କୋକସରା,୦୫/୦୭: ଟଙ୍କା ନେଇ ନଫେରାଇବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଖବର ମୁତାବକ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ କେନ୍ଦୁଡ଼ଙ୍ଗରି ଗ୍ରାମର ଅନୁପ କୁମାର ଯୋଶୀ ଓ ଜୟପାଟଣା ଥାନା ଅନ୍ତର୍ଗତ ଭଇରିପାଲି ଗ୍ରାମର ପ୍ରସନ୍ନ ବାଗ ଦୁହେଁ ବନ୍ଧୁ ଥିଲେ । ତେବେ ଗତ ନଭେମ୍ବର ୨୦୨୩ ପ୍ରସନ୍ନ ବାଗ ନିଜ ଭଉଣୀର ବାହାଘର ଅଛି କହି ଅନୁପଙ୍କ ଠାରୁ ଧାର ସୂତ୍ରରେ ୧ ଲକ୍ଷ ୨୫ ହଜାର ଟଙ୍କା ନେଇଥିଲେ।
ପରେ ଉକ୍ତ ଟଙ୍କା ଫେରସ୍ତ ପାଇଁ ପ୍ରସନ୍ନ ବାଗ ଅନୁପ ଯୋଶୀଙ୍କୁ ଜୟପାଟଣା ବିସିସି ବ୍ୟାଙ୍କ ଶାଖାର ଏକ ଚେକ ଦେଇଥିଲେ। ତେବେ ଅନୁପ ଟଙ୍କା ପାଇଁ ଚେକକୁ ବ୍ୟାଙ୍କ ରେ ଜମା କରିବା ପରେ ଉକ୍ତ ଜମାଖାତାରେ ପର୍ଯ୍ୟାପ୍ତ ଟଙ୍କା ନ ଥିବା ଦର୍ଶାଇ ବ୍ୟାଙ୍କ ପକ୍ଷରୁ ଫେରସ୍ତ କରି ଦେଇଥିଲେ। ଏହାପରେ ଅନୁପ ଧାର ଟଙ୍କା ପାଇଁ ପ୍ରସନ୍ନଙ୍କୁ ଯେତେ ଥର ଫୋନ ରେ ଯୋଗାଯୋଗ କରିବା ସତ୍ତ୍ୱେ ମଧ୍ୟ ପ୍ରସନ୍ନ ବାଗ ଟଙ୍କା ଫେରସ୍ତ କରି ନଥିଲେ।
ଏଣୁ ବାଧ୍ୟ ହୋଇ ଅନୁପ ଆଇନର ଆଶ୍ରୟ ନେଇ ଜଣେ ଆଇନଜୀବୀଙ୍କ ମାଧ୍ୟମରେ ପ୍ରସନ୍ନଙ୍କୁ ନୋଟିସ ପଠାଇବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଅନୁପ କୋର୍ଟର ଆଶ୍ରୟ ନେଇ ପ୍ରସନ୍ନଙ୍କ ନାମରେ ମାମଲା ରୁଜୁ କରିଥିଲେ। ଏହି ଆବେଦନର ଶୁଣାଣି କରି ଜୟପାଟଣା ଜେଏମଏଫସି କୋର୍ଟ ଅଭିଯୁକ୍ତକୁ ୧ ବର୍ଷ କାରାଦଣ୍ଡ ସହ ଦେଢ଼ ଲକ୍ଷ ଅଭିଯୋଗକାରୀଙ୍କୁ ଫେରସ୍ତ ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଟଙ୍କା ଫେରସ୍ତ ନକଲେ ପୁଣି ୩ ମାସର କାରାଦଣ୍ଡ ଅବଧି ବୃଦ୍ଧି କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।