ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

୧୬୪୯ ମସିହାର ଦୁର୍ଲ୍ଲଭ ତାମ୍ର ଶାସନ ପାଠୋଦ୍ଧାର

Published By : Harapriya Sethi | June 20, 2025 9:01 AM

ରାୟଗଡ଼ା, ୨୦/୦୬: ଓଡ଼ିଶାର ଐତିହ୍ୟ ଓ ଲିପି ତତ୍ତ୍ଵ ଅନୁସନ୍ଧାନର ଦିଗରେ ଏକ ବଡ଼ ଉନ୍ମୋଚନ । ରାୟଗଡ଼ା ଜିଲ୍ଲାର ଗୁଣୁପୁରରୁ ଏକ ୧୭ ଶତାବ୍ଦୀର ଦୁର୍ଲ୍ଲଭ ଓ ଅତି ମୂଲ୍ୟବାନ ତାମ୍ର ଶାସନ ପ୍ରାପ୍ତ ହୋଇଛି । ଯାହା ନନ୍ଦପୁର ମହାରାଜା ଲାଲାକୃଷ୍ଣ ଦେବଙ୍କ ଦ୍ୱାରା ବାଲାଜୀ ମଠ ମହନ୍ତ ସହଜ ରାମ ଗୋସାଇଙ୍କୁ ଦିଆଯାଇଥିଲା । 

ଏହି ଶାସନପତ୍ର ୧୪ ଜୁନ୍‌ ୨୦୨୫ ରେ ସଦାନନ୍ଦ ପଣ୍ଡା ନାମକ ଏକ ସ୍ଥାନୀୟ ବ୍ୟକ୍ତିଙ୍କ ଦ୍ୱାରା ଗୁଣୁପୁରରେ ଥିବା ଗୋବିନ୍ଦ ମହାପାତ୍ରଙ୍କ ପୁରୁଣା ବାସଗୃହରେ ମିଳିଥିଲା । ଗୋବିନ୍ଦଙ୍କ ପୁଅ ତ୍ରିନାଥ ମହାପାତ୍ର (ବୟସ ୯୨) କହିଛନ୍ତି ଯେ, ସେ ଏହି ପତ୍ରଟିକୁ ତାଙ୍କ ଚାକିରି ଜୀବନରେ ଗୁଣୁପୁରର ପୁରୁଣା ଜଗନ୍ନାଥ ମନ୍ଦିର ଭଗ୍ନ ଅବଶେଷ ଭିତରୁ ସଂଗ୍ରହ କରି ସୁରକ୍ଷା ଦେଇଥିଲେ । ଏହି ଶାସନ ପତ୍ର ଦେଖି ଐତିହ୍ୟ ପ୍ରେମୀ ଜ୍ଞାନ ରଞ୍ଜନ ନିଶ ତାହାର ଐତିହାସିକ ମୂଲ୍ୟ ବୁଝିପାରି ସଦାନନ୍ଦ ପଣ୍ଡାଙ୍କ ମାଧ୍ୟମରେ ଲିପିତତ୍ତ୍ୱବିତ୍ ବିଷ୍ଣୁ ମୋହନ ଅଧିକାରୀଙ୍କୁ ଏହା ପଢ଼ିବା ଓ ବ୍ୟାଖ୍ୟା କରିବା ପାଇଁ ଅନୁରୋଧ କରିଥିଲେ।

ଅଧିକାରୀଙ୍କ ପାଠ ଉଦ୍ଧାର ଅନୁଯାୟୀ, ଏହି ତାମ୍ର ଫଳକଟି ୧୭ତମ ଶତାବ୍ଦୀର ଓଡ଼ିଆ ଲିପିରେ ଲେଖାଯାଇଥିବା ଏକ ମହତ୍ତ୍ୱପୂର୍ଣ୍ଣ ଶାସନପତ୍ର । ଏହି ଶାସନ ଶୁକ୍ଳ ପକ୍ଷର ଫାଲ୍‌ଗୁନ ମାସର ସପ୍ତମୀ ତିଥି ଶୁକ୍ରବାରରେ ଜାରି ହୋଇଥିଲା । ବିରୋଧି ସମ୍ବତ୍ସର ଅନୁଯାୟୀ, ଏହା ୯ ଫେବୃଆରୀ ୧୬୪୯ ଖ୍ରୀଷ୍ଟାବ୍ଦର ବୋଲି ଗଣନା କରାଯାଇଛି । ଏଥିରେ ମୋଟ ୧୪ ଧାଡ଼ି ରହିଛି, ଯାହାର ଶେଷରେ ନନ୍ଦପୁର ରାଜବଂଶର ଖଡ୍‌ଗ ସନ୍ତକ ରୂପରେ ରାଜଚିହ୍ନ ଖୋଦାଯାଇଛି । ଏହି ଶାସନ ପତ୍ର ମାଧ୍ୟମରେ ରାଜା ଲାଲକୃଷ୍ଣ ଦେବ ଗୁଣୁପୁର ତାଲୁକାରେ ଥିବା ଶ୍ରୀ ବାଲାଜୀ ମହାପ୍ରଭୁଙ୍କ ପୂଜା ପାଇଁ ସହଜ ରାମ ଗୋସାଇଙ୍କୁ ଦୁଇଟି ଗାଁ ଦାନ କରିଥିବା ଲିପିବଦ୍ଧ ଅଛି । ଏହି ପାଠଉଦ୍ଧାରକୁ ନେଇ ବିଶିଷ୍ଟ ଐତିହାସିକ ରଙ୍ଗ ନାୟକ ଅଧିକାରୀଙ୍କୁ ଅନେକ ସାଧୁବାଦ ଜଣାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.