ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ୨୦୨୪: ଭାରତର ଏହି ୭ଟି ଫିଲ୍ମ ଦେଖାଇବ ଜଲୱା

ନୂଆଦିଲ୍ଲୀ ୧୫/୦୫: ବିଶ୍ୱର ଅନ୍ୟତମ ସବୁଠୁ ବଡ଼ ଚଳଚ୍ଚିତ୍ର ମହୋତ୍ସବ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ନିଜର ଛାପ ଛାଡ଼ିବାକୁ ଯାଉଛି ଭାରତ । ୭ ଭାରତୀୟ ଫିଲ୍ମ ଏହି ମହୋତ୍ସବରେ ସ୍ଥାନ ପାଇବ । ତନ୍ମଧ୍ୟରେ ଗୋଟିଏ ଫିଲ୍ମକୁ ନେଇ ଭାରତର ପୁରସ୍କାର ଆଶା ରହିଛି । ତାହା ହେଉଛି ମାଲାୟାଲମ୍‌ ଫିଲ୍ମ ‘ଅଲ୍‌ ୱି ଇମାଜିନ୍‌ ଆଜ୍‌ ଲାଇଟ୍‌’ । ପାୟଲ କାପାଡ଼ିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ୨୩ ତାରିଖରେ କାନ୍‌ ମହୋତ୍ସବରେ ପ୍ରଦର୍ଶିତ ହେବ । ଏକ ହସ୍‌ପିଟାଲରେ ନର୍ସ ଭାବେ କାମ କରୁଥିବା ଦୁଇଜଣ ରୁମ୍‌ମେଟ୍‌ଙ୍କ କାହାଣୀ ଉପରେ ଫିଲ୍ମଟି ପର୍ଯ୍ୟବସିତ । ପ୍ରେମ ଓ ନିଜର ଅନୁସନ୍ଧାନ କିଭଳି ଉଭୟଙ୍କ ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିଛି, ଫିଲ୍ମରେ ତାହା ପ୍ରଦର୍ଶିତ ହୋଇଛି । ମହୋତ୍ସବର ମୁଖ୍ୟ ବିଭାଗରେ ଏହା ପ୍ରଥମ ଭାରତୀୟ ଫିଲ୍ମ ହେବାକୁ ଯାଉଛି । 

୧୯୯୪ ମସିହାରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ସ୍ୱାହମ୍‌’ ଥିଲା ଏହି ବିଭାଗରେ ପ୍ରଦର୍ଶିତ ପ୍ରଥମ ଭାରତୀୟ ଫିଲ୍ମ । କାନ୍‌ରେ ପ୍ରଦର୍ଶିତ ହେବାକୁ ଯାଉଥିବା ଆଉ ଏକ ଫିଲ୍ମ ହେଉଛି ‘ସନ୍ତୋଷ’ । ବ୍ରିଟିଶ-ଭାରତୀୟ ଫିଲ୍ମମେକର ସନ୍ଧ୍ୟା ସୁରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଅନ୍‌ ସର୍ଟନ୍‌ ରିଗାର୍ଡ ବିଭାଗରେ ପ୍ରଦର୍ଶିତ ହେବ । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଶାହାନା ଗୋସ୍ୱାମୀ । ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କଚାକିରି ପାଇଥିବା ଜଣେ ମହିଳା ପୁଲିସ କନ୍‌ଷ୍ଟେବଲଙ୍କ କାହାଣୀ ଏଥିରେ ବର୍ଣ୍ଣନା କରାଯାଇଛି । ଫିଲ୍ମ ‘ସନ୍‌ଫ୍ଲାୱାର୍ସ ୱେୟାର ଦ ଫାର୍ଷ୍ଟ ୱାନ୍‌ସ ଟୁ ନୋ’ ଆଉ ଏକ ବିଭାଗରେ ପ୍ରଦର୍ଶିତ ହେବ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଚିଦାନନ୍ଦ ନାୟକ ।

ମହୋତ୍ସବର କ୍ଲାସିକ୍ସ ସିଲେକ୍ସନ୍‌ ବିଭାଗରେ ପ୍ରଦର୍ଶିତ ହେବ ସ୍ମିତା ପାଟିଲ ଓ ନସୀରୁଦ୍ଦିନ ଶାହଙ୍କ ‘ମନ୍ଥନ୍‌’ । ଗିରିଶ କର୍ନାଡ ଓ କୁଲଭୂଷଣ ଖରବନ୍ଦା ମଧ୍ୟ ଏଥିରେ ଅଭିନୟ କରିଥିଲେ । ଡାଇରେକ୍ଟର୍ସ ଫର୍ଟନାଇଟ୍‌ ବିଭାଗରେ ପ୍ରଦର୍ଶିତ ହେବ ଅଭିନେତ୍ରୀ ରାଧିକା ଆପ୍‌ଟେଙ୍କ ଫିଲ୍ମ ‘ସିଷ୍ଟର୍‌ ମିଡ୍‌ନାଇଟ୍‌’ । କରନ କନ୍ଧାରିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏକ ବସ୍ତିରେ ବୈବାହିକ ଜୀବନର ଆହ୍ୱାନଗୁଡ଼ିକର ସମ୍ମୁଖୀନ ହେଉଥିବା ଜଣେ ମହିଳାଙ୍କ କାହାଣୀକୁ ପରଦାରେ ବର୍ଣ୍ଣନା କରିଛି ।

ସୟେଦ ମୈସମ ଅଲି ଶାହଙ୍କ ନିର୍ଦ୍ଦେଶିତ ‘ଇନ୍‌ ରିଟ୍ରିଟ୍‌’ ଆସୋସିଏସନ୍‌ ଫର୍‌ ଦ ଡିଷ୍ଟ୍ରିବ୍ୟୁସନ୍‌ ଅଫ୍‌ ଇଣ୍ଡିପେଣ୍ଡେଣ୍ଟ୍‌ ସିନେମା ବିଭାଗରେ ପ୍ରଦର୍ଶିତ ହେବ । ଅନେକ ବର୍ଷ ପରେ ନିଜ ଘରକୁ ଫେରିଥିବା ଜଣେ ବ୍ୟକ୍ତିଙ୍କ କାହାଣୀ ଏଥିରେ ରହିଛି । ଶେଷ ଫିଲ୍ମ ହେଉଛି ବୁଲଗେରିଆ ନିର୍ଦ୍ଦେଶକ କନ୍‌ଷ୍ଟାନ୍‌ଟିନ୍‌ ବୋଜାନୋଭ୍‌ଙ୍କ ‘ଦ ଶେମ୍‌ଲେସ୍‌’ । ଫିଲ୍ମର କାହାଣୀ ଭାରତ ଉପରେ ଆଧାରିତ । ନେପାଳ ଓ ଭାରତରେ ଏହାର ସୁଟିଂ ହୋଇଛି । ଭାରତୀୟ ଯୌନ କର୍ମୀ ରାନୀର କାହାଣୀ ଉପରେ ଏହା ପର୍ଯ୍ୟବସିତ । ଅନ୍‌ ସର୍ଟନ୍‌ ରିଗାର୍ଡ ବିଭାଗ ଅଧୀନରେ ଫିଲ୍ମଟି ପ୍ରଦର୍ଶିତ ହେବ । 

ସଦ୍ୟ ରିପୋର୍ଟ ଅନୁସାରେ, ଅଜୟ ଦେବଗନ ଓ ତବୁ ଷ୍ଟାରର୍‌ ‘ଔରୋଁ ମେଁ କହାଁ ଦମ୍‌ ଥା’ର ଝଲକ୍‌ କାନ୍‌ ମହୋତ୍ସବରେ ଦେଖିବାକୁ ମିଳିବ । ନୀରଜ ପାଣ୍ଡେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଝଲକ୍‌ ଆସନ୍ତା ୧୭ ତାରିଖରେ ଭାରତ ପାଭିଲିଅନ୍‌ରେ ଉନ୍ମୋଚିତ ହେବ । ଆସନ୍ତା ଜୁଲାଇ ୫ ତାରିଖରେ ଏହା ଥିଏଟରକୁ ଆସିବ । ଗତ ୧୪ ତାରିଖ ଅର୍ଥାତ୍‌ ଗତ ମଙ୍ଗଳବାରଠୁ ଫ୍ରେଞ୍ଚ୍‌ ରିଭିରାଠାରେ ୭୭ତମ କାନ୍‌ ମହୋତ୍ସବର ଶୁଭାରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.