ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

କୃତ୍ରିମ ମିଠାରୁ ବଢୁଛି ହୃଦ୍‌ଘାତ ଆଶଙ୍କା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ

ନୂଆଦିଲ୍ଲୀ ୧୪/୦୬: ୟୁରୋପିଆନ୍‌ ହାର୍ଟ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ଚିନିର ବିକଳ୍ପ ରୂପେ ବ୍ୟବହୃତ କୃତ୍ରିମ ମିଠା ‘ଜାଇଲିଟଲ୍‌’ ହୃଦ୍‌ଘାତ, ଷ୍ଟ୍ରୋକ୍‌ ଓ ହୃତ୍‌ପିଣ୍ଡ ସମ୍ବନ୍ଧୀୟ ରୋଗ ସହ ସିଧାସଳଖ ଭାବେ ସମ୍ପୃକ୍ତ । ନିୟମିତ ଏହାର ବ୍ୟବହାର ଦ୍ୱାରା ଭବିଷ୍ୟତରେ ହୃଦ୍‌ଘାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିପାରେ । ୨୦୨୩ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଥିଲା, ଚିନିର ବିକଳ୍ପ ଭାବେ ବ୍ୟବହୃତ କୃତ୍ରିମ ମିଠା ‘ଆସ୍ପାର୍ଟେମ୍‌’ରୁ ଟାଇପ୍‌-୨ ମଧୁମେହ ଓ ହୃଦ୍‌ରୋଗ ଆଶଙ୍କା ବଢ଼ିପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଇଣ୍ଟରନ୍ୟାସନାଲ୍‌ ଏଜେନ୍ସି ଫର ରିସର୍ଚ୍ଚ ଅନ୍‌ କ୍ୟାନ୍ସର(ଆଇଏଆର୍‌ସି)ର ମିଳିତ ଅଧ୍ୟୟନ ପରେ ଆସ୍ପାର୍ଟେମ୍‌କୁ କାର୍ସିନୋଜେନ୍‌ ବିଭାଗରେ ରଖାଗଲା । ଏହାର ଅର୍ଥ, ଆସ୍ପାର୍ଟେମ୍‌ କର୍କଟ-କାରକ ହୋଇପାରେ । ଏହା ପରେ ବିକଳ୍ପ ଭାବେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାର କୃତ୍ରିମ ମିଠାକୁ ନେଇ ଚେତାବନୀ ଦିଆଗଲା । 

ଦୁଇ ମାସ ତଳେ ପଞ୍ଜାବର ପଟିଆଲାରେ ୧୦ ବର୍ଷୀୟ ଝିଅ ମାନବୀର ଜନ୍ମଦିନ କେକ୍‌ ଖାଇବା ଯୋଗୁ ମୃତ୍ୟୁ ହୋଇଥିଲା । ମୃତ୍ୟୁର କାରଣ କୃତ୍ରିମ ମିଠା ବୋଲି ଯାଞ୍ଚ୍‌ରୁ ଜଣାପଡ଼ିଲା । କୃତ୍ରିମ ମିଠାକୁ ନେଇ ଅଧ୍ୟୟନଗୁଡ଼ିକର ତଥ୍ୟ ସାମ୍ନାକୁ ଆସିବା ପରେ ବିଶେଷଜ୍ଞମାନେ ଚିନ୍ତାରେ । ଷ୍ଟେଟିଷ୍ଟାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ବିଶ୍ୱରେ ବର୍ଷକୁ ପ୍ରାୟ ୧୨୦ କୋଟି କିଲୋ କୃତ୍ରିମ ମିଠା ବ୍ୟବହୃତ ହେଉଛି । ୨୦୨୮ ମସିହା ସୁଦ୍ଧା ଏହା ୧୪୫ କୋଟି କିଲୋ ହୋଇପାରେ । 

ଭାରତରେ ମଧ୍ୟ ଚିନିର ବିକଳ୍ପ ରୂପେ କୃତ୍ରିମ ମିଠା ବ୍ୟବହୃତ ହେଉଛି । ଏକ ଅଧ୍ୟୟନ ଅନୁସାରେ, ଭାରତରେ ପ୍ରାୟ ୩୮ ପ୍ରତିଶତ ସହରୀ ଲୋକ ଚିନିର ବିକଳ୍ପ ଭାବେ କୃତ୍ରିମ ମିଠା ବ୍ୟବହାର କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ବିଶ୍ୱରେ ୪୨ କୋଟିରୁ ଅଧିକ ଲୋକ ମଧୁମେହରେ ପୀଡ଼ିତ । ଅଧିକାଂଶ ମଧୁମେହ ରୋଗୀ ମିଠାର ସ୍ୱାଦ ଲାଗି କୃତ୍ରିମ ମିଠାକୁ ସୁରକ୍ଷିତ ଭାବି ଖାଉଛନ୍ତି । କିନ୍ତୁ କୃତ୍ରିମ ମିଠାରୁ ହେଉଥିବା କ୍ଷତି ବିଷୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ବିଶ୍ୱର ଅନେକ ବଡ଼ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛନ୍ତି । ଏହା ସତ୍ତେ୍ୱ ଏଗୁଡ଼ିକର ବ୍ୟବହାର ଉପରେ କଟକଣା ଲାଗୁ ହୋଇନାହିଁ । ଭାରତ ସମେତ ଅଧିକାଂଶ ଦେଶରେ କୃତ୍ରିମ ମିଠାର ବ୍ୟବହାରକୁ ମଞ୍ଜୁରି ମିଳିଛି । 

ବିଶ୍ୱର ତମାମ ବଡ଼ ଡାକ୍ତର କୃତ୍ରିମ ମିଠାର ବ୍ୟବହାର ଉପରେ ପ୍ରଶ୍ନ ଉଠାଇଛନ୍ତି । ଜଣାଶୁଣା ଡାକ୍ତର ଜାସନ୍‌ ଫଙ୍ଗ୍‌ ନିଜର ପୁସ୍ତକ ‘ଦ ଡାଇବେଟିସ୍‌ କୋଡ୍‌: ପ୍ରିଭେଣ୍ଟ୍‌ ଆଣ୍ଡ ରିଭର୍ସ ଟାଇପ୍‌-୨ ଡାଇବେଟିସ୍‌ ନ୍ୟାଚୁରାଲୀ’ରେ କୃତ୍ରିମ ମିଠାକୁ କ୍ଷତିକାରକ ବୋଲି ଦର୍ଶାଇଛନ୍ତି । ସେହିପରି ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆର ଏଣ୍ଡୋକ୍ରୋନଲଜି ବିଭାଗର ପ୍ରଫେସର ଡା. ରୋବର୍ଟ ଲଷ୍ଟିଗ୍‌ ନିଜର ପୁସ୍ତକ ‘ଫ୍ୟାଟ୍‌ ଚାନ୍ସ’ରେ କୃତ୍ରିମ ମିଠାକୁ ସ୍ୱାସ୍ଥ୍ୟ ପାଇଁ ହାନିକାରକ କହିଛନ୍ତି । କ୍ୱିନ୍‌ସଲ୍ୟାଣ୍ଡ କ୍ଲିନିକ୍‌ର କାର୍ଡିଓଭାସ୍କୁଲାର ଓ ମେଟାବଲିକ୍‌ ସାଇନ୍ସେସ୍‌ର ଚେୟାରମ୍ୟାନ୍‌ ଡା. ଷ୍ଟେନ୍‌ଲି ହେଜେନ କହିଛନ୍ତି, ଅନେକ ପ୍ୟାକେଟ୍‌ ଖାଦ୍ୟରେ କୃତ୍ରିମ ମିଠା ଜାଇଲିଟଲ୍‌ ମିଶିଥାଏ । ଏହାର ନିୟମିତ ବ୍ୟବହାର ଦ୍ୱାରା ଶରୀରରେ ରକ୍ତ ଜମାଟ ବାନ୍ଧିବା ଆଶଙ୍କା ବଢ଼ିଯାଏ, ଯାହା ହୃଦ୍‌ଘାତର କାରଣ ହୋଇଥାଏ । ସମସ୍ତ କୃତ୍ରିମ ମିଠା ଉପରେ ଅଧ୍ୟୟନ ଜରୁରି ବୋଲି ମଧ୍ୟ ସେ କହିଛନ୍ତି । 

ନ୍ୟାସନାଲ ଲାଇବ୍ରେରୀ ଅଫ୍‌ ମେଡିସିନ୍‌ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, କୃତ୍ରିମ ମିଠା ଲଗାତାର ବ୍ୟବହାର ଫଳରେ ଭୋଜନ ପରେ ତୃପ୍ତିର ଅନୁଭବ ପ୍ରଦାନ କରୁଥିବା ହର୍ମୋନ୍‌ ଲେପ୍ଟିନ୍‌ ପ୍ରଭାବିତ ହୁଏ । ସେଥିପାଇଁ ବାରମ୍ବାର ଖାଇବାର ଇଚ୍ଛା ବଢ଼େ । ଆମ ଗଟ୍‌ ବ୍ୟାକ୍ଟେରିଆ ଚିନି ତୁଳନାରେ କୃତ୍ରିମ ମିଠାକୁ ଭିନ୍ନ ରୂପେ ପ୍ରତିକ୍ରିୟା କରନ୍ତି । ନ୍ୟାସନାଲ୍‌ ଲାଇବ୍ରେରୀ ଅଫ୍‌ ମେଡିସିନ୍‌ରେ ପ୍ରକାଶିତ ଅଧ୍ୟୟନ ଅନୁସାରେ, ଯେତେବେଳେ ସାକାରିନ୍‌ ଓ ସୁକ୍ରୋଲୋଜ ଭଳି ମିଠା ଆମ ମାଇକ୍ରୋବାୟୋମ୍ସ ସମ୍ପର୍କରେ ଆସନ୍ତି, ଡିସ୍‌ବିଓସିସ୍‌ ଆଶଙ୍କା ବଢ଼ିଯାଏ । ଏହାର ଅର୍ଥ, ଭଲ ଗଟ୍‌ ବ୍ୟାକ୍ଟେରିଆ ତୁଳନାରେ ହାନିକାରକ ଗଟ୍‌ ବ୍ୟାକ୍ଟେରିଆ ସଂଖ୍ୟା ବଢ଼ିଯାଏ । ଏହା ଦ୍ୱାରା ପେଟରେ ଫୁଲା, ଅଟୋ ଇମ୍ୟୁନ କଣ୍ଡିସନ୍‌, ମାଇଗ୍ରେନ୍‌ ଓ ଉଦ୍‌ବେଗ ଭଳି ସମସ୍ୟା ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.