ସମ୍ବଲପୁର,୦୮/୦୯: ମାଟି ବି ପ୍ରସ୍ତୁତ । ମାଟି ମଣିଷ ବି ପ୍ରସ୍ତୁତ । ମାଟି ମା’ର ସେବା ଆରାଧନା ପାଇଁ ବିଧି ବି ଚୂଡ଼ାନ୍ତ । ଅପେକ୍ଷା କେବଳ ସେହି ମହାର୍ଘ୍ୟ ମୁହୂର୍ତ୍ତକୁ । ପଶ୍ଚିମ ଓଡ଼ିଶାର ମହାନ୍ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଦୂରଦୂରାନ୍ତରେ ଥିବା ପରିବାର ସଦସ୍ୟ ଫେରିଲେଣି । ଘର ଅଗଣା ପିଠାପଣାରେ ମହକି ଉଠିଛି । ଆରାଧ୍ୟ ଦେବୀ ମାଁ ସମଲେଶ୍ୱରୀଙ୍କ ପୀଠରେ ପ୍ରଥମ ନବାନ୍ନ ଲାଗି ହେବା ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏସବୁ ଭିତରେ ଚାଷୀ ମନରେ କିନ୍ତୁ ସେଭଳି ସରାଗ ଦେଖିବାକୁ ମିଳୁନାହିଁ । ଚଳିତ ବର୍ଷ ବି ବର୍ଷାର ଅନିୟମିତତା ଗଣପର୍ବ ଖୁସିକୁ ସାମାନ୍ୟ ଫିକା କରିଦେଇଛି । ତଥାପି ବିଧିରକ୍ଷା ପାଇଁ ମନରେ ଉତ୍ସାହ ଭରି ମାଟିର ପର୍ବକୁ ପାଳନ କରିବାକୁ ଅଣ୍ଟା ଭିଡ଼ିଛି ଚାଷୀ ଭାଇ ।
ରବିବାର ପବିତ୍ର ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ । ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଆହ୍ୱାନରେ ପଣ୍ଡିତଙ୍କ ଦ୍ୱାରା ତୁଳା ଲଗ୍ନ, ମକର ନବାଂଶରେ ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେବ ନବାନ୍ନ । ସକାଳ ୯ଟା ୧୨ ମିନିଟ୍ରୁ ୯ଟା ୨୭ ମିନିଟ୍ ମଧ୍ୟରେ ଏଥିଲାଗି ସମୟ ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି । ଏହାପରେ ପାଶ୍ୱର୍ ଦେବଦେବୀଙ୍କୁ ନବାନ୍ନ ଅର୍ପଣ କରାଯିବ । ଏହାପରେ ପଶ୍ଚିମ ଓଡ଼ିଶାବାସୀ ଘରର ଇଷ୍ଟ ଦେବଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ କରିବେ । ଏଥିପାଇଁ ମା’ ସମଲେଶ୍ୱରୀଙ୍କ ମୁଖ୍ୟ ପୂଜକଙ୍କ ନିକଟକୁ ୫ଦିନ ତଳୁ ସ୍ୱତନ୍ତ୍ର କିସମର ନୂଆଁ ସରିଆ ଧାନ ପହଞ୍ଚିସାରିଛି । ଏଥିରୁ ପ୍ରସ୍ତୁତ ଚରୁକୁ ମା’ଙ୍କ ନିକଟରେ ଅର୍ପଣ କରାଯିବ ।
ନୂଆଁଖାଇରେ ସାମିଲ ହେବାକୁ ପରିବାରର ସଦସ୍ୟ ଘରମୁହାଁ ହୋଇଛନ୍ତି । ରେଳ ଷ୍ଟେସନରୁ ଆରମ୍ଭ କରି ବସ୍ଷ୍ଟାଣ୍ଡ ଯାଏ ଲୋକାରଣ୍ୟ ହୋଇଉଠିଛି । ପୂରା ପରିବାର ଏକାଠି ହେବା ପରେ ଘର ଉତ୍ସାହରେ ଫାଟି ପଡୁଛି । ଭଳିକି ଭଳି ପିଠାପଣାରେ ଘର ମହକୁଛି । ଚାଷୀ ଭାଇ ହଳବଳଦ ଧୁଆ, ଗୁହାଳ ସଫା କାର୍ଯ୍ୟ ଶେଷ କରିଦେଲେଣି । ମହିଳାମାନେ ଘର ଲିପାପୋଛା, ଚୁନା ପ୍ରସ୍ତୁତି କାମ ସାରିଦେଲେଣି । ବିଭିନ୍ନ ଜାତିର ଲୋକ ଭିନ୍ନ ଭିନ୍ନ ପତ୍ରରେ ନବାନ୍ନ ଭକ୍ଷଣ କରିଥାନ୍ତି । ଏଥିପାଇଁ ଜାତି ଅନୁସାରେ କୁରେ, ମହୁଲ, ଶାଳ ଆଦି ବିଭିନ୍ନ ପତ୍ର ସଂଗ୍ରହ କରି ଦନା ପ୍ରସ୍ତୁତି ବି ଶେଷ ହୋଇଛି ।
ନୂଆଁଖାଇ ପରେ ଅନୁଷ୍ଠିତ ହେବାକୁ ଥିବା ଜୁହାର ଭେଟ୍ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଅପରପକ୍ଷେ ଏଥର ବି ଖରିଫ ଚାଷକୁ ପ୍ରକୃତି ଦାଉ ସାଧିଛି । ଅଣଜଳସେଚିତ ଅଞ୍ଚଳରେ ବର୍ଷାର ଅନିୟମିତତା ଚାଷୀ ମନରୁ ସରାଗ ଛଡ଼ାଇ ନେଇଛି । ତଥାପି ବିଧିରକ୍ଷା ପାଇଁ ସବୁ ପ୍ରସ୍ତୁତି ଚୂଡାନ୍ତ କରି ମାଟି ମା’ର ପୂଜା ପାଇଁ ଚାଷୀ ପୁଅ ଲାଗି ପଡ଼ିଛି । ଅନୁରୂପ ଭାବେ ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ନୂଆଁଖାଇ ଉଲ୍ଲାସ ଜୋର୍ ଧରିଛି ।
ବଲାଙ୍ଗିରର ଇଷ୍ଟ ଦେବୀ ପାଟେଣେଶ୍ୱରୀ, ଅଧିଷ୍ଠାତ୍ରୀ ସମଲେଶ୍ୱରୀ, ମା’ ଦୁର୍ଗାଙ୍କ ସମେତ ଅନ୍ୟାନ୍ୟ ଦେବଦେବୀଙ୍କ ପୀଠରେ ଅଢ଼ିଆ (ନୂଆଁ ଅମଳ ଧାନରୁ ସଂଗୃହୀତ ନୂଆ ଚାଉଳ, ଡାଲି, ଫଳମୂଳ, ପନିପରିବା, କପଡ଼ା, ଶାଢ଼ି, ଚୁଡ଼ି, ସିନ୍ଦୁର, ଅଳତା, କଜ୍ୱଳ ଆଦି ସାମଗ୍ରୀ) ପହଞ୍ଚିଛି । ଘଣ୍ଟ, ଘଣ୍ଟା, ଢୋଲ ନିସାନ, ତାସା ବାଦ୍ୟର ତାଳେ ତାଳେ ବାହାରିଥିବା ପାହୁର ଯାତ୍ରା ବେଶ୍ ଆକର୍ଷଣୀୟ ହୋଇଥିଲା ।