ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲା: ଜେଲ୍‌ରେ ରାତି କାଟିଲେ ଜଗନ୍ନାଥ ପ୍ରଧାନ, ଲାଗିଛି ସଂଗୀନ ଦଫା

Published By : Prameya | July 4, 2025 8:48 AM

ଭୁବନେଶ୍ୱର,୦୪/୦୭: ଜିଦ୍‌  ଛାଡ଼ିଲେନି ଓଏଏସ୍‌ ସଂଘ । ତୃତୀୟ  ଦିନ ପାଇଁ ରାଜ୍ୟରେ ପ୍ରଶାସନିକ  ଅଚଳାବସ୍ଥା ଜାରି ରହିଲା । ଆଉ ଶେଷରେ ବିଜେପି ନେତା ଜଗନ୍ନାଥ  ପ୍ରଧାନଙ୍କୁ ଗିରଫ କଲା ପୁଲିସ ।  ବିଏମ୍‌ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ୬ଷ୍ଠ ଅଭିଯୁକ୍ତ ଭାବେ ଜଗନ୍ନାଥ ଗିରଫ  ହୋଇଛନ୍ତି । ଗିରଫ ପରେ ସ୍ୱାସ୍ଥ୍ୟ  ପରୀକ୍ଷା କରି ତାଙ୍କୁ କୋର୍ଟ ଚାଲାଣ  କରାଯାଇଛି । ରାତିରେ ଭୁବନେଶ୍ୱର  ଏସ୍‌ଡିଜେଏମ୍‌ କୋର୍ଟରେ ହାଜର  ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ  ଝାରପଡ଼ା ସ୍ୱତନ୍ତ୍ର ଜେଲ୍‌ ପଠାଯାଇଛି ।  ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ  ଓଏଏସ୍‌ ସଂଘ ଆନ୍ଦୋଳନରୁ  ଓହରିଛି ବୋଲି ସଂଘ ସଭାପତି  ଜ୍ୟୋତି ମିଶ୍ର କହିଛନ୍ତି । ବିଏମ୍‌ସି କର୍ମଚାରୀମାନେ ବି ଆନ୍ଦୋଳନରୁ  ଓହରି ଯାଇଥିବା ନେଇ ସୂଚନା ମିଳିଛି । 

ଜଗନ୍ନାଥଙ୍କ ବିରୋଧରେ  ଦଫା ୩୩୩ (ଆଘାତ, ଆକ୍ରମଣ  ନିରୋଧ ଯୋଜନା ପରେ ଅନଧିକାର  ଗୃହ ପ୍ରବେଶ), ୧୩୨ (ସରକାରୀ କର୍ମଚାରୀଙ୍କୁ କର୍ତ୍ତବ୍ୟ ନିର୍ବାହରୁ  ଭୟଭୀତ କରିବା), ୧୨୧(୧) (ସରକାରୀ ଅଧିକାରୀଙ୍କୁ ଆଘାତ  ଦେବା), ୧୨୧(୨) (ଜୀବନ ହାନି ଉଦ୍ଦେଶ୍ୟରେ ସରକାରୀ ଅଧିକାରୀଙ୍କୁ  ଆଘାତ), ୩୫୧(୨) ଅପରାଧିକ  ଭୟ ପ୍ରଦର୍ଶନ, ୬୨, ୩୦୪ (ଝାମ୍ପିବା  ବା ଲୁଟିନେବା), ୫୪ (ସଙ୍ଗଠିତ  ଅପରାଧ), ୬୧(୨) (ଅପରାଧିକ  ଷଡ଼ଯନ୍ତ୍ର), ୧୮୯(୨) (ବେଆଇନ  ସମାବେଶ) ଓ ୧୯୦(ଅପରାଧ ପାଇଁ  ବେଆଇନ ସମାବେଶ) ଓ ୩(୫)  ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଦଫା ଲାଗିଛି । 

ଗୁରୁବାର ରାତି ପ୍ରାୟ ସାଢ଼େ  ୯ଟାବେଳେ ଭୁବନେଶ୍ୱର ଡିସିପିଙ୍କ  କାର୍ଯ୍ୟାଳୟରେ ପହଞ୍ଚି ଆତ୍ମସମର୍ପଣ  କରିଥିଲେ ଜଗନ୍ନାଥ । ଆଇନକୁ ସମ୍ମାନ ଜଣାଇବା ସହ ରାଜ୍ୟରେ  ଉପୁଜିଥିବା ପ୍ରଶାସନିକ ଅଚଳାବସ୍ଥା  ଦୂର କରିବାକୁ ଯାଇ ସେ ଏଭଳି  ନିଷ୍ପତ୍ତି ନେଇଥିବା କହିଛନ୍ତି । ବରିଷ୍ଠ  ବିଜେପି ନେତା ବିରଞ୍ଚି ତ୍ରିପାଠୀ,  ବିଧାୟକ ବାବୁ ସିଂ, ଭୁବନେଶ୍ୱର ଜିଲ୍ଲା  ସଭାପତି ନିରଞ୍ଜନ ମିଶ୍ର, ଦିଲ୍ଲୀପ  ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ  ଅନ୍ୟମାନେ ଜଗନ୍ନାଥଙ୍କ ସହ ଡିସିପି  ଅଫିସ୍‌ ଓ କୋର୍ଟକୁ ଯାଇଥିଲେ ।  

ଗତ ଜୁନ୍‌ ୩୦ ତାରିଖରେ  ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ  ବିଏମସି ଅଫିସ ଭିତରେ ମରଣାନ୍ତକ  ଆକ୍ରମଣ ହେଲା । ତାଙ୍କୁ ଅଭିଯୋଗ  ପ୍ରକୋଷ୍ଠରୁ ଘୋଷାଡ଼ି ବିଧା, ଗୋଇଠା  ମାଡ଼ ସହ ଅପହରଣ ଉଦ୍ୟମ  ହୋଇଥିଲା । ଘଟଣାରେ ବିଜେପି ନେତା  ଜଗନ୍ନାଥ ପ୍ରଧାନ ହିଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିବା ନେଇ ଆରମ୍ଭରୁ ଅଭିଯୋଗ ଉଠିଥିଲା । ଏହାକୁ ନେଇ ବିଜେଡି  ଧାରଣାରେ ବସିଥିଲା ।  ପୁଲିସ ଏହି ମାମଲାରେ ବିଜେପି କର୍ପୋରେଟର ଜୀବନ ରାଉତଙ୍କ  ସମେତ ୫ ଜଣଙ୍କୁ ଗିରଫ କରିଥିଲେ । ମାତ୍ର ଓଏଏସ୍‌ ସଂଘ ଜଗନ୍ନାଥଙ୍କ  ଗିରଫ ଦାବିରେ ରାଜ୍ୟବ୍ୟାପୀ ସମୂହ ଛୁଟିରେ ଯିବା ପରେ ବିବାଦ  ଘନେଇଲା । ଜଗନ୍ନାଥଙ୍କୁ ଗିରଫ ପାଇଁ ପୁଲିସ ଉପରେ ଚାପ ବଢ଼ିଲା । ଜଗନ୍ନାଥଙ୍କୁ ନେଇ ବେଶ୍‌ ଘଣ୍ଟାଚକଟା ଚାଲିଲା ବିଜେପି ଭିତରେ । 

ମଙ୍ଗଳବାର ତାଙ୍କୁ ଡକାଇ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ଲମ୍ବା ଆଲୋଚନା କଲେ । ମୁଖ୍ୟମନ୍ତ୍ରୀ ଓ  ରାଜ୍ୟ ସଂଗଠନ ନେତାଙ୍କ ଭିତରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ଜଗନ୍ନାଥ ଡିସିପି ଅଫିସରେ ଗଣମାଧ୍ୟମକୁ କହିଲେ, ବିଏମସି  ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ଆରମ୍ଭରୁ ମୁଁ ନିନ୍ଦା କରି  ଆସିଛି । ଏଭଳି ଘଟଣା କେବେ ଗ୍ରହଣୀୟ ନୁହେଁ । ଏହି ଘଟଣାରେ  ମୋର କୌଣସି ସଂପୃକ୍ତି ନାହିଁ । ତଥାପି ମୋତେ, ଆମ ଦଳ ଓ ଆମ  ସରକାରଙ୍କୁ ବଦନାମ କରିବା ପାଇଁ ଯୋଜନାବଦ୍ଧ ଭାବେ ଉଦ୍ୟମ  କରାଗଲା। ଓଏଏସ୍‌ ସଂଘ ମଧ୍ୟ ଏହି ଯୋଜନାବଦ୍ଧ ଉଦ୍ୟମର ଶିକାର  ହୋଇ ମୋ’ ଗିରଫ ଦାବି କରି ଆନ୍ଦୋଳନ ଚଳାଇଛି । ଏହି ଆନ୍ଦୋଳନ  ଯୋଗୁ ବନ୍ୟା ଦୁର୍ଗତଙ୍କ ସେବା, କ୍ଷୟକ୍ଷତି ଆକଳନ, କ୍ଷତିପୂରଣ  ବଣ୍ଟନ, ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶ ସେବା ପ୍ରଭାବିତ  ହୋଇପାରେ । ମୋ’ ଗିରଫ ଯଦି ଏସବୁ ସମସ୍ୟାର ସମାଧାନ,  ତେବେ ବିଜେପି ଓ ସରକାରଙ୍କ ସମ୍ମାନ ତଥା ରାଜ୍ୟବାସୀଙ୍କ ବୃହତ୍ତର  ସ୍ୱାର୍ଥକୁ ଦୃଷ୍ଟିରେ ରଖି ତଦନ୍ତ କାର୍ଯ୍ୟରେ ସହଯୋଗ କରିବାକୁ ଆସିଛି । ଏତିକି କହିବା ପରେ ଡିସିପିଙ୍କ କାର୍ଯ୍ୟାଳୟରେ ଆତ୍ମସମର୍ପଣ  କରିଥିଲେ ଜଗନ୍ନାଥ । ଏହାପରେ ତାଙ୍କୁ ପୁଲିସ ଗିରଫ କରିଥିଲା । 

ପୁଲିସ  କମିଶନର ଏସ୍‌. ଦେବଦତ୍ତ ସିଂହ ଗଣମାଧ୍ୟମକୁ କହିଛନ୍ତି, ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଆକ୍ରମଣ ମାମଲାରେ ଝାରପଡ଼ାର ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଇଛି । ଡିସିପି ଜଗମୋହନ ମୀନା  କହିଛନ୍ତି, ଜଗନ୍ନାଥ ଆସି ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏତଲା, ପୀଡ଼ିତଙ୍କ ବୟାନ ଓ ପ୍ରାଥମିକ ତଦନ୍ତରୁ  ମିଳିଥିବା ତଥ୍ୟ ପ୍ରମାଣକୁ ଆଧାର କରି ଜଗନ୍ନାଥଙ୍କୁ ଗିରଫ କରାଯାଇଛି।  ଜଗନ୍ନାଥଙ୍କୁ ଝାରପଡ଼ା ଜେଲ୍‌ର ସାଧାରଣ ୱାର୍ଡରେ ରଖାଯାଇଛି । ଗୁରୁବାର ରାତି ସେ ଝାରପଡ଼ା ଜେଲରେ ରାତି କାଟିଛନ୍ତି।   ଶୁକ୍ରବାର ତାଙ୍କୁ ନିର୍ଦ୍ଧାରିତ ୱାର୍ଡକୁ ପଠାଯିବ ବୋଲି ସୂଚନା ମିଳିଛି । 

ଶ୍ରୀ ପ୍ରଧାନଙ୍କ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ  ଦାଶ କହିଛନ୍ତି, ପୂର୍ବରୁ ଯେଉଁମାନେ ଗିରଫ ହୋଇଥିଲେ ତାଙ୍କ ବିରୋଧରେ ଯେଉଁ ଦଫା ଲାଗିଛି ଶ୍ରୀ ପ୍ରଧାନଙ୍କ ବିରୋଧରେ ମଧ୍ୟ ସେଥିରୁ  ଅଧିକାଂଶ ଦଫା ଲାଗିଛି । କେବଳ ବିଏନ୍‌ଏସ୍‌ ଦଫା ୧୦୯ ଓ ୧୦୪କୁ  ପୁଲିସ୍‌ ବାଦ୍‌ ଦେଇଛି । ଶ୍ରୀ ପ୍ରଧାନ ଘଟଣାସ୍ଥଳରେ ନଥିବାରୁ ତାଙ୍କ  ବିରୋଧରେ ଉକ୍ତ ୨ଟି ଦଫା ଲାଗିନି । ଓଏଏସ୍‌ ଅଧିକାରୀଙ୍କୁ ଆକ୍ରମଣ  ନେଇ ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । କେବଳ ଅଭିଯୋଗ  ରହିଛି । ଗୁରୁବାର ଏସଡିଜେଏମ୍‌ଙ୍କ ଆଗରେ ତାଙ୍କୁ ହାଜର କରାଯାଇଥିଲା ।  ଏସଡିଜେଏମ୍‌ ତାଙ୍କ ଜାମିନ ନାମଞ୍ଜୁର କରିଛନ୍ତି । ତାଙ୍କୁ ୧୪ ଦିନ ପାଇଁ  ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଆମେ ଶୁକ୍ରବାର ସେସନ୍ସ  କୋର୍ଟରେ ଜାମିନ ଆବେଦନ କରିବୁ ବୋଲି ଶ୍ରୀ ଦାଶ କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.