ପୁରୀ ୨୭/୦୬ : ସବୁ ପ୍ରତୀକ୍ଷାର ଅନ୍ତ। ବଡ଼ଦାଣ୍ଡରେ ଭକ୍ତ ଭଗବାନଙ୍କର ହେଲା ଅପୂର୍ବ ମିଳନ। ଶ୍ରୀମନ୍ଦିରରୁ ଧାଡ଼ି ପହଣ୍ଡିରେ ଆସି ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି। ଚାହିଁ ରହିଛନ୍ତି ଭକ୍ତ। ଭକ୍ତି ସାଗରରେ ବୁଡ଼ିଲା ବଡ଼ଦାଣ୍ଡ। ଘଣ୍ଟଘଣ୍ଟା, ହୁଳହୁଳି, ହରିବୋଲ ନାଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ। ଜୟ ଜଗନ୍ନାଥ ଧ୍ଵନିରେ କମ୍ପଲା ଗଗନପବନ। ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ମଣିମା।
ଶ୍ରୀଜିଉମାନଙ୍କ ପହଣ୍ଡି ନୀତି ସରିଛି। ମନ୍ଦିର ଭିତରେ ନୀତିକାନ୍ତି ଶେଷ ହେବା ପରେ ଧାଡ଼ି ପହଣ୍ଡିରେ ପ୍ରଥମେ ଶ୍ରୀସୁଦର୍ଶନ ବାହାରକୁ ଆସିଛନ୍ତି। ଏହା ପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ହୋଇଛି । ତାଙ୍କ ପଛକୁ ହଳଦୀମୁହିଁ ମା' ସୁଭଦ୍ରାଙ୍କ ପହଣ୍ଡି କରାଯାଇଛି । ଶେଷରେ କୋଟି ଓଡ଼ିଆଙ୍କ ମଉଡ଼ମଣି ବ୍ରହ୍ମାଣ୍ଡ ଠାକୁର ମହାପ୍ରଭୁ ଜଗନ୍ନାଥ ପଦ୍ମ ପତ୍ରରେ ଜଳବିନ୍ଦୁ ପରି ଢଳି ଢଳି ନନ୍ଦିଘୋଷରେ ଚଢିଛନ୍ତି। ଘଣ୍ଟଘଣ୍ଟା ଶବ୍ଦରେ ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଚକ୍ରରାଜ ଶ୍ରୀସୁଦର୍ଶନ ଓ ମା' ସୁଭଦ୍ରା ଦର୍ପଦଳନ ରଥରେ ବିଜେ ହୋଇଛନ୍ତି। ସେହିପରି ବଳିଆର ଭୁଜ ରୋହିଣୀ ନନ୍ଦନ ପ୍ରଭୁ ବଳଭଦ୍ର ତାଳଧ୍ଵଜ ରଥାରୂଢ ହୋଇଛନ୍ତି। ଶେଷରେ ମହାପ୍ରଭୁ ଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ କରିଛନ୍ତି।
ଅପରାହ୍ନ ୨ଟା ସୁଦ୍ଧା ଠାକୁରଙ୍କୁ ଚିତା ଲାଗି କରାଯିବ । ସାଢେ ୨ଟାରେ ଠାକୁରଙ୍କ ବେଶ ଶେଷ ହେବ । ସାଢେ ୨ରୁ ସାଢେ ୩ ମଧ୍ୟରେ ଗଜପତିଙ୍କ ଛେରାପହଁରା ସରିବ । ୪ଟା ମଧ୍ୟରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବ । ରଥ ଟଣା ଅପରାହ୍ନ ୪ଟାରେ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।