ପାଟଣାଗଡ଼, ୨୭/୦୬: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଢା ବ୍ଳକ ଧୁମାଭଟା ପଞ୍ଚାୟତ ଜଲିଆ ଗାଁରେ ହାତୀ ପଲଙ୍କ ଉତ୍ପାତ । ଗୁରୁବାର ବିଳମ୍ବିତ ରାତ୍ରିରେ ଗାଁର ଟିକେଟା ବରହାଙ୍କ ଘର ଭାଙ୍ଗି ଦେଇଛନ୍ତି ୧୩ ଟିକିଆ ହାତୀ ପଲ । ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତାଙ୍କ ପରିବାର ।
ସୂଚନା ମୁତାବକ, ଟିକେଟା ତାଙ୍କ ସ୍ତ୍ରୀ ପୁଅ ବୋହୂ, ନାତି ନାତୁଣୀ ଏପରି ୭ଜଣ ପରିବାର ସଦସ୍ୟଙ୍କ ସହ ଗୁରୁବାର ଶୋଇଥିଲେ। ରାତି ପାଖାପାଖି ୧୨ଟା ସମୟରେ ହାତୀ ପଲଙ୍କ ଗର୍ଜନ ଶୁଣିବାକୁ ମିଳିଥିଲା । ଟିକେଟା ଭୟଭୀତ ହୋଇ ପରବାର ବର୍ଗଙ୍କୁ ଉଠାଇ ଦେଇଥିଲେ । ଦେଖୁଦେଖୁ ୧୩ ଟିକିଆ ହାତୀ ପଲ ତାଙ୍କ ଘର ସମ୍ମୁଖକୁ ଆସିଯାଇଥିଲେ । ଜୀବନ ବଞ୍ଚାଇବାକୁ ଯାଇ ପରିବାର ସମସ୍ତ ସଦସ୍ୟ ଦୌଡ଼ି ପଳାଇଥିଲେ । ହାତୀମାନେ ଘରଦ୍ଵାର ଭାଙ୍ଗିବା ସହ ଘରେ ଥିବା ଆଠ ପ୍ୟାକେଟ୍ ଚାଉଳ, ଦୈନନ୍ଦିନ ବ୍ୟବହାର କରୁଥିବା କପଡ଼ା ଏବଂ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର, ଆସବାବପତ୍ର ଘରୁ ଟାଣି ଆଣି ନଷ୍ଟ କରି ଦେଇଥିଲେ । ଖବର ପାଇ ସମାଜସେବୀ ସିପୁନ ଖମାରୀ କ୍ଷତିଗ୍ରସ୍ତ ପରିବାରଙ୍କ ପାଖରେ ପହଞ୍ଚିଲେ । ଏନେଇ ବଲାଙ୍ଗୀର ବନବିଭାଗ ଡିଏଫଓ, ପାଟଣାଗଡ଼ ରେଞ୍ଜର, ଟିକିରାପଡା ଫରେଷ୍ଟରଙ୍କୁ ଅବଗତ କରିବା ପରେ ଶୁକ୍ରବାର ସକାଳୁ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ପ୍ରତିଶ୍ରୁତି ଦେଇଛନ୍ତି । ଏହାଛଡ଼ା ଅନ୍ୟ ଦୁଇ ପରିବାରକୁ ଗାଁ ଭିତରକୁ ଯିବାକୁ ପରାମର୍ଶ ଦେଇଛନ୍ତି ।
ଖବର ଲେଖା ହେବା ପର୍ଯ୍ୟନ୍ତ ରାଜସ୍ୱ ବିଭାଗ ତରଫରୁ କ୍ଷତିଗ୍ରସ୍ତ ପରିବାରଙ୍କୁ ଏକ ପଲିଥିନ ଏବଂ ବ୍ଳକ ପ୍ରଶାସନ ତରଫରୁ ଏକ ପ୍ୟାକେଟ୍ ଚାଉଳ ଯୋଗାଇଦେଇ ଥିବା ଜଣାପଡିଛି । ତେବେ ଏହି ୧୩ ଟିକିଆ ହାତୀ ପଲ ଗାଁ ନିକଟରେ ଥିବା କିରିବାଞ୍ଜି ଜଙ୍ଗଲ ଭିତରେ ଘୁରି ବୁଲୁଥିଲେ। ଦୁଇ ଦିନ ହେଲା ବନ କର୍ମଚାରୀମାନେ ଘୋଉଡାଇବା ପାଇଁ ଚେଷ୍ଟା ଜାରି ରଖିଥିବାବେଳେ ଗୁରୁବାର ହଠାତ ବିଳମ୍ବିତ ରାତ୍ରିରେ ଏହି ହାତୀ ପଲ ଗାଁ ମୁହାଁ ହୋଇ ଟିକେଟାଙ୍କ ଘରଦ୍ଵାର ଭାଙ୍ଗିଦେଇଥିବା ନେଇ ରେଞ୍ଜର ଆନନ୍ଦ ଚନ୍ଦ୍ର ବିଶିଙ୍କ ଠାରୁ ଜଣାପଡିଛି।