ମାଲକାନଗିରି, ୫/୭ (ଆ.ପ୍ର) ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଚଂଳରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡା ଯାତ୍ରା ପାଳିତ ହୋଇ ଯାଇଛି । ଜିଲ୍ଲାସଦର ମହକୁମା ଦୁର୍ଗାଗୁଡିସାହି ଠାରେ ଥିବା ମାଉସି ମା’ ମନ୍ଦିର ଆଡପ ମଣ୍ଡପରେ ସକାଳେ ଠାକୁରଙ୍କ ନିତିରିତି ଓ ଖେଚୁଡି ଭୋଗ ହୋଇଥିଲା।
ଏହା ପରେ ସେବାୟତମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି ବିଜେ କରି ରଥ ଉପରକୁ ନେଇଥିଲେ। ଏହା ପରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ରାଜପଗଢି ପିନ୍ଧି ହାତରେ ସୁନାଝାଡ଼ୁ ଧରି ଛେରାପହଁରା କରିଥିଲେ । ଛେରାପହଁରା ପରେ ରଥାରୁଢ ଶ୍ରୀଜିୟୁଙ୍କୁ ରାଜପୁରୋହିତ ବିନାୟକ ସତପଥି ଓ ମୁଖ୍ୟପୁଜକ ସନ୍ତୋଷ ନନ୍ଦ ଓ ସେବାୟତ ମାନେ ଠାକୁରଙ୍କ ନିକଟରେ ରାଜଭୋଗ ଲଗାଇବା ପରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଦ୍ଵାରା ଆଳତୀ କରାଯାଇଥିଲା । ଶ୍ରୀଜୀଉଙ୍କ ପୁଜା ରିତି ନିତି ସରିବା ପରେ ଗାଁ ପୁଜାରୀ ଡାହୁକ ତ୍ରୀନାଥ ପୁଜାରୀ କାହାଳି ବଜାଇ ରଥ ଟାଣିବା ପାଇଁ ଡାକ ପକାଇବା ପରେ ଭକ୍ତମାନେ ଶ୍ରୀ ମନ୍ଦିର ନିକଟକୁ ରଥ ଟାଣି ନେଇଥିଲେ ।
ରଥ ଯାତ୍ରା ପୁଜାକମଟିର ସଦସ୍ୟ ଆନ୍ୟାନ ବିଶିଷ୍ଟ ବ୍ୟକ୍ତି ବିଶେଷ ଏହି ରଥ ଯାତ୍ରାରେ ଉପସ୍ଥିତ ରହିଥିଲେ ।ଶାନ୍ତି ଶୁଙ୍ଖଳା ରକ୍ଷାପାଇଁ ମାଲକାନଗିରି ଥାନା ପୁଲିସବାହିନି ପକ୍ଷରୁ କଢା ସୁରକ୍ଷାବ୍ୟବସ୍ଥା କରାଯାଇଥିଲା ।ଜିଲ୍ଲା ସୁଚନାଲୋକ ସଂପର୍କ ବିଭାଗ ପକ୍ଷରୁ ପ୍ରବଚନ ଓ ଜୟବଜରଙ୍ଗ ବାଲି କିର୍ତ୍ତନ ମଣ୍ଡଳୀ ପକ୍ଷରୁ ନାମ ସଙ୍କିର୍ତ୍ତନ ଭଜନ ସମାରୋହର ଆୟୋଜନକରା ଯାଇଥିଲା। ମାଉସୀ ମା’ ମନ୍ଦିର ନିକଟରେ ଶ୍ରୀଜଗନ୍ନାଥଙ୍କ ପ୍ରିୟମିଷ୍ଟାନ ଆରିଶା,କାକରା, ଛେନାଗଜା,ମାଲପୁଆ,ରଶାବଳୀ, ଖୀରା,ଗଜା. ବାଲଶା ନାନାପ୍ରକାର ମିଷ୍ଟାନ ଭୋଗ ବିକ୍ରୀ ର ବ୍ୟବସ୍ଥା ହୋଇଥିଲା ।ଭକ୍ତମାନେ ଶ୍ରୀଜିଉଙ୍କ ପ୍ରୀୟ ମିଷ୍ଟାନ ଭୋଗ ଗୋଟିଏ ସ୍ଥାନରେ ପାଇ ଆନନ୍ଦର ସହିତ ନେବାପାଇଁ ଭିଡଜମାଇଥିଲେ ।
ଅନୁରୁପ ଜିଲ୍ଲା ବନବିଭାଗ ପକ୍ଷରୁ ମଧ୍ୟ ବାହୁଡା ଯାତ୍ରାର ଆୟୋଜନ କରାଯାଇଥିଲା। ଡିଏଫଓ ସାଇକିରଣ ଡି.ଏନ ପୁଜାରେ ସଙ୍କଳ୍ପ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୋମାନି ବ୍ରଦର୍ସ ଓ ରେଜିଂର ରମେଶ ଚନ୍ଦ୍ର ରାଉତ ଏବଂ ବନ ବିଭାଗ କର୍ମଚାରିମାନେ ପରିଚାଳନା କରିଥିଲେ । ଏହି ବାହୁଡା ଯାତ୍ରା ଦେଖିବା ଲାଗି ମାଲକାନଗିରି ଜିଲ୍ଲା ଓ ପଡୋଶି ରାଜ୍ୟ ଛତିଶଗଡ, ଆନ୍ଧ୍ରପ୍ରଦେଶରୁ ଶହସ୍ରାଧିକ ସଂଖ୍ୟାରେ ଭକ୍ତ ମାନଙ୍କ ଭିଡଲାଗିଥିଲା। ବିଶେଷ କରି ମାଲକାନଗିରି ଜିଲ୍ଲାର ବିଭିନ୍ନ ଆଦିବାସୀ ଗ୍ରାମରୁ ଶହଶହ ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରଷ ମାନେ ଯୋଗଦେଇ ରଥ ଦୌଢା ଧରି ରଥ ଟାଣିଥିଲେ । ବିଶେଷ କରି ଆନ୍ଧ୍ର ଓଡିଶା ଛତିଶଗଡ ସିମାନ୍ତ ମୋଟୁ ଠାରେ ଥିବା ଶ୍ରୀଜଗନାଥ ମନ୍ଦିର ପରିସରରେ ଓ ପଢିଆ ଠାରେ ପବିତ୍ର ବାହୁଡା ଯାତ୍ରା ପାଳିତ ହୋଇଛି।