ଖଲ୍ଲିକୋଟ, ୫।୮ : ଖଲ୍ଲିକୋଟରେ ଦାଦନ ଦୁଃଖ ଥମିବାର ନାଁ ନେଉନି। ଗୋଟିକ ପରେ ଗୋଟିଏ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ପହଞ୍ଚିବାରେ ଲାଗିଛି। ଆଜି ବେଙ୍ଗାଲୁରୁରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ଖଲ୍ଲିକୋଟରେ ପହଁଚିଛି। ଓଡ଼ିଆ ଶ୍ରମିକ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ଶ୍ରମିକ ଜଣକ ହେଲେ ନିରାକାର ରଣା ।
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଓଡ଼ିଆ ଆଲପୁର ପଂଚାୟତର ବାଲାନ୍ତର ନଳିନାକ୍ଷପୁର ଗ୍ରାମର ଭାସ୍କର ରଣାଙ୍କ ମଝିଆ ପୁଅ ନିରାକାର ରଣା (୨୨) ଭଉଣୀ ବାହାଘର ଋଣ ଶୁଝିବା ପାଇଁ ଗତ ୩ ମାସ ତଳେ ବେଙ୍ଗାଲୁର କାମ କରିବା ପାଇଁ ଯାଇଥିଲେ। ନିରାକାର ସେଠାରେ ଏକ ଘରୋଇ କମ୍ପାନୀରେ ପାଇପ ଲାଇନ କାମ କରୁଥିଲେ। ସେହି ଗାଁର ଅନ୍ୟ ଜଣେ ଶ୍ରମିକ ଓ ପାରିକୁଦର ଜଣେ ଶ୍ରମିକଙ୍କ ସହ ଗୋଟିଏ ରୁମରେ ରହୁଥିଲେ। ତେବେ ଗତକାଲି ଦିନରେ ଘର ଲୋକଙ୍କ ସହ ନିରାକାର ଫୋନରେ କଥା ହୋଇଥିବା ବେଳେ ହଠାତ ରାତିରେ ନିରାକାର ଆତ୍ମହତ୍ୟା କରିଥିବା ଖବର ପରିବାର ନିକଟରେ ପହଞ୍ଚିଥିଲାସେମାନେ ନିରାକାରଙ୍କ ଆତ୍ମହତ୍ୟା ଖବରକୁ ସହଜ ରେ ଗ୍ରହଣ କରି ପାରୁନାହାନ୍ତି। କେହି ହତ୍ୟା କରି ଝୁଲାଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଭାସ୍କର ରଣା ଙ୍କ ୩ ପୁଅ ଓ ୩ ଝିଅ। ବଡ଼ ପୁଅ ସୁରତ ରେ କାମ କରୁଥିବା ବେଳେ ସାନ ପୁଅ ଭୁବନେଶ୍ୱର ରେ କାମ କରୁଛି। ଦୁଇ ଝିଅ ଙ୍କ ବାହାଘର ସରିଥିବା ବେଳେ ସାନ ଝିଅ ଘରେ ରହୁଛନ୍ତି। ଭଉଣୀ ବାହାଘର ଋଣ ଶୁଝିବା ପାଇଁ ଯାଇଥିବା ଭାଇ ନିରାକାର ର ଏଭଳି ମୃତ୍ୟୁ ଖବର ଶୁଣି ପୁରା ପରିବାର ଦୁଃଖ ରେ ଭାଙ୍ଗି ପଡିଛନ୍ତି। ସେମାନେ ନିରାକାରର ମୃତଦେହ ଫେରାଇ ଆଣିବାକୁ ପ୍ରଶାସନକୁ ପରିବାର ଲୋକ ନିବେଦନ କରିଛନ୍ତି।