ନୂଆଦିଲ୍ଲୀ: କେରଳ ଓ୍ବାୟନାଡରେ ଭୟଙ୍କର ଭୂସ୍ଖଳନ ଯୋଗୁଁ ୩୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଅନେକ ଏବେ ହସ୍ପିଟାଲ ବେଡ୍ରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । କେତେ ଯେ ପରିବାର ସର୍ବସାନ୍ତ ହୋଇଯାଇଛି ତାର ହିସାବ ନାହିଁ । କେହି କେହି ହସ୍ପିଟାଲରେ ନିଜର ପ୍ରିୟ ପରିଜନଙ୍କୁ ଖୋଜୁଛନ୍ତି । ପ୍ରକୃତିର ତାଣ୍ଡବରେ ମଣିଷ ଯେମିତି ସଂପୂର୍ଣ୍ଣ ଅସହାୟ ହୋଇପଡ଼ିଛି । ସହାଯ୍ୟ ଲାଗି ଆତୁର ଚିତ୍କାର କରୁଛି ଓ୍ବାୟନାଡ । ଏଠାରେ ବସବାସ କରୁଥିବା ଲୋକଙ୍କ ସବୁ କିଛି ବରବାଦ କରିଦେଇଛି ଭୂସ୍ଖଳନ । କିଏ ନିଜର ଲୋକଙ୍କୁ ହରାଇ କାନ୍ଦୁଛି ତ ଆଉ କିଏ ନିଜର ଲୋକ ବଞ୍ଚିଥିବାର ଆଶା ନେଇ ଏ ହସ୍ପିଟାଲରୁ ସେ ହସ୍ପିଟାଲ ଧାଇଁ ଧାଇଁ ନୟାନ୍ତ ହେଲେଣି । ଏସବୁ ଭିତରେ ଭୂସ୍ଖଳନ ପୀଡ଼ିତଙ୍କ ପାଖକୁ ଯାଇ ସହାୟତା ଯୋଗାଇ ଦେବାକୁ ସରକାରୀ ବୀମା କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।
ଲାଇଫ ଇନସ୍ୟୁରାନ୍ସ କର୍ପୋରେସନ (ଏଲଆଇସି), ୟୁନାଇଟେଡ୍ ଇଣ୍ଡିଆ ଇନସ୍ୟୁରାନ୍ସ, ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ, ନ୍ୟାସନାଲ ଇନସ୍ୟୁରାନ୍ସ ଏବଂ ଓରିଏଣ୍ଟାଲ ଇନସ୍ୟୁରାନ୍ସ ପୀଡ଼ିତଙ୍କୁ ସହାୟତା କରିବା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି । ସବୁ ପବ୍ଲିକ୍ ସେକ୍ଟର ବୀମା କମ୍ପାନି ନିଜ ଆଡ଼ୁ ପଲିସି ହୋଲ୍ଡରଙ୍କୁ ସଂପର୍କ କରୁଛନ୍ତି । ଏଥିପାଇଁ ସ୍ଥାନୀୟ ଗଣମାଧ୍ୟମ, ସୋସିଆଲ ମିଡିଆ, କମ୍ପାନି ଓ୍ବେବସାଇଟ୍ ଏବଂ ଏସଏମଏସ୍ର ସାହାଯ୍ୟ ନିଆଯାଉଛି । କେରଳର ଓ୍ବାୟନାଡ, ପଲକ୍କୁଡ, କୋଜିକୋଡ୍, ମଲପୁରମ ଏବଂ ତ୍ରିସୁରରେ ଅଧିକ କ୍ଷୟକ୍ଷତି ହୋଇଛି । ଏହି ସବୁ ସ୍ଥାନରୁ ଅଧିକ କ୍ଲେମ୍ ଆସିପାରେ । ବୀମା କମ୍ପାନିଗୁଡ଼ିକ ଲୋକଙ୍କ କ୍ଲେମ୍ ସେଟେଲମେଣ୍ଟ ପାଇଁ ଚେଷ୍ଟା କରୁଛନ୍ତି ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଥିବା ଲଭାର୍ଥୀଙ୍କୁ ଅତିଶୀଘ୍ର ସହାୟତା ପ୍ରଦାନ କରିବାକୁ ଏଲଆଇସିକୁ ସରକାର ବିଶେଷ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ କ୍ଲେମ୍ ଆମାଉଣ୍ଟ ଯଥାଶୀଘ୍ର ଦେବାକୁ କୁହାଯାଇଛି । ସେହିଭଳି ଅତିକମ ଦସ୍ତାବିଜ ଜରିଆରେ ଟଙ୍କା ଦେବାକୁ ବୀମା କମ୍ପାନିକୁ କୁହାଯାଇଥିବା ଜଣାପଡ଼ିଛି । ଏଥିପାଇଁ ବୀମା କମ୍ପାନିଗୁଡ଼ିକ ସହ ଜେନେରାଲ ଇନସ୍ୟୁରାନ୍ସ କାଉନସିଲ୍ ସମନ୍ବୟ ରକ୍ଷା କରିବ । ସବୁ କମ୍ପାନିର କ୍ଲେମ୍ ଷ୍ଟାଟସ୍ ପ୍ରତିଦିନ ଯାଞ୍ଚ କରିବାକୁ ଏକ ପୋର୍ଟାଲ ତିଆରି ହେବ ବୋଲି ସୂଚନା ମିଳିଛି ।