ମୁନିଗୁଡା ୦୩/୦୯: ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ । ରାୟଗଡା ଜିଲ୍ଲା ଅମ୍ବାଦୋଳା ଥାନା ଅନ୍ତର୍ଗତ ଧାଣ୍ଡରା ଗ୍ରାମରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ। ଶାଶୂଘର ଲୋକଙ୍କ ନିର୍ଯ୍ୟାତନା ଯୋଗୁଁ ଝିଅ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକେ।
ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଯୋଡାବନ୍ଧ ଗ୍ରାମର ଦୁଶାସନ ମାଝୀଙ୍କ ଝିଅ ରୁକୁଣି ମାଝୀ । ଗତ ୭/୫/୨୦୨୩ ରେ ଧାଣ୍ଡରା ଗ୍ରାମର ପ୍ରଦୀପ କାଡ୍ରାକାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବିବାହର କିଛିଦିନ ପରେ ରୁକୁଣୀର ଶାଶୁଘର ଲୋକେ ତାଙ୍କୁ ଅନେକ ଥର ମାରପିଟ୍ କରିବା ସହ ନିର୍ଯ୍ୟାତନା ଦେଉଥିଲେ। ଯେଉଁଥିପାଇଁ ତାଙ୍କ ଝିଅ ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅମ୍ବାଦୋଳା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଖବରପାଇ ଆମ୍ବାଦଳା ପୋଲିସ ଓ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ପୋଷ୍ଟମର୍ଟମ୍ ପାଇଁ ପଠାଇ ତଦନ୍ତ ଯାରି ରଖିଛନ୍ତି।