ଲଣ୍ଡନ: ଶୁଭମନ ଗିଲ ଇଂଲଣ୍ଡ ବିପକ୍ଷରେ ଗୋଟିଏ ପରେ ଗୋଟିଏ ଶତକ କରି ଖେଳପ୍ରେମୀଙ୍କୁ ଚିକତ କରିଦେଇଛନ୍ତି । ଲଗାତାର ସେ ଶତକ ଲଗାଉଛନ୍ତି । ଶୁଭମନ ଗିଲ ଟିମ୍ ଇଣ୍ଡିଆର ଅଧିନାୟକ ହେବା ପରେ ସେ ଆହୁରି କମାଲ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଇଂଲଣ୍ଡ ଗସ୍ତରେ ଥିବା ଶୁଭମନ ଗିଲ ପ୍ରଥମେ ଲିଡ୍ସରେ ଏବଂ ଏବେ ଏଜବାଷ୍ଟନରେ ଇତିହାସ ରଚିଛନ୍ତି । ଏହି ଟେଷ୍ଟ ମ୍ୟାଚ୍ରେ ଦ୍ୱିଶତକ ହାସଲ କରିବା ପରେ ଭାରତୀୟ ଅଧିନାୟକ ଗିଲ୍ ଦ୍ୱିତୀୟ ଇନିଂସ୍ରେ ମଧ୍ୟ ଏକ ଚମତ୍କାର ଶତକ ହାସଲ କରିଛନ୍ତି ।
ଏଜବାଷ୍ଟନ ଟେଷ୍ଟର ଚତୁର୍ଥ ଦିନରେ ବ୍ୟାଟିଂ କରିବାକୁ ଆସିଥିବା ଗିଲ ଦ୍ୱିତୀୟ ଇନିଂସରେ ବିସ୍ଫୋରକ ବ୍ୟାଟିଂ କରି ତାଙ୍କର ଶତକ ପୂରଣ କରିଥିଲେ। ଏହା ସହିତ ସେ ଟେଷ୍ଟ ମ୍ୟାଚ୍ରେ ଦ୍ୱିଶତକ ଏବଂ ଶତକ ହାସଲ କରିବାରେ ଭାରତର ଦ୍ୱିତୀୟ ଏବଂ ବିଶ୍ୱର ୯ମ ବ୍ୟାଟର ହୋଇଛନ୍ତି । ଲିଡ୍ସ ଟେଷ୍ଟରେ ଶତକରୁ ଶୁଭ ଆରମ୍ଭ କରିଥିବା ଗିଲ୍ ଏଜବାଷ୍ଟନରେ ମଧ୍ୟ ତାଙ୍କର ଉତ୍କୃଷ୍ଟ ଫର୍ମ ଜାରି ରଖିଛନ୍ତି । ଏହି ଟେଷ୍ଟର ପ୍ରଥମ ଇନିଂସରେ ଗିଲ୍ ୨୬୯ ରନ କରି ଇତିହାସ ରଚିଥିଲେ। ସେ ଟେଷ୍ଟ କ୍ରିକେଟରେ ସବୁଠାରୁ ବଡ଼ ଇନିଂସ ଖେଳିଥିବା ଭାରତୀୟ ଅଧିନାୟକ ହୋଇଥିଲେ ।
ଦ୍ୱିତୀୟ ଇନିଂସରେ ମଧ୍ୟ ଶତକ ହାସଲ କରି ସମସ୍ତଙ୍କୁ ସେ ଆଶ୍ଚର୍ଯ୍ୟ କରିଛନ୍ତି । ଏହି ଟେଷ୍ଟର ଚତୁର୍ଥ ଦିନରେ ଟିମ୍ ଇଣ୍ଡିଆ ନିଜର ଦ୍ୱିତୀୟ ଇନିଂସରେ ଦୁଇଟି ୱିକେଟ୍ ହରାଇଥିଲା । ଏହା ପରେ ପଡ଼ିଆକୁ ଆସିଥିଲେ କ୍ୟାପ୍ଟେନ ଗିଲ୍ । ଦ୍ୱିତୀୟ ସେସନ୍ରେ ଭାରତୀୟ ଅଧିନାୟକ ୧୨୯ ବଲ୍ରେ ଏକ ସ୍ମରଣୀୟ ଶତକ ପୂରଣ କରିଥିଲେ। ଏହା ଗିଲଙ୍କ କ୍ୟାରିୟରର ଅଷ୍ଟମ ଶତକ । ସେହିଭଳି ତାଙ୍କର ଏହି ସିରିଜର ତୃତୀୟ ଏବଂ ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟ ଶତକ ।
ଟେଷ୍ଟ କ୍ରିକେଟର ପ୍ରାୟ ୧୫୦ ବର୍ଷର ଇତିହାସରେ କେବଳ ୮ ଥର ଘଟିଥିବା ଘଟଣାର ପୁନରାବୃତ୍ତି କରିଛନ୍ତି ଗିଲ। ଶୁଭମନ ଗିଲ ଟେଷ୍ଟ ମ୍ୟାଚ୍ରେ ଦ୍ୱିଶତକ ଏବଂ ଶତକ ହାସଲ କରିବାରେ ବିଶ୍ୱର ନବମ ବ୍ୟାଟର ହୋଇଛନ୍ତି । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଯେ, ଦ୍ବିତୀୟ ଭାରତୀୟ ବ୍ୟେଟର ଭାବରେ ସେ ଏହି ଚକତ୍ମାର କରି ଦେଖାଇଛନ୍ତି । ଏହା ପୂର୍ବରୁ ମହାନ ବ୍ୟାଟର ସୁନୀଲ ଗାଭାସ୍କର ୫୪ ବର୍ଷ ପୂର୍ବେ ୧୯୭୧ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଇନିଂସରେ ୧୨୪ ଏବଂ ଦ୍ୱିତୀୟ ଇନିଂସରେ ୨୨୦ ରନ କରିଥିଲେ । ସେତେବେଳେ ଗାଭାସ୍କର ଏପରି କରିବାରେ ବିଶ୍ୱର ଦ୍ୱିତୀୟ ବ୍ୟାଟର ଥିଲେ । ତଥାପି, ଗିଲଙ୍କ ଏହି ସଫଳତା ମଧ୍ୟ ସ୍ୱତନ୍ତ୍ର । କାରଣ ସେ, ଜଣେ ଅଧିନାୟକ ଭାବରେ ଏହି ଆଶ୍ଚର୍ଯ୍ୟଜନକ କୃତିତ୍ୱ ହାସଲ କରିଛନ୍ତି ।