ପାଟଣାଗଡ, ୨୫/୬(ଆପ୍ର): ପାଟଣାଗଡ ରେଞ୍ଜ ଲରମ୍ଭା ସେକସନ ଦମକିପାଲି ଖଇରପଡା ଜଙ୍ଗଲ ଭିତରୁ ୨୦ ଖଣ୍ଡ କେନ୍ଦୁଗଣ୍ଡି ସହ ଗୋଟିଏ ପିକଅପ୍ ଭ୍ୟାନକୁ ପାଟଣାଗଡ ବନବିଭାଗ ଜବତ କରିଛି । ଏହି ଘଟଣାରେ ଗାଡି ଚାଳକ ସହ କାଠ ମାଫିଆ ଘଟଣାସ୍ଥଳରୁ ଫେରାର ମାରିଛି ।
ସୁଚନା ଅନୁସାରେ ବିଶେଷ ସୁତ୍ରରୁ ଖବର ପାଇଁ ବନବିଭାଗ କର୍ମଚାରୀ ମାନେ ପାଟଣାଗଡ ରେଞ୍ଜର ଆନନ୍ଦ ଚନ୍ଦ୍ର ବିଶିଙ୍କ ନେତୃତ୍ବରେ ଉକ୍ତ ଜଙ୍ଗଳରେ ରାତ୍ରି ସମୟରେ ଚଢାଉ କରିଥିଲେ । ଚଢାଉ ସମୟରେ କାଠ ମାଫିଆ ସହ ଗାଡି ଡ୍ରାଇଭର ବିଭାଗୀୟ ଗାଡିର ଆଲୁଅ ଦେଖି କୌଶଳକ୍ରମେ ଘଟଣାସ୍ଥଳରୁ ଖସି ପଳାଇଥିଲେ । ପରେ ବନବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରୁ ୨୦ ଖଣ୍ଡ କେନ୍ଦୁଗଣ୍ଡି ସହ ପିକଅପ୍ ଭ୍ୟାନକୁ ଜବତ କରି ପାଟଣାଗଡ ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ । ତେବେ ଜବତ ହୋଇଥିବା କେନ୍ଦୁ ଗଣ୍ଡିର ଆନୁମାନିକ ମୁଲ୍ୟ ୫୦ ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ରେଞ୍ଜର ଶ୍ରୀ ବିଶି ସୁଚନା ଦେଇଛନ୍ତି ।