ଅହମ୍ମଦାବାଦ, ୩।୮: ବର୍ତ୍ତମାନ ଅନେକ ଷ୍ଟ୍ରିଟ୍ ଫୁଡ୍ ଓ ଛୋଟ ଛୋଟ ହୋଟେଲମାନଙ୍କରୁ ଅପମିଶ୍ରିତ ଖାଦ୍ୟ ବାହାରୁଥିବା ଆମେ ଦେଖିଛେ । ତେଣୁ ଲୋକେ ରାସ୍ତା କଡ଼ର ଶସ୍ତା ଖାଦ୍ୟ ଖାଇବାକୁ ପସନ୍ଦ କରୁନାହାନ୍ତି । ପଞ୍ଚତାରକା ହୋଟେଲଗୁଡ଼ିକ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରିବା ସହ ସ୍ୱଚ୍ଛତା ବଜାୟ ରଖନ୍ତି ବୋଲି ଅନେକ ଲୋକେ ମନେ କରନ୍ତି । ନିକଟରେ ଅହମ୍ମଦାବାଦସ୍ଥିତ ଏକ ପଞ୍ଚତାରକା ହୋଟେଲରେ ଗ୍ରାହକଙ୍କୁ ପରଷା ଯାଇଥିବା ଖାଦ୍ୟରେ ଅସରପା ବାହାରିବା ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ କେନ୍ଦ୍ର କରି ଖାଦ୍ୟରୁ ଅସରପା ବାହାରିଥିବା ହୋଟେଲର ରୋଷେଇ ଘରକୁ ୪୮ଘଣ୍ଟା ପାଇଁ ସିଲ୍ କରି ଯାଞ୍ଚ ଆରମ୍ଭ ହୋଇଥିବା ଜଣାପଡ଼ିଛି ।
ଏହି ଘଟଣାକୁ ନେଇ ଅହମ୍ମଦାବାଦ ନଗର ନିଗମର ଖାଦ୍ୟ ବିଭାଗର ଅଧିକାରୀ ଭବିନ ଯୋଶୀ କହିଛନ୍ତି, ‘ବସ୍ତ୍ରପୁର ଅଞ୍ଚଳସ୍ଥିତ ହୋଟେଲ ‘ହୟାତ ଅହମ୍ମଦାବାଦ’ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଅତିଥିମାନଙ୍କୁ ଖାଦ୍ୟ ପରଷା ଯାଇଥିଲା । ଏହି ଅତିଥିମାନଙ୍କ ମଧ୍ୟରୁ ଜଣଙ୍କ ଖାଦ୍ୟରେ ଅସରପା ବାହାରିଥିଲା । ପ୍ରମାଣ ରଖିବା ପାଇଁ ସେ ଏହି ଘଟଣାର ଭିଡିଓ ବି ପ୍ରସ୍ତୁତ କରି ନେଇଥିଲେ ।
ଏହି ଭିଡିଓ ମାଧ୍ୟରେ ଗ୍ରାହକ ଉକ୍ତ ହୋଟେଲ ଖାଦ୍ୟକୁ ନେଇ ଅଭିଯୋଗ କରିଥିଲେ । ଗ୍ରାହକଙ୍କ ଅଭିଯୋଗକୁ କେନ୍ଦ୍ର କରି ଯାଞ୍ଚ ପାଇଁ ହୋଟେଲର ରୋଷେଇ ଘରକୁ ୪୮ଘଣ୍ଟା ପାଇଁ ସିଲ କରି ଦିଆଯାଇଛି । ଗ୍ରାହକଙ୍କ ଅଭିଯୋଗ ଯଦି ସତ ପ୍ରମାଣିତ ହେଲା ତେବେ ଉକ୍ତ ହୋଟେଲ ମାଲିକ ଓ ରୋଷେଇ ଦାୟିତ୍ବରେ ଥିବା କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କାରଣ ଏପରି ଅସରପା ଯୁକ୍ତ ଖାଦ୍ୟ ପରଷି ହୋଟେଲ କର୍ମଚାରୀମାନେ ଗ୍ରାହକଙ୍କ ଜୀବନ ସହିତ ଖେଳ ଖେଳିଛନ୍ତି । ସମସ୍ତ ହୋଟେଲ କର୍ମଚାରୀଙ୍କୁ ମୋର ଅନୁରୋଧ ଗ୍ରାହକମାନେ ଅନେକ ଆଶା ନେଇ ହୋଟେଲକୁ ଖାଇବାକୁ ଯାଇଥାଆନ୍ତି । ତେଣୁ ସେମାନଙ୍କୁ ଏଭଳି ବିଷାକ୍ତ ଖାଦ୍ୟ ପରଷନ୍ତୁ ନାହିଁ । ଅଧିକରୁ ଅଧିକ ଗୁଣବତ୍ତା ଖାଦ୍ୟ ପରଷିବା ପ୍ରତି ଧ୍ୟାନ ଦିଅନ୍ତୁ ।