ପାପଡାହାଣ୍ଡି,୫।୭(ଆପ୍ର) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧନସୁଲି ନିକଟରେ ୨ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର ହୋଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ ଟି ବାଇକ ଜବତ କରି ତଦନ୍ତ କରିଛି ।
ସୂଚନା ଅନୁଯାୟୀ ତୁମ୍ବର୍ଲା ପଂଚାୟତ ମହୁଲପଦରର ରାମ ଭତରା ଓ ବିଜୟ ଭତରା ଏକ ବାଇକରେ ପାପଡାହାଣ୍ଡିରୁ ଯାଉଥିବା ସମୟରେ ବିପରିତ ଦିଗରୁ ନାକଟିଗୁଡାର ଚକ୍ର ଭତରା ଫେରୁଥବା ବେଳେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୩ ଜଣ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ଛିଟିକି ପଡିଥିଲେ | ଗ୍ରାମବାସୀ ଓ ପୁଲିସ ସମସ୍ତଙ୍କୁ ଉଦ୍ଧାର କରି ଥାନା ଗାଡି ଯୋଗେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଚକ୍ରକୁ ଡାକ୍ତର ମୃତ ଘୋଷଣା କରିଥିଲେ । ୨ ଗୁରୁତରକୁ ପ୍ରଥମେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି |