ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଠକେଇ ମାମଲାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀଙ୍କୁ ଆମେରିକାରେ ଗିରଫ କରାଯାଇଛି । ଭାରତ ସରକାରଙ୍କ ଦ୍ୱାରା ପଠାଯାଇଥିବା ଏକ ପ୍ରତ୍ୟର୍ପଣ ଆବେଦନ ଆଧାରରେ ଆମେରିକୀୟ କର୍ତ୍ତୃପକ୍ଷ ଜୁଲାଇ ୪ରେ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଚି । ଏହି ଆବେଦନ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମିଳିତ ଭାବରେ ଦାଖଲ କରିଥିଲେ। ଦୁଇଟି ଗୁରୁତର ଅଭିଯୋଗରେ ଆମେରିକାରେ ନେହାଲ ମୋଦୀଙ୍କ ବିରୁଦ୍ଧରେ ପ୍ରତ୍ୟର୍ପଣ ପ୍ରକ୍ରିୟା ଚାଲିଛି ।
ନେହାଲ ମୋଦୀଙ୍କ ବିରୋଧରେ ମନି ଲଣ୍ଡରିଂ ଏବଂ ଅପରାଧିକ ଷଡ଼ଯନ୍ତ୍ର ଭଳି ସଙ୍ଗୀନ ଅଭିଯୋଗ ରହିଛି । ତଦନ୍ତକାରୀ ଏଜେନ୍ସି ଅନୁସାରେ, ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଦୁର୍ନୀତିରେ ସଂପୃକ୍ତି ଅଭିଯୋଗରେ ନେହାଲ ମୋଦୀଙ୍କୁ ଗିରଫ କରାଯାଇଛି । ନେହାଲ ତାଙ୍କ ଭାଇ ନୀରବ ମୋଦୀଙ୍କୁ ସେଲ୍ କମ୍ପାନୀ ମାଧ୍ୟମରେ ହଜାର ହଜାର କୋଟି ଟଙ୍କାର କଳାଧନ ବିଦେଶକୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିଥିବା ଅଭିଯୋଗ ରହିଛି । ଏହା ବ୍ୟତୀତ ସେ ଠକେଇ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ।
ନେହାଲ ମୋଦୀଙ୍କ ପ୍ରତ୍ୟର୍ପଣ ସମ୍ପର୍କରେ ଶୁଣାଣି ୧୭ ଜୁଲାଇ ୨୦୨୫ରେ ଏକ ଆମେରିକାର କୋର୍ଟରେ ହେବାକୁ ଯାଉଛି । ସେଠାରେ ତାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହେବ ସେନେଇ ଧାର୍ଯ୍ୟ କରାଯିବ । ସେପଟେ ଜାମିନ ପାଇଁ ଆବେଦନ କରିପାରନ୍ତି ନେହାଲ । କିନ୍ତୁ ଆମେରିକୀୟ ପକ୍ଷ ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ, ସେମାନେ ତାଙ୍କ ଜାମିନକୁ ବିରୋଧ କରିବେ। ଏସବୁ ଭିତରେ ଭାରତ ସରକାର ନେହାଲ ମୋଦୀଙ୍କୁ ଯଥାଶୀଘ୍ର ଭାରତ ଆଣିବାକୁ ଚେଷ୍ଟା କରୁଛନ୍ତି । ଫଳରେ ପିଏନବି ଠକେଇରେ ତାଙ୍କର କଣ ଭୂମିକା ରହିଛି ସେନେଇ ବିଚାର ଆରମ୍ଭ ହୋଇପାରିବ ।