନିୟାମକ ଚ୍ୟାଲେଞ୍ଜ ଏବଂ ଶିଳ୍ପରେ ଗ୍ରାହକଙ୍କ ସ୍ୱାର୍ଥକୁ ସୁରକ୍ଷା ଅଗ୍ରାଧିକାର ମନୋଭାବ ଏତେଟା ନ ଥିବାରୁ ଏହା ଶିଳ୍ପ ଲାଗି ବଡ଼ ଚ୍ୟାଲେଞ୍ଜିଂ ହେବ ବୋଲି ବିଶେଷଜ୍ଞ କହିଛନ୍ତି ।
ଦେଶର ବେସାମରିକ ବିମାନ ଚଳାଚଳ କ୍ଷେତ୍ରକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅନେକ ସମସ୍ୟା ଦେଖାଯାଏ । ପର୍ଯ୍ୟାପ୍ତ ସଂଖ୍ୟକ ବିମାନ ମିଳୁ ନ ଥିବାରୁ ବିମାନ ବାତିଲ, ଉଚ୍ଚ ପରିମାଣର ଭଡ଼ା, ବିମାନ ବିଳମ୍ବ ଭଳି ଅନେକ ସମସ୍ୟା ଦେଇ ଶିଳ୍ପ ଗତି କରୁଛି । କେବଳ ପୁଞ୍ଜି ନୁହେଁ ଶିଳ୍ପକୁ ଦୃଢ଼ କରିବା ଦିଗରେ ଅଧିକ ପଦକ୍ଷେପ ଲୋଡ଼ା ରହିଛି । ପରିଚାଳନାଗତ ଦକ୍ଷତା, ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା, କୁଶଳୀ ଶ୍ରମଶକ୍ତି ଏବଂ କକ୍ପିଟ୍କୁ ଆହୁରି ଆଧୁନିକୀକରଣ କରିବା ଉପରେ ଏବେ ଧ୍ୟାନ ଦେବାର ବେଳ ବୋଲି କୁହନ୍ତି ବିଶେଷଜ୍ଞ ।
ଭାରତୀୟ ଏୟାର ଲାଇନ କମ୍ପାନି ଗୁଡିକ ଲାଗି ପ୍ରମୁଖ ସମସ୍ୟା ମଧ୍ୟରେ ପ୍ରାଟ୍ ଆଣ୍ଡ୍ ହ୍ୱିଟନି (ପିଆଣ୍ଡ୍ଡବ୍ଲ୍ୟୁ) ଇଞ୍ଜିନର ବିଫଳତା । ବିଶ୍ୱ ସପ୍ଲାଇଚେନ ସମସ୍ୟା ଯୋଗୁ ଏଭଳି ସ୍ଥିତି ଆହୁରି ଜଟିଳ ହୋଇଛି । ବିମାନ ଗୁଡ଼ିକ ମେଣ୍ଟେନାନ୍ସ ଠିକ୍ ହୋଇ ପାରୁନ ଥିବାରୁ ପରିଚାଳନା କ୍ଷମତାବକୁ ବଡ଼ ମାତ୍ରାରେ ପ୍ରଭାବିତ କରୁଛି । ରେଟିଂ ଏଜେନ୍ସି ଇକ୍ରା ମୁତାବକ, ସପ୍ଲାଇ ଚେନ ସମସ୍ୟା ଏବଂ ବିମାନ ଗୁଡ଼ିକର ଇଞ୍ଜିନରେ ବିଫଳତା ଶିଳ୍ପକୁ ବଡ ମାତ୍ରାରେ କ୍ଷତି ପହଞ୍ଚାଉଛି ।
ପିଆଣ୍ଡଡବ୍ଲ୍ୟୁ ଇଞ୍ଜିନ ଯୋଗାଣରେ ବିଳମ୍ବ ଯୋଗୁ ଭାରତୀୟ କମ୍ପାନି ଗୁଡ଼ିକ କ୍ଷତି ସହୁଛନ୍ତି । ଇଞ୍ଜିନରେ ମସସ୍ୟା ଯୋଗୁ ଗୋଏୟାର କମ୍ପାନିକୁ ଏହାର ଅର୍ଦ୍ଧାଧିକ ବିମାନ ଛିଡା କରିବାକୁ ପଡ଼ିଥିଲା । ସେହିଭଳି ଦେଶର ପ୍ରମୁଖ ବିମାନ କମ୍ପାନି ଇଣ୍ଡିଗୋ ମଧ୍ୟ ସମାନ ସମସ୍ୟା ଯୋଗୁ ଏବେ ଏହାର ୬୦ରୁ ୭୦ ବିମାନକୁ ସେବାରୁ ବାଦ ଦେଇଛି । ୨୦୨୫ ମାର୍ଚ୍ଚ ସୁଦ୍ଧା ଦେଶର ମୋଟ ବିମାନର ୧୬% ବା ୧୩୩ ବିମାନ ଇଞ୍ଜିନ ସମସ୍ୟା ଯୋଗୁ ଚାଲିବାକୁ ସକ୍ଷମ ନ ଥିବା ଇକ୍ରା ରିପୋର୍ଟରୁ ଜଣାପଡ଼ିଛି ।
ଏଭଳି ସମସ୍ୟାକୁ ନଜରରେ ରଖି ଇଣ୍ଡିଗୋ ପିଆଣ୍ଡ୍ଡବ୍ଲ୍ୟୁ ଇଞ୍ଜିନ ପରିବର୍ତ୍ତେ ସିଏଫ୍ଏମ୍ ପାୱାର ଫ୍ଲିଟ ବ୍ୟବସ୍ଥା ଗ୍ରହଣ କରିବାକୁ ଅଗ୍ରସର ହୋଇଛି । ସେହିଭଳି ବିମାନ କମ୍ପାନିଗୁଡ଼ିକର ଦକ୍ଷ ପାଇଲଟଙ୍କ ଅଭାବ ଅନ୍ୟ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଅନ୍ୟ ପଟେ ନିରାପତ୍ତା, ବିଶ୍ୱ ସ୍ତରୀୟ ଭିତ୍ତିଭୂମି ନେଇ ଆଶଙ୍କା, କିଙ୍ଗଫିସର, ଜେଟ ଭଳି ବଡ ବିମାନ କମ୍ପାନିଙ୍କ ବିଫଳତା ସହ ଶିଳ୍ପ ସାମ୍ନାରେ ଅନେକ ଆହ୍ୱାନ ରହିଛି ।