ଗୁଡଭେଲା, ୧୭/୬ : ଦିନିକିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ସକାଳେ ମୁଖ୍ୟମନ୍ତ୍ରୀ ତୁଷୁରା ଏୟାରଷ୍ଟ୍ରିପ୍ରେ ପହଞ୍ଚି ବଲାଙ୍ଗୀର ଅଭିମୁଖେ ବାହାରିଛନ୍ତି। ତୁଷୁରାରେ ଟିଟଲାଗଡ଼ ବିଧାୟକ ନବୀନ ଜୈନଙ୍କ ସହ ଅନେକ କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ନିଜେ ଡିଆଇଜି ହିମାଂଶୁ ଲାଲ, ବଲାଙ୍ଗୀର ଏସପି ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ରହିଛନ୍ତି।
ମୁଖ୍ୟମନ୍ତ୍ରୀ ସ୍ଥାନୀୟ ପଥରଚେପା ପଡ଼ିଆରେ ହେବାକୁ ଥିବା ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ଯୋଗଦେବେ । ଚାଷୀଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଯୋଜନା ଏବଂ ଉପଲବ୍ଧି ସମ୍ପର୍କରେ କହିବେ । ଜିଲ୍ଲାକୁ କିଛି ବଡ଼ ଭେଟି ମିଳିପାରେ ବୋଲି ଆଶା କରାଯାଉଛି ।
ସେହିପରି କାର୍ଯ୍ୟକ୍ରମସ୍ଥଳରେ ଚାଷୀମାନଙ୍କୁ ସଚେତନ କରିବା ପାଇଁ ପ୍ରଦର୍ଶନୀ ଷ୍ଟଲଗୁଡ଼ିକ ଖୋଲାଯାଇଛି । ଏସମ୍ପର୍କରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର କହିଛନ୍ତି ଯେ, ରାଜ୍ୟସ୍ତରୀୟ କୃଷି ସମାବେଶରେ ପ୍ରାୟ ୧୫ହଜାରରୁ ଊର୍ଦ୍ଧ୍ୱ ଜିଲ୍ଲା ଓ ଜିଲ୍ଲା ବାହାରର ଚାଷୀ ଯୋଗଦେବେ । କାର୍ଯ୍ୟକ୍ରମରେ କେତେକ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ଚାଷୀଙ୍କ ବସିବା, ଖାଇବା, ପାର୍କିଂ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ପାଣିପାଗକୁ ନଜରରେ ରଖି ଉଭୟ ବସିବା ଏବଂ ଷ୍ଟଲଗୁଡ଼ିକରେ ୱାଟରପ୍ରୁଫିଂ ବ୍ୟବସ୍ଥା କରାଯାଇଛି । ଆବଶ୍ୟକସ୍ଥଳେ ପେଭର ବ୍ଲକ ପକାଯାଇଛି । ତେଣୁ ଆଶା ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟକ୍ରମ ସରିବ ।