ନୂଆଦିଲ୍ଲୀ,୦୬/୦୯: ଭାରତୀୟ ସେନା ବ୍ୟବହାର କରୁଥିବା ଡ୍ରୋନରେ ଚୀନ୍ର ଉପକରଣ ଲାଗିବାକୁ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଗଭୀର ଉଦ୍ବେଗ ପ୍ରକାଶ କରିଛି । ଏହାପରେ ୨୦୦ ଡ୍ରୋନ ବରାଦ ଉପରେ ରୋକ ଲଗାଯାଇଛି। ଭାରତୀୟ ଡ୍ରୋନରେ ଚୀନ୍ ଉପକରଣ ଲାଗୁଥିବା ନେଇ ପ୍ରଥମେ ଗୁଇନ୍ଦା ଏଜେନ୍ସି ଚିନ୍ତାବ୍ୟକ୍ତ କରିଥିଲା । ଏହାପରେ ଘରୋଇ କମ୍ପାନିଗୁଡ଼ିକୁ ତାଗିଦ୍ କରାଯାଇଥିଲା। ୨୦୦ ଡ୍ରୋନର ବରାଦ ରୋକାଯିବାକୁ ନେଇ ସମ୍ପୃକ୍ତ ଘରୋଇ କମ୍ପାନି ଅସନ୍ତୋଷ ବ୍ୟକ୍ତ କରିଥିଲା । ଡ୍ରୋନରେ କୌଣସି ଚୀନ୍ ଉପକରଣ ଲାଗୁନାହିଁ ବୋଲି ଏହା ଦାବି କରିଥିଲା । ଏହାପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ନେଇ ପ୍ରମାଣ ଦେବା ପାଇଁ ସମ୍ପୃକ୍ତ କମ୍ପାନିକୁ କହିଛି ।
ମନ୍ତ୍ରଣାଳୟ ମୁତାବକ, ଚୀନ୍ ଉପକରଣ ଲାଗିଥିବା ଡ୍ରୋନଗୁଡ଼ିକୁ ଭାରତର ଉତ୍ତର ସୀମାରେ ମୁତୟନ କରିବା ପାଇଁ ଯୋଜନା ଥିଲା । ବର୍ତ୍ତମାନ ଏହା ଉପରେ ରୋକ୍ ଲଗାଯାଇଛି । ଆର୍ମି ଡିଜାଇନ ବ୍ୟୁରୋର ଅତିରିକ୍ତ ନିର୍ଦ୍ଦେଶକ ମେଜର ଜେନେରାଲ ସି ଏନ୍ ମାନ୍ କହିଛନ୍ତି ଯେ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା ଏଭଳି ଏକ ସାଧନ ପ୍ରସ୍ତୁତ କରୁଛି, ଯାହା ଘରୋଇ କମ୍ପାନିଗୁଡ଼ିକ ଦ୍ୱାରା ନିର୍ମିତ ଡ୍ରୋନରେ ଚୀନ୍ର ଉପକରଣ ଲାଗିବ ନାହିଁ ବୋଲି ସୁନିଶ୍ଚିତ କରିପାରିବ । ଏହି ଢାଞ୍ଚାକୁ ମଜଭୁତ ବନାଇବା ଲାଗି ଅନେକ ଉପାୟ ଉପରେ ଚିନ୍ତା କରାଯାଉଛି । ଡ୍ରୋନଗୁଡ଼ିକରେ ଚୀନ୍ ଉପକରଣ ନ ଲଗାଇବାକୁ ସଦସ୍ୟ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେବା ଲାଗି ଶିଳ୍ପ ସଂଘ ଫିକି, ସିଆଇଆଇ ଏବଂ ଆସୋଚାମ୍କୁ ପ୍ରତିରକ୍ଷା ବିଭାଗ କହିଛି ।
ଉଲ୍ଲେଖଯୋଗ୍ୟ, ପୂର୍ବ ଲଦାଖରେ ଚୀନ୍ ସହ ଆରମ୍ଭ ହୋଇଥିବା ବିବାଦକୁ ଇତିମଧ୍ୟରେ ୫ ବର୍ଷ ପୂରଣ ହୋଇଛି । ଏଭଳି ସ୍ଥିତିରେ ଭାରତୀୟ ସେନା ନୂଆ ଉପାୟ ଅବଲମ୍ବନ କରି ଡ୍ରୋନ କିଣୁଛି । ଏଥିରେ ନାନୋ, ମିନି ଏବଂ ମାଇକ୍ରୋ ଡ୍ରୋନ୍ଠାରୁ ଆରମ୍ଭ କରି କାମିକେଜ, ଲଜିଷ୍ଟିକ୍ସ, ଆର୍ମଡ ସ୍ୱାର୍ମସ ଏବଂ ଫାଇଟର ସାଇଜ୍ ମାଲେ (ମିଡିୟମ୍ ଆଲ୍ଟିଚ୍ୟୁଡ୍, ଲଙ୍ଗ୍ ଏଣ୍ଡୁରାନ୍ସ) ଓ ହାଲେ (ହାଇ ଆଲ୍ଟିଚ୍ୟୁଡ୍, ଲଙ୍ଗ୍ ଏଣ୍ଡୁରାନ୍ସ) ଡ୍ରୋନ ସାମିଲ ରହିଛି।