ବେଙ୍ଗାଲୁରୁ: କର୍ଣ୍ଣାଟକର କଂଗ୍ରେସ ବିଧାୟକ ଏଚ୍.ଏ. ଇକବାଲ ହୁସେନ ରବିବାର ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି, ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ଆଗାମୀ ଦୁଇରୁ ତିନି ମାସ ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିପାରେ। ଶିବକୁମାରଙ୍କ ନିକଟତର ବୋଲି ବିବେଚିତ ବିଧାୟକଙ୍କ ଏଭଳି ମନ୍ତବ୍ୟ, ଚଳିତ ବର୍ଷ ଶେଷ ଭାଗରେ କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ହେବାର କଳ୍ପନାଜଳ୍ପନାକୁ ଆହୁରି ଗତି ଦେଇଛି । ଏହା ପୂର୍ବରୁ ସମବାୟ ମନ୍ତ୍ରୀ କେ.ଏନ୍. ରାଜନ୍ନା ସେପ୍ଟେମ୍ବର ପରେ ରାଜ୍ୟରେ ଏକ ରାଜନୈତିକ ପରିବର୍ତ୍ତନର ସଙ୍କେତ ଦେଇଥିଲେ । ସେ କହିଥିଲେ ଯେ, ଏହି ସରକାର କ୍ଷମତାକୁ ଆସିବା ପୂର୍ବରୁ ଆମର (କଂଗ୍ରେସର) ଶକ୍ତି କ'ଣ ଥିଲା ତାହା ଆପଣମାନେ ସମସ୍ତେ ଜାଣନ୍ତି।
ପିଟିଆଇରେ ପ୍ରକାଶିତ ଖବର ଅନୁସାରେ, କଂଗ୍ରେସ ବିଧାୟକ କହିଛନ୍ତି ଯେ, ଏହି ବିଜୟ ହାସଲ କରିବା ପାଇଁ କିଏ ସଂଘର୍ଷ କରିଛି ଏବଂ କିଏ ଝାଳ ବୁହାଇଛି ତାହା ସମସ୍ତେ ଜାଣନ୍ତି। ତାଙ୍କର (ଶିବକୁମାର) ରଣନୀତି ଏବଂ କାର୍ଯ୍ୟକ୍ରମ ଏବେ ଇତିହାସ। ରାମନଗରରେ ସାମ୍ବାଦିକମାନେ ଯେତେବେଳେ ହୁସେନଙ୍କୁ ପଚରିଥିଲେ ଯେ, ଶିବକୁମାରଙ୍କ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଅଛି କି ? ସେ କହିଛନ୍ତି ଯେ, ମୁଁ ଅନୁମାନରେ ବିଶ୍ୱାସ କରେ ନାହିଁ। ଆମେ ନିଶ୍ଚିତ ହାଇକମାଣ୍ଡ ପରିସ୍ଥିତି ବିଷୟରେ ଅବଗତ ଅଛନ୍ତି ଏବଂ ତାଙ୍କୁ ସୁଯୋଗ ଦେବା ପାଇଁ ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେବେ। ଯେତେବେଳେ କଂଗ୍ରେସ ବିଧାୟକ ଇକବାଲ ହୁସେନଙ୍କୁ ପଚରାଯାଇଥିଲା ଯେ ଡିକେ ଶିବକୁମାର ଏହି ବର୍ଷ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ, ହୁସେନ ହଁ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଦୁଇରୁ ତିନି ମାସ ମଧ୍ୟରେ ନିଷ୍ପତ୍ତି ନିଆଯିବ ।
ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପୁଅ ଏବଂ କଂଗ୍ରେସ ଏମଏଲସି ଯତୀନ୍ଦ୍ର ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ କଳ୍ପନାଜଳ୍ପନା ବୋଲି କହିଥିଲେ । ଏହା ଉପରେ ହୁସେନ କହିଛନ୍ତି ଯେ, କଂଗ୍ରେସ ହାଇକମାଣ୍ଡ ୨୦୨୩ ବିଧାନସଭା ନିର୍ବାଚନ ପରେ ସରକାର ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ । ଆମେ ସମସ୍ତେ ସେତେବେଳେ ଦିଲ୍ଲୀରେ ଏକାଠି ଥିଲୁ। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେ ନିଷ୍ପତ୍ତି ନେଇଥିଲେ। ସମସ୍ତେ ଏହା ଜାଣନ୍ତି ଏବଂ ସେମାନେ ପରବର୍ତ୍ତୀ ନିଷ୍ପତ୍ତି ମଧ୍ୟ ନେବେ । ସେପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡିବ ଏବଂ ଦେଖିବାକୁ ପଡିବ।