ସାନଖେମୁଣ୍ଡି,୦୧/୦୮: ସାନଖେମୁଣ୍ଡି ବ୍ଲକର ଆଡପଡା ଅଞ୍ଚଳରେ ବ୍ୟାପିଲା ଝାଡ଼ାବାନ୍ତି । ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଦୂଷିତ ପାନୀୟ ଜଳ ଓ ଖାଦ୍ୟ ଯୋଗୁଁ ଲୋକ ଅସୁସ୍ଥ ହେଉଥିବା ଆଶଙ୍କା କରାଯାଉଛି । ସପ୍ତାହେ ହେଲା ଏଭଳି ସ୍ଥିତି ଲାଗି ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚିନାହିଁ । ଫଳରେ ଆଗକୁ ସ୍ଥିତି ସଙ୍ଗିନ ହେବା ଆଶାଙ୍କା କରାଯାଉଛି ।
ପାଞ୍ଚଦିନ ତଳେ ଆଡପଡା ଗ୍ରାମର ରଘୁ ନାୟକ ଓ ତାଙ୍କ ଭାଉଜ କାଞ୍ଚନ ନାୟକଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଉଭୟେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ଆଡପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ହୋଇ ଘରକୁ ଫେରିବା ପରେ ପୁଣି ଝାଡ଼ା ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଖଲିଙ୍ଗି, ମୁହିଗୁଡ଼ା, କଉଡ଼ିଆ, ହିଞ୍ଜିଳି, ଏସ୍.ଗୋପାଳପୁର, ଜଗନ୍ନାଥପୁର ଏବଂ ଆଖପାଖ ଅଞ୍ଚଳର ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଟିମ୍ ଆକ୍ରାନ୍ତଙ୍କ ଘରେ ପହଞ୍ଚି ସେମାନଙ୍କ ଲକ୍ଷଣ ଦେଖି ରୋଗ ଚିହ୍ନଟ କରିବା ସହ ମାଗଣା ଔଷଧ ପ୍ରଦାନ କରାଯାଇଛି ବୋଲି ଆଡପଡା ସ୍ୱାସ୍ଥ୍ୟକେନ୍ଦ୍ର ଇନ୍ଚାର୍ଜ ଡା. ବାହାନ ଦାଶ ସୂଚନା ଦେଇଛନ୍ତି।