ଭୁବନେଶ୍ଵର, ୦୧/୦୮ : ସାମ୍ବାଦିକା ମଧୁମିତା ମୃତ୍ୟୁ ମାମଲାରେ ସ୍ବାମୀ ଶ୍ରୀଧର ଜେନାକୁ ରିମାଣ୍ଡରେ ଆଣିଲା କମିଶନରେଟ୍ ପୋଲିସ। ଧଉଳି ସ୍ଥିତ ଭଡ଼ା ଘର ସର୍ଚ୍ଚ ବେଳେ ମିଳିଲା ମଧୁମିତାଙ୍କ ସୁଇସାଇଟ୍ ନୋଟ୍। ପୋଲିସ ଦୁଇଟି ଖାତା ଜବତ କରିଛି। ଖାତାକୁ ଯାଞ୍ଚ୍ ପାଇଁ ମଞ୍ଚେଶ୍ବରରେ ଥିବା ଫରେନସିକ୍ ଲ୍ୟାବ୍କୁ ପଠାଯିବା ବୋଲି ଜଣାପଡିଛି। ବର୍ତ୍ତମାନ ଶ୍ରୀଧରଙ୍କୁ ପୋଲିସ ଜେରା କରୁଥିବା ବେଳେ ସତ ଓଗାରିବାକୁ ଉଦ୍ୟମ ଜାରି ରଖିଛି।
ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ମୃତ୍ୟୁ ଘଟଣାରେ ରହସ୍ୟ ବଢ଼ିବାରେ ଲାଗିଛି। ତାଙ୍କ ସ୍ୱାମୀଙ୍କ ସହିତ କେତେ ଯୁବତୀଙ୍କର ସମ୍ପର୍କ ଥିଲା ତାକୁ ନେଇ ପୁଲିସ୍ ଅଧିକ ଖୋଳତାଡ଼ କରୁଛି । ଅଭିଯୁକ୍ତ ଶ୍ରୀଧରଙ୍କ ଏକାଧିକ ଯୁବତୀଙ୍କ ସହ ସମ୍ପର୍କ ଥିବା ତାଙ୍କ ପତ୍ନୀ ମଧୁମିତା ମୃତ୍ୟୁ ପୂର୍ବରୁ ଏକ ଭିଡିଓ ମାଧ୍ୟମରେ ଅଭିଯୋଗ କରିଥିଲେ । ଏମିତିକି ଶ୍ରୀଧର ପୂର୍ବରୁ ବିବାହିତ ସେ ଛାଡପତ୍ର ଦେଇଥିବା କଥା ମଧ୍ୟ ଜଣାଇ ନଥିଲେ । ମୃତ୍ୟୁ ପରେ ମଧୁମିତାଙ୍କ ପରିବାର ଲୋକ ଧଉଳି ଥାନାରେ ଦେଇଥିବା ଏତଲାରେ ୨ଜଣ ଯୁବତୀଙ୍କ ପ୍ରେମ ସମ୍ପର୍କ କଥା ଦର୍ଶାଇଥିଲେ । ନିଜ ସ୍ୱାମୀଙ୍କ ଅନୈତିକ ପ୍ରେମ କାହାଣୀ ଜାଣିବା ପରେ ମଧୁମିତା ଏମିତି କରିଥିବା ପରିବାର ଲୋକ ପୁଲିସ୍କୁ କହିଥିଲେ । ଅନୈତିକ ପ୍ରେମ ବିଷୟରେ ଜାଣିବା ପାଇଁ ପୁଲିସ୍ ଶ୍ରୀଧରଙ୍କ ଫୋନ୍ ଯାଞ୍ଚ କରିଥିଲା । ହେଲେ ଶ୍ରୀଧର ଚାଟିଂ ଡିଲିଟ୍ କରି ଦେଇଥିଲେ । ସେ ସବୁ ଚାଟିଂ ରିକଭରି ପାଇଁ ଲାଗି ପଡ଼ିଛି ପୁଲିସ୍ । ଜବତ ହୋଇଥିବା ମୋବାଇଲ୍କୁ ରାଜ୍ୟ ଫୋରେନ୍ସିକ୍ ଲ୍ୟାବ୍କୁ ପଠାଯିବ ବୋଲି ଡିସିପି କହିଛନ୍ତି ।
ପ୍ରକାଶ ଥାଉକି, ମଧୁମିତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଡେଇଁବା ପୂର୍ବରୁ ସେ ନିଜର ଇନ୍ଷ୍ଟାରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ସ୍ୱାମୀଙ୍କ ଅନୈତିକ ପ୍ରେମ କାହାଣୀ ଓ ନିର୍ଯାତନା ବିଷୟରେ ଜଣାଇଥିଲେ । ସେଥିପାଇଁ ସେ ଜୀବନ ହାରିବେ ବୋଲି ନିଷ୍ପତ୍ତି ନେଇଥିଲେ।