ମୁମ୍ବାଇ,୦୪/୦୭: ଖୁବଶୀଘ୍ର ପରଦାକୁ ଆସୁଛି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାୟୋପିକ ଫିଲ୍ମ । ଯାହାର ନାଁ 'ଅଜୟ: ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍ ଏ ଯୋଗୀ' । ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସାହ ସହ ଅପେକ୍ଷା କରିଥିବା ବେଳେ ଏହାରି ମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମର ଟିଜର। ନିର୍ମାତାମାନେ ଜୁଲାଇ ୨ ତାରିଖରେ ଫିଲ୍ମର ଟିଜର ରିଲିଜ୍ କରିଛନ୍ତି । ଅନନ୍ତ ଜୋଶୀ ଏହି ଫିଲ୍ମରେ ଯୋଗୀ ଆଦିତ୍ୟନାଥଙ୍କ ଭୂମିକାରେ ଅଭିନୟ କରୁଛନ୍ତି ।
ଟିଜର ଦେଖିବାକୁ ମିଳିଛି ଜଣେ ବ୍ୟକ୍ତିଙ୍କ ଯାତ୍ରାର ଏକ ମନୋରଞ୍ଜନକାରୀ ଝଲକ । ଯିଏ ସନ୍ୟାସୀ ହୋଇ ରାଜନୀତିରେ ସଫଳତା ହାସଲ କରିଥିଲେ । ଯେଉଁଥିରେ ଦୁର୍ନୀତି ବିରୋଧରେ ତାଙ୍କର ସଂଘର୍ଷ ଏବଂ ମାଫିଆ ଆଧିପତ୍ୟ ବିରୋଧରେ ଲଢ଼େଇ ବିଷୟରେ ମଧ୍ୟ କୁହାଯାଇଛି । ଟିଜରରେ ଯୋଗୀ ଆଦିତ୍ୟନାଥଙ୍କ ସନ୍ୟାସୀ ହେବାଠାରୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ଯାତ୍ରା ଦର୍ଶାଯାଇଛି । ତେବେ 'ଅଜୟ: ଦି ଅନଟୋଲ୍ଡ ଷ୍ଟୋରୀ ଅଫ୍ ଏ ଯୋଗୀ'ଆସନ୍ତା ଅଗଷ୍ଟ ୧ ତାରିଖରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ ।ନିର୍ମାତାମାନେ ଏନେଇ ସୋସିଆଲ ମିଡିଆରେ ଟିଜରଟି ସେୟାର କରିବା ପରେ, ନେଟିଜେନମାନେ ଯୋଗୀଙ୍କ ଭୂମିକାରେ ଅନନ୍ତଙ୍କୁ ପ୍ରଶଂସା କରିଛନ୍ତି । 'ଅଜୟ' ନିର୍ଦ୍ଦେଶନା ରବିନ୍ଦ୍ର ଗୌତମ ଦେଇଥିବା ବେଳେ ଏହା ଶାନ୍ତନୁ ଗୁପ୍ତାଙ୍କ ଦ୍ୱାରା ଲିଖିତ । ଅନନ୍ତ ଯୋଶୀଙ୍କ ବ୍ୟତୀତ ଅନ୍ୟାନ୍ୟ କଳାକାରଙ୍କ ମଧ୍ୟରେ ନିରହୁଆ, ପବନ ମାଲହୋତ୍ରା, ରାଜେଶ ଖଟ୍ଟର ଏବଂ ଅନ୍ୟମାନେ ଥିବା ଜଣାପଡ଼ିଛି ।