ପ୍ରମୂଖ ଖବର
  • ଗଜପତିଙ୍କ ଛେରାପହଁରା ନୀତି ଆରମ୍ଭ, ଆଉ କିଛି ସମୟ ପରେ ରଥ ଟଣା
  • ||
  • ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି, ଘଣ୍ଟଘଣ୍ଟା ହରିବୋଲ ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜୁନ୍‌ ୩୦ ରେ ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ
  • ||
  • କେନ୍ଦୁଝର : ଟ୍ରାକ୍ଟର ତଳେ ଚାପି ହୋଇ ଚାଳକ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଭଦ୍ରକ : ବ୍ରିଜ୍ ଉପରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
  • ||
  • ନବରଙ୍ଗପୁର : ଝରିଗାଁ କାର୍‌ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୨ ଯାଏ ବର୍ଷିବ, ଉତ୍ତରରେ ବେଶି, ରଥଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା: ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯିବେ ବ୍ରହ୍ମାଣ୍ଡପତି, ଉତ୍କଣ୍ଠିତ ରଥ, ପଥ ଓ ଭକ୍ତ

Published By : Prameya | June 27, 2025 7:10 AM

ପୁରୀ, ୨୭/୦୬: ଆଜି ଶ୍ରୀଗୁଣ୍ଡିଚା ଯାତ୍ରା । ବଡ଼ଦେଉଳ ଛାଡ଼ି ବଡ଼ଦାଣ୍ଡକୁ ଆସୁଛନ୍ତି କାଳିଆ ସାଆନ୍ତେ । ଯାତ୍ରା ପାଇଁ କାହାରିକୁ ତର  ନାହିଁ । ବଡ଼ଦେଉଳରେ ବଡ଼ଠାକୁରଙ୍କ  ଯାତ୍ରା ପ୍ରସ୍ତୁତିରେ ବ୍ୟସ୍ତ ସେବକ ଓ  ପ୍ରଶାସକ । ବାହାରେ ଉତ୍କଣ୍ଠିତ ରଥ, ପଥ ଓ ଭକ୍ତ । ୫୮ ଦିନ ଧରି ରୂପ ପାଉଥିଲେ ତିନି ରଥ । ୧୧ ମାସରୁ  ଉଦ୍ଧ୍ୱର୍ ସମୟ ବିଛେଦ ବେଦନା ଭୋଗୁଛି ବିଜେ ପଥ । ବିଶ୍ୱବାସୀଙ୍କୁ ପ୍ରତିଶ୍ରୁତି  ଦେଇଥିଲେ ବ୍ରହ୍ମାଣ୍ଡପତି । ନନ୍ଦିଘୋଷ, ତାଳଧ୍ୱଜ ଓ  ଦେବଦଳନରେ ରଥାରୂଢ଼ ହେବେ ଦାରୁବ୍ରହ୍ମ । 

ଶୁକ୍ରବାର ଶ୍ରୀଗୁଣ୍ଡିଚା ଯାତ୍ରା ଆଣିଦେବ ମିଳନର ସେହି ଦିବ୍ୟ ମୁହୂର୍ତ୍ତ । ଏକାକାର ହେବେ ଅଗଣିତ  ଭକ୍ତ ଓ ସେମାନଙ୍କ ପ୍ରଭୁ ଶ୍ରୀଜଗନ୍ନାଥ । ଶ୍ରୀମନ୍ଦିର ପ୍ରଶାସନର ଶ୍ରୀଗୁଣ୍ଡିଚା ନୀତି  ନିର୍ଘଣ୍ଟ ଅନୁସାରେ ଶ୍ରୀବିଗ୍ରହଙ୍କ ପହଣ୍ଡି  ପୂର୍ବାହ୍ନ ସାଢେ ୯ଟାରେ ଅନୁଷ୍ଠିତ  ହେବ । ଅପରାହ୍ନ ୪ଟାରେ ଆରମ୍ଭ  ହେବ ରଥଟଣା । ଆଜ୍ଞାମାଳ ପାଇ  ରଥତ୍ରୟ ସିଂହଦ୍ୱାରରେ ପହଞ୍ଚିଛି । ସକାଳ ୬ଟାରେ ମଙ୍ଗଳାଳତି,  ୬ଟା୧୦ରେ ମଇଲମ, ସାଢେ ୬ରେ  ତଡ଼ପ ଲାଗି ଓ ରୋଷ ହୋମ, ୭ଟାରେ  ଅବକାଶ, ୭ଟା ୧୦ରେ ସୂର୍ଯ୍ୟପୂଜା,  ସାଢେ ୭ଟାରେ ଦ୍ୱାରପାଳ ପୂଜା ନୀତି ବଢ଼ି ବେଶ ଶେଷ ହେବ ।  ଗୋପାଳବଲ୍ଲଭ ଓ ସକାଳଧୂପରେ  ଖେଚୁଡ଼ି ଭୋଗ ୮ଟାରୁ ୯ଟା ମଧ୍ୟରେ  ସରି ରଥ ପ୍ରତିଷ୍ଠା ହେବ । ୯ଟା  ୧୫ମିନିଟ୍‌ରେ ମଙ୍ଗଳାର୍ପଣ ସରି  ଦାରୁଦିଅଁଙ୍କ ପହଣ୍ଡି ଆରମ୍ଭ ହେବ  ସାଢେ ୯ଟାରେ । ଅପରାହ୍ନ ସାଢେ  ୧୨ଟାରେ ପହଣ୍ଡି ସରିବ । ୧ଟା ମଧ୍ୟରେ  ଶ୍ରୀମଦନମୋହନ ଓ ଶ୍ରୀରାମଶ୍ରୀକୃଷ୍ଣ  ରଥରେ ବିଜେ ହେବେ ।

ଅପରାହ୍ନ ୨ଟା  ସୁଦ୍ଧା ଠାକୁରଙ୍କୁ ଚିତା ଲାଗି କରାଯିବ ।  ସାଢେ ୨ଟାରେ ଠାକୁରଙ୍କ ବେଶ  ଶେଷ ହେବ । ସାଢେ ୨ରୁ ସାଢେ ୩  ମଧ୍ୟରେ ଗଜପତିଙ୍କ ଛେରାପହଁରା  ସରିବ । ୪ଟା ମଧ୍ୟରେ ଚାରମାଳ  ଫିଟା, ଘୋଡ଼ା ଓ ସାରଥି ଲାଗିବ ।  ରଥ ଟଣା ଅପରାହ୍ନ ୪ଟାରେ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ୧୪ ଦିନର ପ୍ରତୀକ୍ଷା ପରେ  ଗୁରୁବାର ଆସିଲା ମିଳନ ମୁହୂର୍ତ୍ତ ।  

ବଡ଼ଦେଉଳରେ ମହାପ୍ରଭୁ ଅପରୂପ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ  ଦେଇଛନ୍ତି । ଠାକୁରେ ଅଣସର ପିଣ୍ଡିରୁ  ବାହୁ ପ୍ରସାରି ଭକ୍ତଙ୍କୁ  କୋଳେଇ ନେଉଥିଲେ । କାଳିଆ ସାଆନ୍ତଙ୍କୁ  ସମ୍ମୁଖରେ ପାଇ ଭାବ ବିହ୍ୱଳ ହେଉଥିଲେ ଭକ୍ତ ।  ନିର୍ଦ୍ଧାରିତ ସମୟ ପୂର୍ବରୁ ସକାଳ ୭ଟା ୪୦ମିନିଟ୍‌ରେ  ଆରମ୍ଭ ହୋଇଥିଲା ଠାକୁରଙ୍କ ନବଯୌବନ ଦର୍ଶନ । 

ପ୍ରଥମେ ପରିମାଣିକ ଟିକଟ ଦର୍ଶନ ହେବା  ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହୋଇଥିଲା ।  ଅପରାହ୍ନରେ କିଛି ସମୟ ଭକ୍ତମାନେ ବାରିକେଡ଼  ଭିତରେ ଯାଇ ବାହାର କାଠ ନିକଟରେ ଠାକୁରଙ୍କୁ  ଦର୍ଶନ କରିଥିଲେ । ଗୁରୁବାର ଲକ୍ଷାଧିକ ଭକ୍ତ  ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିଥିଲେ । ତେବେ  ଠାକୁରଙ୍କ ଯାତ୍ରାକାଳୀନ ନୀତିର ବ୍ୟସ୍ତତା ଦୃଷ୍ଟିରୁ  ଅଧିକ ସମୟ ଦର୍ଶନ ସୁଯୋଗ ମିଳି ନଥିଲା । ରଥଯାତ୍ରା ପାଇଁ ଆଜି ଅପରାହ୍ନରୁ ବଡ଼ଦାଣ୍ଡରେ  ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହେଲାଣି । ମହାପ୍ରଭୁଙ୍କ  ଦର୍ଶନ ପାଇଁ ବଡ଼ଦାଣ୍ଡରେ ଆକୁଳ ହେଉଛନ୍ତି ହଜାର ଶ୍ରଦ୍ଧାଳୁ । ଭଜନ କୀର୍ତ୍ତନରେ କମ୍ପୁଛି ବଡ଼ଦାଣ୍ଡ ।  ସବୁରି ପ୍ରତୀକ୍ଷା ସେହି ଦିବ୍ୟ କ୍ଷଣକୁ । କେତେବେଳେ  ସିଂହଦ୍ୱାର ଗୁମୁଟରୁ ଦିଶିବ ମୟୂରପୁଛିଆ ଟାହିଆ ।  ପହଣ୍ଡି ହୋଇ ଆସି ରଥାରୂଢ଼ ହେବେ ଶ୍ରୀଜିଉ ।  ବିଶାଳ ଜନସମୁଦ୍ର ମଧ୍ୟରେ ଅନୁଷ୍ଠିତ ହେବ  ଠାକୁରଙ୍କ ଘୋଷଯାତ୍ରା । ରଥ ଯାତ୍ରାରେ ସେବା  ପ୍ରଦାନ ପାଇଁ ସହସ୍ରାଧିକ ସ୍ୱେଚ୍ଛାସେବୀ ମଧ୍ୟ  ପ୍ରସ୍ତୁତି ସାରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.