ଝରିଗାଁ,୨୭/୦୬: ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ଝରିଗାଁ-ଡ଼ାବୁଗାଁ ମୁଖ୍ୟ ରାସ୍ତାରେ ଥିବା ଡାଇନିଗୁଡ଼ା ଗ୍ରାମ ନିକଟରେ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଥିଲା । ଘଟଣାସ୍ଥଳରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ସମ୍ପର୍କୀୟ ଭାଇ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣା ନେଉଥିବା ସମୟରେ ସାଲୁର ନିକଟରେ ଯୁବକଙ୍କ ମୃତ୍ୟୁ ହୋଇଥିଲା ।
ସୂଚନା ମୁତାବକ, ଝରିଗାଁ ସିରାଗୁଡା ସାହିର ଚମ୍ପକ ଲାଲ ଜୈନଙ୍କ ପୁଅ ସାଗର ଜୈନ(୨୧ ବର୍ଷ) ସ୍ୱର୍ଗତ ମହାବୀର ଜୈନଙ୍କ ପୁଅ ଅଙ୍କୁର ଜୈନ(୩୦ ବର୍ଷ) ଏବଂ ମନମୋହନ ଜୈନଙ୍କ ପୁଅ କ୍ରିସ ଜୈନ(୧୮ ବର୍ଷ) ଗୁରୁବାର ସନ୍ଧ୍ୟା ସମୟରେ କୌଣସି କାମରେ ଏକ କାର୍ ଯୋଗେ ଫୁପୁଗାଁ ରାସ୍ତାରେ ଯାଉଥିଲେ । ତେବେ ଡାଇନିଗୁଡ଼ା ଗ୍ରାମ ନିକଟରେ ଗାଡି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ତେନ୍ତୁଳି ଗଛ ଏବଂ ଆମ୍ବ ଗଛ ସହ ଧକ୍କା ହୋଇଥିଲା।ଫଳରେ ଘଟଣା ସ୍ଥଳରେ ସାଗର ଜୈନ ଏବଂ ଅଙ୍କୁର ଜୈନଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ରିସ ଜୈନ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ପରେ ଝରିଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସାଗର ଜୈନ ଏବଂ ଅଙ୍କୁର ଜୈନଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ କ୍ରିସ ଜୈନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପରୀକ୍ଷା କରି ତୁରନ୍ତ ବିଶାଖାପାଟଣା ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଶୁକ୍ରବାର ଭୋର ୪ଟାରେ ବିଶାଖାପାଟଣା ସ୍ଥାନାନ୍ତର ହେବା ବେଳେ ବାଟରେ ହିଁ କ୍ରିସ୍ ଜୈନଙ୍କ ମୃତ୍ୟୁ ହୋଇଥିଲା । ଗୋଟିଏ ପରିବାରର ଦୁଇ ଭାଇ ଏବଂ ନିଜ ସମ୍ପର୍କୀୟ ଭାଇ ମର୍ମନ୍ତୁତ କାର୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ସମସ୍ତଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ପରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଝରିଗାଁ ଆଇଆଇସି ପ୍ରଦୀପ କୁମାର ଶବର ସୂଚନା ଦେଇଛନ୍ତି । ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।