ନୂଆଦିଲ୍ଲୀ, ୨୯।୧୧: ସାର, ରନ୍ଧନ ଗ୍ୟାସ୍ ଏବଂ ଖାଦ୍ୟ ନିରାପତ୍ତା ବାବଦ ବ୍ୟୟ ବୃଦ୍ଧି ଯୋଗୁ ଚଳିତବର୍ଷ ଦେଶର ହାରାହାରି ସବ୍ସିଡି ବିଲ୍ ୫୦,୦୦୦ କୋଟି ଟଙ୍କା ବଢ଼ିପାରେ । ଜଣେ ବରିଷ୍ଠ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି । ୪୫ ଲକ୍ଷ କୋଟି ଟଙ୍କାର ବଜେଟ୍ରେ ଅନ୍ୟାନ୍ୟ କ୍ଷେତ୍ରରୁ ସଞ୍ଚୟ କରି କେନ୍ଦ୍ର ସରକାର ଏହାର ଭରଣା କରିବେ ବୋଲି ଅନୁମାନ ରହିଛି । ୨୦୨୩-୨୪ ଆର୍ଥିକବର୍ଷର ବଜେଟ୍ରେ ସବ୍ସିଡି ବାବଦ ୪.୦୩ ଲକ୍ଷ କୋଟି ଟଙ୍କା ବ୍ୟୟ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଏହା ୪.୫୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ଘଟିପାରେ ବୋଲି ଅନୁମାନ କରାଯାଉଛି । ତେବେ ପୂର୍ବ ଆର୍ଥିକବର୍ଷ ତୁଳନାରେ ସବ୍ସିଡି ବ୍ୟୟ କମ୍ ରହିବ ।
ପୂର୍ବ ଆର୍ଥିକବର୍ଷ(୨୦୨୨-୨୩) ଏ ବାବଦରେ ୫.୬୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ସରକାରୀ ଅଧିକାରୀଜଣକ କହିଛନ୍ତି ଯେ, ଖାଦ୍ୟ, ସାର ଏବଂ ଏଲ୍ପିଜି ସବ୍ସିଡି ବୃଦ୍ଧି ଯୋଗୁଁ ଚଳିତ ଆର୍ଥିକବର୍ଷ ଏ ବାବଦ ବ୍ୟୟ ଅଧିକ ୫୦,୦୦୦ କୋଟି ଟଙ୍କା ବଢ଼ିପାରେ । କିନ୍ତୁ ଅନ୍ୟାନ୍ୟ କ୍ଷେତ୍ରରୁ ବ୍ୟୟ ହ୍ରାସ ଯୋଗୁ ହୋଇଥିବା ସଞ୍ଚୟରୁ ଏହାର ଭରଣା କରାଯିବ । ଅଧିକାରୀଜଣକ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷ ସାର ସବ୍ସିଡି ବାବଦ ବ୍ୟୟ ୨୫,୦୦୦ କୋଟି ଟଙ୍କା ବଢ଼ିପାରେ । ସେହିଭଳି ଖାଦ୍ୟ ଏବଂ ରନ୍ଧନ ଗ୍ୟାସ ସବ୍ସିଡି ବ୍ୟୟ ଯଥାକ୍ରମେ ୧୫,୦୦୦ କୋଟି ଏବଂ ୧୦,୦୦୦ କୋଟି ଟଙ୍କା ବୃଦ୍ଧି ପାଇବା ଅନୁମାନ ରହିଛି । ଯଦିଓ ସବ୍ସିଡି ବ୍ୟୟ ବୃଦ୍ଧି ପାଇବ ତଥାପି ଏହା ସରକାରଙ୍କୁ ସେତେ ମାତ୍ରାରେ ବାଧିବ ନାହିଁ ବୋଲି ଅଧିକାରୀଜଣକ କହିଛନ୍ତି ।
ସୂଚନାଯୋଗ୍ୟ, ୨୦୨୨-୨୩ ଆର୍ଥିକବର୍ଷରେ କେନ୍ଦ୍ର ସରକାର ସାର ସବ୍ସିଡି ବାବଦ ୧.୦୫ ଲକ୍ଷ କୋଟି ଟଙ୍କାର ବଜେଟ୍ ବରାଦ କରିଥିଲେ । ରୁଷୟୁକ୍ରେନ ଯୁଦ୍ଧ ଯୋଗୁ ସାର ଦାମ ବଢ଼ିବା ପରେ ଏହା ୨.୫୪ ଲକ୍ଷ କୋଟି ଟଙ୍କାକୁ ସଂଶୋଧିତ ହୋଇଥିଲା । ଉକ୍ତ ତୁଳନାରେ ଚଳିତ ଆର୍ଥିକବର୍ଷ ସାର ସବ୍ସିଡି ବିଲ୍ କମ୍ ରହିବ ବୋଲି ଅଧିକାରୀଜଣକ କହିଛନ୍ତି । ଆଗକୁ ନିର୍ବାଚନ ଥିବାବେଳେ ସରକାର ନିମ୍ନ ଆୟବର୍ଗଙ୍କ ପାଇଁ ଏଲ୍ପିଜି ସବ୍ସିଡି ବଢ଼ାଇଛନ୍ତି । ଏହା ହାରାହାରି ସବ୍ସିଡି ବିଲ୍କୁ ପ୍ରଭାବିତ କରିଥିବା ଜଣାପଡ଼ିଛି ।