ନୂଆଦିଲ୍ଲୀ: ବଂଲାଦେଶରେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାର ଆସନ୍ତାକାଲି (ଗୁରୁବାର) ଶପଥ ନେବ । ସ୍ଥାନୀୟ ସମୟ ଅନୁସାରେ, ରାତି ୮ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ୟୁନୁସ ଆସନ୍ତାକାଲି ପ୍ୟାରିସରୁ ଢ଼ାକା ଫେରିବେ। ସେନା ମୁଖ୍ୟ ଓ୍ବାକର ଉଜ ଜମାନଙ୍କ ଅନୁସାରେ, ମହମ୍ମଦ ୟୁନୁସ୍ ଆସନ୍ତାକାଲି ଦିନ ୨ଟାରେ ଢ଼ାକାରେ ପହଞ୍ଚିବେ ।
ପ୍ୟାରିସ୍ରେ ୟୁନୁସ କହିଛନ୍ତି ଯେ, ‘ବାଂଲାଦେଶରେ ସ୍ଥିତି କଣ ଅଛି ତାହା ଦେଖିବା ପାଇଁ ମୁଁ ଉତ୍ସାହିତ ଅଛି । ସେଠାକର ପରିସ୍ଥିତିକୁ ଦେଖି ଆଗକୁ କଣ ପଦକ୍ଷେପ ନିଆଯିବ ତା ଉପରେ ଧ୍ୟାନ ଦେବି ।’ ସେପଟେ ଅନ୍ତରୀଣ ସରକାରର ମଙ୍ଗ ସମ୍ଭାଳିବାକୁ ଯାଉଥିବା ମହମ୍ମଦ ୟୁନୁସଙ୍କୁ ୬ ମାସ ଜେଲ ଦଣ୍ଡ ଶୁଣାଇଥିଲେ କୋର୍ଟ । କିନ୍ତୁ ଏବେ କୋର୍ଟ ତାଙ୍କୁ ଆଶ୍ବସ୍ତି ଦେଇଛନ୍ତି ।
ଜେନରାଲ ଓ୍ବାକର ଜମାନଙ୍କ ଅନୁସାରେ, ୟୁନୁସଙ୍କ ମନ୍ତ୍ରୀମଣ୍ଡଳରେ ସର୍ବାଧିକ ୧୫ ଜଣ ସଦସ୍ୟ ରହିବେ । ପରବର୍ତ୍ତୀ ସମୟରେ ଏଥିରେ ଆଉ ଜଣେ ଦୁଇ ଜଣଙ୍କୁ ସାମିଲ କରାଯାଇପାରେ । ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ମଙ୍ଗଳବାର ଅର୍ଥନୀତିଜ୍ଞ ୟୁନୁସ (୮୪) ଙ୍କୁ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି । ଏହାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ଚାକିରିରେ ସଂରକ୍ଷଣ ସମ୍ପର୍କିତ ବିବାଦକୁ ନେଇ ହିଂସାତ୍ମକ ବିରୋଧ ପ୍ରଦର୍ଶନ ପରେ ଦେଶ ଛାଡି ଭାରତ ଚାଲିଆସିଥିଲେ ।