ପ୍ୟାରିସ୍ ୧୧/୦୮: ଅଲିମ୍ପିକ୍ ପଦକ ଜିତିବା ଆଥ୍ଲେଟ୍ଙ୍କ ଜୀବନର ସବୁଠୁ ବଡ଼ ଉପଲବ୍ଧି । ଏହା ସେମାନଙ୍କ ପାଇଁ ଜୀବନକାଳରେ ଏକମାତ୍ର ସୁଯୋଗ । ଏହି ମୁହୂର୍ତ୍ତକୁ ସେମାନେ ସାରା ଜୀବନ ସାଇତି ରଖନ୍ତି । କିନ୍ତୁ ପଦକ ଯଦି ତା’ର ଚମକ ହରାଇଦିଏ? ତାହା ପୁଣି ଅଲିମ୍ପିକ୍ ମହାକୁମ୍ଭ ଶେଷ ହେବା ପୂର୍ବରୁ । ଏଭଳି ଘଟଣା ଏବେ ସାମ୍ନାକୁ ଆସିଛି ।
ଚଳିତ ଅଲିମ୍ପିକ୍ସରେ ଜଣେ ଆମେରିକୀୟ ଆଥ୍ଲେଟ୍ କାଂସ୍ୟ ପଦକ ଜିତିଥିଲେ । ଏବେ ସେ ଅଭିଯୋଗ କରିଛନ୍ତି, ସେ ଜିତିଥିବା ପଦକର ଚମକ ହଜିଯାଇଛି । ତା’ର ରଙ୍ଗ ଛାଡ଼ିବା ଆରମ୍ଭ ହୋଇଛି । ଚଳିତ ଅଲିମ୍ପିକ୍ସରେ ଆମେରିକା ସ୍କେଟ୍ବୋର୍ଡ ଟିମ୍ର ଅନ୍ୟତମ ସଦସ୍ୟ ନାଇଜାହ ହ୍ୟୁଷ୍ଟନ୍ ସୋସିଆଲ ମିଡିଆ ମାଧ୍ୟମରେ ଅଲିମ୍ପିକ୍ ପଦକର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଛନ୍ତି । ୨୯ ବର୍ଷୀୟ ହ୍ୟୁଷ୍ଟନ୍ ଗତ ଜୁଲାଇ ୩୦ ତାରିଖରେ ପୁରୁଷ ଷ୍ଟ୍ରିଟ୍ ସ୍କେଟ୍ବୋର୍ଡରେ ୩ୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଥିଲେ । ହ୍ୟୁଷ୍ଟନ୍ ଏକ୍ସ ଗେମ୍ ଓ ବିଶ୍ୱ ଚାମ୍ପିଅନ୍ସିପ୍ରେ ୧୮ ସ୍ୱର୍ଣ୍ଣ ପଦକ ପାଇଥିବା ଜଣେ ଦକ୍ଷ ସ୍କେଟ୍ବୋର୍ଡର୍ ।
ପଦକ ଚମକ ହରାଇବା ବିଷୟରେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି କହିଛନ୍ତି, ନୂଆ ବେଳେ ଏହି ଅଲିମ୍ପିକ୍ ପଦକଗୁଡ଼ିକ ଭଲ ଦିଶେ । କିନ୍ତୁ ବେକରେ ପକାଇବା ପରେ ତ୍ୱଚା ସଂସ୍ପର୍ଶରେ ଆସି ଝାଳ ଲାଗିବା ଦ୍ୱାରା ସପ୍ତାହକ ମଧ୍ୟରେ ଏଗୁଡ଼ିକର ଚମକ ଫିକା ପଡ଼ିଯାଏ । ଏ ସବୁ ବୋଧହୁଏ ଉତ୍ତମ ମାନର ନୁହେଁ ।
ମୋର ବ୍ରୋଞ୍ଜ୍ ପଦକକୁ ଦେଖନ୍ତୁ, ଏହା ଖରାପ ଦିଶୁଛି । ଏହାର ଆଗ ପାଶ୍ୱର୍ରୁ ଖଣ୍ଡେ ଖଣ୍ଡେ ଛାଡ଼ିବା ଆରମ୍ଭ କରୁଛି । ବୋଧହୁଏ ଏହାର ଗୁଣବତ୍ତା ଭଲ ନୁହେଁ ।’ ଭିଡିଓରେ ହ୍ୟୁଷ୍ଟନ୍ଙ୍କ ପଦକର ଗୁଣବତ୍ତା ହ୍ରାସ ପାଇଥିବା ସ୍ପଷ୍ଟ ଦିଶୁଛି । ପଦକର ବିଭିନ୍ନ ସ୍ଥାନରେ ରଙ୍ଗ ଛାଡ଼ିଛି।