ନୂଆଦିଲ୍ଲୀ,୦୮/୦୯: କ୍ଷମା ଆବେଦନ ଖାରଜ ପରେ ଫାଶୀଦଣ୍ଡକୁ କାର୍ଯ୍ୟକାରୀ କରିବାରେ ହେଉଥିବା ବିଳମ୍ବକୁ ରୋକିବା ଲାଗି ସୁପ୍ରିମକୋର୍ଟ ନୀତି ପ୍ରସ୍ତୁତ କରିବେ । ଯାହାକୁ ବିଭିନ୍ନ ରାଜ୍ୟ ସରକାର ଓ କୋର୍ଟ କାର୍ଯ୍ୟକାରୀ କରିବେ । ଗୁରୁବାର ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ପଚାରିଥିଲେ କି କ୍ଷମା ଆବେଦନ ବିଚାରାଧୀନ ରହିଛି କି ନାହିଁ ତାହା ନ ଜାଣି ଯଦି ସେସନ୍ସ କୋର୍ଟ ୱରେଣ୍ଟ ଜାରି କରନ୍ତି, ସେଭଳି କ୍ଷେତ୍ରରେ କେଉଁ ପ୍ରକ୍ରିୟା ଗ୍ରହଣ କରାଯିବ । ମୃତ୍ୟୁଦଣ୍ଡକୁ ସୁପ୍ରିମକୋର୍ଟ ଅନୁମୋଦନ କରିବା ପରେ ରାଜ୍ୟ ସରକାର ତାକୁ କାର୍ଯ୍ୟକାରୀ କରିବା ଲାଗି ସେସନ୍ସ କୋର୍ଟ ସହ ସମ୍ପର୍କ କରିବା ଆବଶ୍ୟକ । ଏହା ପରେ ଦୋଷୀଙ୍କୁ ସୂଚୀତ କରାଯିବ । ଆଇନଗତ ପ୍ରତିନିଧିତ୍ୱ ଅଧିକାର ସମ୍ପର୍କରେ ଅବଗତ କରାଯିବ । କୌଣସି କ୍ଷମା ଆବେଦନ ଅଛି କି ନାହିଁ ତାହା ସ୍ପଷ୍ଟ କରିବା ଲାଗି ସୁଯୋଗ ଦିଆଯିବ।
ବିଚାରପତି ଅଭୟ ଏସ୍. ଓକା, ଅହସାନୁଦ୍ଦିନ ଅମାନୁଲ୍ଲା ଓ ଅଗଷ୍ଟିନ ଜର୍ଜ ମସିଙ୍କୁ ନେଇ ଗଠିତ ଖଣ୍ଡପୀଠ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ବମ୍ବେ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ଆଗତ ପିଟିସନ ଉପରେ ଶୁଣାଣି କରିବା ଅବସରରେ ଏହା କହିଛନ୍ତି । ୨୦୦୭ ପୁନେ ବିପିଓ ଗଣବଳାତ୍କାର ଓ ହତ୍ୟା ମାମଲାରେ ବମ୍ବେ ହାଇକୋର୍ଟ ୨୦୧୯ରେ ଦୁଇ ଦୋଷୀ ପୁରୁଷୋତ୍ତମ ବୋରାଟେ ଓ ପ୍ରଦୀପ କୋକାଡେଙ୍କ ମୃତ୍ୟୁଦଣ୍ଡକୁ କୋହଳ କରିଥିଲେ । ଯାହାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ । ୨୦୧୭ ମେ ୨୬ରେ ରାଷ୍ଟ୍ରପତି ଉଭୟ ଦୋଷୀଙ୍କ କ୍ଷମା ଆବେଦନକୁ ଖାରଜ କରିଥିଲେ । ପୁନେସ୍ଥିତ ଏକ ବିପିଓରେ କାର୍ଯ୍ୟ କରୁଥିବା ଜଣେ ୨୨ ବର୍ଷୀୟ ମହିଳାଙ୍କୁ ଉଭୟ ପୁରୁଷୋତ୍ତମ ଓ ପ୍ରଦୀପ ବଳାତ୍କାର ପରେ ହତ୍ୟା କରିଥିଲେ । ତଳକୋର୍ଟ ଉଭୟଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ ।
୨୦୧୫ରେ ସୁପ୍ରିମକୋର୍ଟ ଏହାକୁ ଅନୁମୋଦନ କରିଥିଲେ । କିନ୍ତୁ ଉଭୟେ ରାଜ୍ୟପାଳଙ୍କ ନିକଟରେ କ୍ଷମା ଆବେଦନ କରିଥିଲେ । ଯାହା ୨୦୧୬ରେ ଖାରଜ ହୋଇଥିଲା । ସେମାନଙ୍କ ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରିବାରେ ଅହେତୁକ ବିଳମ୍ବ ହୋଇଥିବା ଦର୍ଶାଇ ବମ୍ବେ ହାଇକୋର୍ଟ ଉଭୟଙ୍କ ମୃତ୍ୟୁଦଣ୍ଡକୁ କୋହଳ କରି ଆଜୀବନ ଜେଲ୍ଦଣ୍ଡ କରିଥିଲେ । ଉଭୟଙ୍କୁ ୩୫ ବର୍ଷ ଜେଲ୍ରେ କାଟିବାକୁ ପଡ଼ିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଥିଲେ